ନୀଳଗିରିକୁ ପଶିଲା ପାଇଲଟ ଦନ୍ତା; ଆହୁରି ଆସୁଛନ୍ତି ୪୫ଝାଡ଼ଖଣ୍ଡୀ!

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳକୁ ଶନିବାର ଝାଡ଼ଖଣ୍ଡସ୍ଥିତ ଦଲମା ଅଭୟାରଣ୍ୟର ପାଇଲଟ ଦନ୍ତାଟି ପଶି ଆସିଛି। ଏହି ହାତୀଟି ମୟୂରଭଞ୍ଜ ଜିଲା ଦେଇ ରେମୁଣା ବ୍ଲକର ଦୁର୍ଗାଦେବୀ, ନୀଳଗିରି ବ୍ଲକର ପୁନ୍ଦାଳ, କାଠପାଳ, ଅଯୋଧ୍ୟା ରାସ୍ତା ଦେଇ ଗୋପାଳପୁର ଜଙ୍ଗଲରେ ପଶି ଯାଇଛି। ଦନ୍ତା ଆସିଥିବା ରାସ୍ତାରେ ଧାନକ୍ଷେତ ଦଳି ଚକଟି ଦେଇଛି। ପୂର୍ବ ବର୍ଷ ମାନଙ୍କରେ ପ୍ରଥମେ ପାଇଲଟ ଦନ୍ତା ଏବଂ ଏହାର ପରେ ପରେ ହାତୀପଲ ଏଠାକୁ ମାଡ଼ି ଆସୁଥିବା ଯୋଗୁ ସମ୍ପ୍ରତି ପାଇଲଟ ଦନ୍ତାକୁ ଦେଖି ଅଞ୍ଚଳବାସୀଙ୍କଠାରେ ଆତଙ୍କ ଖେଳି ଯାଇଛି। ବିଗତ ବର୍ଷରେ ଏହି ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ ଏବଂ ଆକ୍ରମଣରେ ବହୁ ଧନଜୀବନ ନଷ୍ଟ ହେବା ସହ ସହଶ୍ରାଧିକ ଲୋକ ବେଘର ହୋଇ ପଡ଼ିଥିଲେ।

ସେପଟେ ଆହୁରି ୪୫ରୁ ଊର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ରହି ନୀଳଗିରି ଆଡ଼କୁ ମୁହାଁଇଥିବା ସୂଚନା ମିଳିଛି। ନୀଳଗିରିକୁ ପଶି ଆସିଥିବା ପାଇଲଟ ଦନ୍ତାଠାରୁ ସିଗନାଲ ପାଇ ଏହି ହାତୀପଲ ନୀଳଗିରିକୁ ପଶିବେ ବୋଲି କୁହାଯାଉଛି। ପାଇଲଟ ହାତୀର ଆଗମନରେ ନୀଳଗିରି ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ନୀଳଗିରି ରେଞ୍ଜର ମନୱାର ଖାଁ, ଫରେଷ୍ଟର ଶ୍ରୀଧର ଲେଙ୍କା, ସରୋଜ ପ୍ରଧାନ, ଦେବରାଜ ରାଉତ, ଗାର୍ଡ଼ ଜୟଦେବ ମଲିକ, ବବିସ୍ମିତା ସାହୁ, ମନୋରଞ୍ଜନ ସିଂ, ସରସ୍ୱତୀ ମୁର୍ମୁଙ୍କ ସମେତ ସବୁଜବାହିନୀ କର୍ମଚାରୀମାନେ ହାତୀ ଉପଦ୍ରବ ଅଞ୍ଚଳରେ ଲୋକଙ୍କୁ ସଚେତନତା କରୁଥିବା ସୂଚନା ମିଳିଛି। ଖବର ଲେଖାହେବା ବେଳକୁ ଏହି ପାଇଲଟ ଦନ୍ତାଟି ଗୋପାଳପୁର ଜଙ୍ଗଲରୁ ବାହାରି ହାତୀମୁଣ୍ଡ ଓ ବୁଦୁସାହି ଗାଁ ନିକଟ ବିଲରେ ଧାନ ଖାଉଥିବା ସୂଚନା ମିଳିଛି।

Comments are closed.