କରୋନା ସନ୍ଦେହ; ମା’-ଝିଅଙ୍କୁ ନିସ୍ତୁକ ମାଡ଼!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ମା’ ଓ ଝିଅଙ୍କୁ ନିସ୍ତୁକ ମାଡ଼ ଦିଆଯିବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।
ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ ଚିନ୍ତାମଣିପୁର ଗାଁର ଭାଗିରଥୀ ବେହେରାଙ୍କ ସ୍ତ୍ରୀ ସାବିତ୍ରୀ (୪୫) ତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇଥିବା ସମୟରେ ସେହି ଗାଁର ମଧୁସୂଦନ ବେହେରା (୫୦), ବୈକୁଣ୍ଠ ବେହେରା (୪୮), ଦୀନବନ୍ଧୁ ବେହେରା (୪୬), ପଣ୍ଡ ବେହେରା (୪୨) ପ୍ରମୁଖ ଏକଜୋଟ ହୋଇ ତାଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଥିରେ ମହିଳା ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ କରୋନା ହୋଇଥିବା ସନ୍ଦେହ କରି ଏକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ମହିଳାଙ୍କ ଗୋଡ଼, ହାତ, ପିଠି ଓ ପିଚାରେ କ୍ଷତ ସୃଷ୍ଟି ହୋଇଛି। ଏହି ଆକ୍ରମଣ ହେବା ଯୋଗୁ ମା’ ଚିତ୍କାର କରୁଥିବା ଦେଖି ତାଙ୍କ ଝିଅ ଭାରତୀ (୧୭) ପ୍ରତିବାଦ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଏକ ଲୁହାଛଡ଼ରେ ତାଙ୍କୁ ମଧ୍ୟ ଆକ୍ରମଣ କରିବା ସହ ମୁହଁରେ ମୁଥଦେଇ ଫୁଲାଇ ଦେଇଛନ୍ତି। ଏ ସମ୍ପର୍କରେ ମହିଳା ଜଣକ ନୀଳଗିରି ଥାନାରେ ଏକ ଏତଲା ଦାଏର କରିଛନ୍ତି।

ସୂଚନା ଯେ, ଉକ୍ତ ମହିଳାଙ୍କର ଜଣେ ସମ୍ପର୍କୀୟ ବାହାର ରାଜ୍ୟରେ ରହୁଥିବା ଯୋଗୁ ତାଙ୍କ ସଂସ୍ପର୍ଶରେ ମହିଳାଙ୍କ ପରିବାର ଆସି କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ଗୁଜବକୁ ନେଇ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

Comments are closed.