ଜେଲର୍‌ଙ୍କ ଚଉକିରେ ସ୍ୱାମୀ; କାର୍ଯ୍ୟାନୁଷ୍ଠାନ ଶୂନ୍‍!

0

ନୀଳଗିରି : ସ୍ୱାମୀ ହେବ ତ ଏମିତି। ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଜେଲ୍‌ର ଭିତିରି କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଥିଲେ ହେଁ ପୁନର୍ବାର ଜେଲ୍‍ର ସୁରକ୍ଷା ବଳୟକୁ ଭେଦ କରି ମହିଳା ଜେଲର୍‌ଙ୍କ ସ୍ୱାମୀ ଜେଲ୍‌ ଭିତରକୁ ଅନୁପ୍ରବେଶ କରିବା ଘଟଣା ତାଙ୍କ ଜିଦି ବଳବତ୍ତର ରହିଥିବାକୁ ସୂଚାଇଛି। ସେପଟେ ଏହି ଘଟଣାରେ ଜେଲ ବିଭାଗ ଡିଆଇଜି ତଦନ୍ତ କରିବେ ବୋଲି କୁହାଯାଉଥିଲେ ହେଁ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଶୂନ୍ୟ ହୋଇ ରହିଛି।
ଦୀର୍ଘ ୨ବର୍ଷ ହେବ ନୀଳଗିରି ଜେଲ ସୁପରିଣ୍ଟେଣ୍ଡେଟଭାବେ ମମତାବାଳା ପାତ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ହେଲେ ବନ୍ଦୀଙ୍କ ଖାଦ୍ୟ ସାରଣୀ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା। ସହକାରୀ ଜେଲରଙ୍କ ଚୌକିରେ ବସି ତାଙ୍କ ସ୍ୱାମୀଙ୍କ ଦ୍ୱାରା ଜେଲ କର୍ମଚାରୀ ଓ ବନ୍ଦୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ନାଲିଆଖି ଦେଖାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ଜେଲକୁ ଖାଦ୍ୟ ସାମଗ୍ରୀ ଯୋଗାଣକାରୀ ସଂସ୍ଥାକୁ ଲାଞ୍ଚ ମାଗୁଥିବା ସମ୍ପର୍କରେ ମଧ୍ୟ ଅଭିଯୋଗ ଆସିଛି। ଜେଲ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୀଳଗିରି ଜେଲରେ ଅରାଜକତା ଓ ଅନିୟମିତତାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଉକ୍ତ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀ ଓ ଜେଲ ଡିଜିଙ୍କୁ ପତ୍ର ଲେଖିଛନ୍ତି। ସେହିପରି ଜେଲର ଓ ତାଙ୍କ ସ୍ୱାମୀଙ୍କ ଜାଗା ଅଫିସ ଚୌକିରେ ନୁହେଁ ବରଂ ସେମାନଙ୍କ ପାଇଁ ଜେଲ ଭିତରେ ଥିବା ସେଲ୍‍ ହିଁ ଉତ୍ତମ ବୋଲି ପୂର୍ବତନ ବିଧାୟକ ତଥା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।
ଅପରପକ୍ଷରେ ଜେଲ ବିଭାଗରେ ଏଭଳି ଚରମ ଅବହେଳା ସମ୍ପର୍କରେ ନୀଳଗିରି ଜେଲର ଶ୍ରୀମତୀ ପାତ୍ରଙ୍କୁ ପଚରାଯିବାରୁ ଜେଲ ଭିତରେ ତାଙ୍କ ସ୍ୱାମୀ କମ୍ପ୍ୟୁଟର ସଫ୍ଟୱେର ଲୋଡ଼ କରିବାକୁ ଆସନ୍ତି ବୋଲି କହିଛନ୍ତି ଏବଂ ତାଙ୍କୁ କମ୍ପ୍ୟୁଟର କାର୍ଯ୍ୟ ଜଣାନଥିବାରୁ ତାଙ୍କ ସ୍ୱାମୀ ଏଥିରେ ସହଯୋଗ କରୁଛନ୍ତି ବୋଲି ମଧ୍ୟ ଜଣାଇଛନ୍ତି। ତେବେ ଜେଲରଙ୍କ ଏହି ମନ୍ତବ୍ୟ ପରେ ଏଠାରେ ପ୍ରଶ୍ନ ଉଠେ ଯେ, ଜେଲରଙ୍କ ସ୍ୱାମୀ କ’ଣ ଜଣେ କମ୍ପ୍ୟୁଟର ଇଞ୍ଜିନିୟର? ଯଦି ହଁ ତେବେ ସେ ନିଜେ କୌଣସି ଚାକିରି ନକରି ଜେଲ ଭିତରେ ବାରମ୍ବାର ଅବାଧ ପ୍ରବେଶ କରିବାକୁ ତାଙ୍କୁ ଅନୁମତି କେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦେଶରେ ଦିଆଗଲା?
ଯଦି ନାଁ ତେବେ କମ୍ପ୍ୟୁଟର ଆଳ ଦେଖାଇ କର୍ମଚାରୀ ଓ କଏଦୀଙ୍କୁ ଜଣେ ଅଣକର୍ମଚାରୀ ନାଲିଆଖି କାହା ସାହସରେ ଦେଖାଉଛନ୍ତି ? ନୀଳଗିରି ଜେଲରେ ଘଟିଥିବା ଏହି ଅନିୟମିତତାକୁ ବନ୍ଦ ରଖିବା ପରିବର୍ତ୍ତେ, ରାତିରେ ଅନୁପ୍ରବେଶ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ତେବେ ସ୍ୱାମୀଙ୍କ ବିରୋଧରେ ଲାଞ୍ଚ କାରବାର ଓ ନାଲିଆଖି ପ୍ରଭୃତି ଅଭିଯୋଗକୁ ଜେଲର ଶ୍ରୀମତୀ ପାତ୍ର ଅସ୍ୱୀକାର କରିବା ସହ ଏହା ଏକ ଚକ୍ରାନ୍ତ ବୋଲି କହିଛନ୍ତି।

Leave A Reply