ମୋଦିଙ୍କ ଉଦ୍ୟମ ଯୋଗୁ ପୁରୀରେ ଗଡ଼ିବ ରଥ: କେନ୍ଦ୍ରମନ୍ତ୍ରୀ ପ୍ରତାପ

ଶଗଡ଼ରେ ବସି ଯାଇପାରନ୍ତେ କାଳିଆ ସାଆନ୍ତେ; ବଞ୍ଚି ଯାଆନ୍ତା ତୃତୀୟ ଶ୍ରୀକ୍ଷେତ୍ର ରୀତିନୀତି

ନୀଳଗିରି: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁ ବିଗ୍ରହ ଏବଂ ମାନବୀୟ ଲୀଳା ସମଷ୍ଟିର ପରିକାଷ୍ଟା। ତାଙ୍କର ପ୍ରତ୍ୟେକ ନୀତି ସହ ଅନ୍ୟ ଏକ ନୀତିର ସମ୍ପର୍କ ରହିଥାଏ। ରଥଯାତ୍ରା ସହ ଏହି ନୀତି ମଧ୍ୟ ଜଡ଼ିତ ରହିଛି। ଶାସ୍ତ୍ରାନୁସାରେ ରଥଯାତ୍ରା ବନ୍ଦ ହେଲେ; ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅଣସର ବେଦୀରେ ଅବସ୍ଥାପନ କରିବେ। ନୀତି ଅନୁସାରେ ସେ ରତ୍ନ ସିଂହାସନ ଆରୋହଣ କରି ପାରିବେନି କି ତାଙ୍କ ପାଖରେ ଅନ୍ନ ନୀତି ହୋଇ ପାରିବନି। ଯାହାଫଳରେ ମହାପ୍ରଭୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଉପବାସ ରହିବେ ବୋଲି କୁହାଯାଉଛି। ଜଗତର ନାଥ କୁହାଯାଉଥିବା ଶ୍ରୀଜଗନ୍ନାଥ ବର୍ଷକ ଯାକ ଭୋକ ଉପାସରେ ରହିବା ଶୁଣି ଜଗନ୍ନାଥପ୍ରେମୀ, ଶ୍ରଦ୍ଧାଳୁ, ସେବାୟତଙ୍କ ଠାରେ ଧାର୍ମୀକ ଭାବନାରେ କୁଠାରଘାତ ସୃଷ୍ଟି ହେବା ସହ ଶହ ଶହ ବର୍ଷର ପରମ୍ପରା ଭୁଲୁଣ୍ଠିତ ହେବା ନେଇ ଚର୍ଚ୍ଚା ହେଉଛି। ସେପଟେ ରଥଯାତ୍ରା ବନ୍ଦ କରିବାର ଥିଲେ ଦେବସ୍ନାନ ପୂର୍ଣ୍ଣମୀକୁ ପ୍ରଥମେ ବନ୍ଦ ରଖାଯାଇଥାନ୍ତା। କିନ୍ତୁ ସ୍ନାନବେଦୀରେ ଗାଧୋଇବା ପରେ ମହାପ୍ରଭୁଙ୍କ ନୀତିକୁ ପରିଚାଳନା କରିବାର ଆବଶ୍ୟକତା ରହିଛି। ବାଲେଶ୍ୱର ଜିଲା ଅଧୀନ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଅନୁଷ୍ଠିତ ହୋଇଥିବା ସ୍ନାନଯାତ୍ରାରେ କେବଳ ସେବାୟତଙ୍କ ବ୍ୟତୀତ କୌଣସି ଭକ୍ତ କି ଶ୍ରଦ୍ଧାଳୁ ଉପସ୍ଥିତ ନଥିଲେ। କୋଭିଡ-୧୯ର ନୀତି ନିୟମକୁ ସମ୍ମାନ ଜଣାଇ ଜଗନ୍ନାଥପ୍ରେମୀମାନେ ଘରୁ ବାହାରି ନଥିଲେ। ନୀଳଗିରି ରଥଯାତ୍ରା ସହ ଓଡ଼ିଶାର ଭାବାବେଗ ଜଡ଼ିତ। ସେପଟେ ଗୋଟିଏ ବର୍ଷ ରଥ ନଗଡ଼ିଲେ ୧୨ବର୍ଷ ପର୍ଯ୍ୟନ୍ତ ରଥ ଗଡ଼ି ପାରିବନି ବୋଲି ମଧ୍ୟ କୁହାଯାଉଛି। ମାନ୍ୟବର ସୁପ୍ରିମକୋର୍ଟ ଏହି ଘଟଣାରେ ପୁନଃବିଚାର କରି ଶ୍ରୀକ୍ଷେତ୍ର ପୁରୀ ଭଳି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରଥଯାତ୍ରା ପରମ୍ପରା ବଜାୟ ରଖିବାକୁ ସ୍ଥାନୀୟ ସେବାୟତ, ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀମାନେ ନିବେଦନ କରିଛନ୍ତି।

ସେପଟେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ଘଟି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ। ଶେଷ ମୁହୂର୍ତ୍ତରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଅଦ୍ଭୁତପୂର୍ବ ରାୟ କୋଟି କୋଟି ଓଡ଼ିଆଙ୍କ ଭିତରେ ପୁଣିଥରେ ଆଧ୍ୟାତ୍ମିକ ଆଶାର ସଞ୍ଚାର କରିଛି। ଗଜପତି ଦିବ୍ୟସିଂହ ଦେବ ଓ ଗୋବର୍ଦ୍ଧନ ପୀଠର ମହନ୍ତ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପରେ ସୁପ୍ରିମକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ରୋକ ଲାଗିଛି। ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସରକାରୀ ଓକିଲ ତୁଷାର ମେହେଟା ଯଥେଷ୍ଟ ଯୁକ୍ତି ବାଢ଼ିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ପୁରୀ ରଥଯାତ୍ରା ଚାଲିବା ସପକ୍ଷରେ ହସ୍ତକ୍ଷେପ କରିଥିଲେ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବାରମ୍ବାର ଆଲୋଚନା କରାଯିବା ପରେ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ପିଟିସନର ପୁନଃବିଚାର କରାଯାଇ ଶେଷରେ ପୁରୀ ରଥଯାତ୍ରା ଚାଲିବ ବୋଲି ଏକ ଐତିହାସିକ ରାୟ ଆସିଛି। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଏହି ରାୟ ଆସିବା ସପକ୍ଷରେ ସହଯୋଗ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ଏଥିପାଇ ସେ ବିଶେଷଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଚାଲିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଏବଂ ଶେଷରେ ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ଚାଲିବା ପାଇଁ ସବୁଜସଂକେତ ମିଳିଥିବା କୁହାଯାଉଛି।

କିନ୍ତୁ ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରି ସହ ରାଜ୍ୟ ଓ ଦେଶର ଅନ୍ୟ କୌଣସି ସ୍ଥାନରେ ରଥ ଗଡ଼ି ପାରିବନି ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ଉଲ୍ଲେଖ କରିବା ପରେ ନୀଳଗିରିର ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମନ ମଉଳି ଯାଇଥିବା ଦେଖିବାକୁ ମିଳିଛି। ନୀଳଗିରିରେ ରଥଯାତ୍ରା ନହେଲେ ଗୋଟିଏ ବର୍ଷ ପାଇଁ ଶ୍ରୀଜୀଉଙ୍କଠାରେ ଅନ୍ନଭୋଗ ଲାଗି ପାରିବନି ଏବଂ ରୀତିନୀତିରେ ମଧ୍ୟ ବିଭ୍ରାଟ ଘଟିବ ବୋଲି କୁହାଯାଉଛି। ନୀଳଗିରିରେ ଏହି ରୀତିକୁ ବଞ୍ଚାଇବା ପାଇଁ ସମ୍ପ୍ରତି କେବଳ ବାଲେଶ୍ୱର ଜିଲା ପ୍ରଶାସନ ହିଁ ଭରସା ବୋଲି କୁହାଯାଉଛି। ରଥ ନଗଡ଼ିଲେ ବି ଶଗଡ଼ କିମ୍ବା ଅନ୍ୟ କୌଣସି ପ୍ରକାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡି ବିଜେ କରାଯାଇ ଶ୍ରୀଗୁଣ୍ଡିଚା ଯାତ୍ରା କରାଇଲେ ମହାପ୍ରଭୁ ବାହୁଡ଼ାଯାତ୍ରାରୁ ଫେରି ରତ୍ନ ସିଂହାସନ ଆରୋହଣ କରିପାରନ୍ତେ ବୋଲି କୁହାଯାଉଛି। ନଚେତ ବର୍ଷେ ପର୍ଯ୍ୟନ୍ତ ମହାପ୍ରଭୁ ସିଂହାସନ ବିଜେ କରି ପାରିବେନି ଏବଂ ଅନ୍ନଭୋଗ ଖାଇ ପାରିବେନି ବୋଲି ଶାସ୍ତ୍ରର ମତ ରହିଛି। ସେହିଭଳି ଚଳିତବର୍ଷ ରଥଯାତ୍ରା ନହେଲେ ଆଗାମୀ ୧୨ବର୍ଷ ପର୍ଯ୍ୟନ୍ତ ନୀଳଗିରିରେ ରଥାଯାତ୍ରା ଅନୁଷ୍ଠିତ ହୋଇ ପାରିବନି ବୋଲି କୁହାଯାଉଛି। ଉପରୋକ୍ତ ପ୍ରସଙ୍ଗ ଉପରେ ବିଚାର କରି ବାଲେଶ୍ୱର ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ନୀଳଗିରିବାସୀ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମତ ଦେଇଛନ୍ତି ଯେ, କେନ୍ଦ୍ର ସରକାର ଶ୍ରୀଜଗନ୍ନାଥଙ୍କ ମୂଳପୀଠ ଶ୍ରୀକ୍ଷେତ୍ର ପୁରୀ ପାଇଁ ବିଚାର କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ରାତିପାହିଲେ ପହଣ୍ଡି ଓ ରଥଯାତ୍ରା। ତେଣୁ ସ୍ୱଳ୍ପ ସମୟ ଭିତରେ ସେଭଳି କିଛି ରାୟ ଆସିବା ସମ୍ଭାବନା ନାହିଁ। ନୀଳଗିରି ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରଥଯାତ୍ରା ଚାଲିବା ପ୍ରସଙ୍ଗରେ ତାଙ୍କ ପାଖକୁ ଫୋନ ଆସିଛି। ସେ ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କ ଆବେଗକୁ ବୁଝି ପାରୁଛନ୍ତି। କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଉପରେ ପିଟିସନ ଦାଖଲ କରିବାକୁ ହେଲେ ହାତରେ ସମୟ ଥିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ତେବେ ବାଲେଶ୍ୱର ଜିଲାପାଳ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ପରମ୍ପରା ଓ ଶ୍ରୀଜଗନ୍ନାଥଙ୍କ ରୀତିନୀତି ବଞ୍ଚାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.