ନୀଳଗିରି ବ୍ଲକ ଅଧ୍ୟକ୍ଷାଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବ୍ଲକର ଅଧ୍ୟକ୍ଷାଙ୍କୁ କେତେକ ଦୁର୍ବୃତ୍ତ ରାତିଅଧିଆ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଏକ ନିର୍ଦ୍ଦିଷ୍ଟ ଦଳର ପତାକା ଧରି ଜୟଗାନ କରିବା ସହ ଅନ୍ୟ ଦଳୀୟ ନେତାଙ୍କ କୁଶପୁତ୍ତଳିକା ଦାହ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଜାନକୀ ସିଂ (୨୬) ନୀଳଗିରିରୁ ପୋଡାଶୋଳ ନିକଟସ୍ଥ ବାଘମରାସ୍ଥିତ ଗାଁକୁ ଫେରୁଥଲେ। ବାଘମରା ଫୁଟବଲ ପଡ଼ିଆଠାରେ ୧୦/୧୫ଜଣ ଲୋକ ଏକତ୍ରୀତ ହୋଇ ତାଙ୍କୁ ଅଟକାଇ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିଲେ। ସେ ଏଥିରେ ପ୍ରତିବାଦ କରିବାରୁ ସେହି ଗାଁର ଅଭିଯୁକ୍ତ କାର୍ତ୍ତିକ ସିଂ, ଭୀମ ସିଂ, ରଞ୍ଜନ ସିଂ, ଗିରିଶ ଚନ୍ଦ୍ର ସିଂ ପ୍ରମୁଖ ଅଧ୍ୟକ୍ଷାଙ୍କୁ ଟଣାଓଟରା କରି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ତାଙ୍କ ପିନ୍ଧା ସୁନାହାରକୁ ମଧ୍ୟ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଛି। ଏଭଳି କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଏକ ନିର୍ଦ୍ଦିଷ୍ଟ ଦଳର ଜୟଗାନ କରି ଜଣେ ନେତାଙ୍କ କୁଶପୁତ୍ତଳିକା ଦାହ କରିବା ଭିଡ଼ିଓ ସମ୍ପ୍ରତି ନୀଳଗିରିରେ ଭାଇରାଲ ହୋଇଛି। କୌଶଳକ୍ରମେ ବ୍ଲକ ଅଧ୍ୟକ୍ଷା ସେଠାରୁ ଖସିଆସି ରାତି ୧୦ଟାରେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ଥାନୀୟ ପୁଲିସ ପକ୍ଷରୁ ଏନେଇ ୩ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି। ତେବେ ଜଣେ ମହିଳାଙ୍କ ପ୍ରତି ଏଭଳି ଆଚରଣକୁ ସାଧାରଣରେ ନିନ୍ଦା କରାଯାଇଛି। ନୀଳଗିରିର ବିଜେଡି ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ସନ୍ତୋଷ ଖଟୁଆ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାରଙ୍କ ବେଟି ବଞ୍ଚାଓ, ବେଟି ପଢ଼ାଓର ନାରା ଦେଇ ଚାଲିଥିବା ବେଳେ ନୀଳଗିରିରେ ଏହାର ବ୍ୟତିକ୍ରମ ଘଟିଛି। ଉକ୍ତ ଦଳର ସ୍ଥାନୀୟ ଦଳୀୟ ନେତାଙ୍କ ପ୍ରରୋଚନାରେ ଜଣେ ଦଳିତ ନାରୀ ଉପରେ ଆକ୍ରମଣ କରାଯିବା ଘଟଣା ଅନ୍ୟନ୍ତ ନିନ୍ଦନୀୟ, ଘୃଣ୍ୟ ଏବଂ ଦୁଃଖଦ ଘଟଣା। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀଙ୍କୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ଉଦ୍ୟମ କରୁଛନ୍ତି। କିନ୍ତୁ ଆକ୍ରମଣକାରୀ ତଥା ଅନ୍ୟଦଳୀୟ ନେତାମାନେ ନାରୀଙ୍କୁ ଅସମ୍ମାନ କରିବାକୁ ପଛାଉ ନାହାଁନ୍ତି। ଏହି ଆକ୍ରମଣକାରୀଙ୍କୁ ଆଇନ ଅନୁସାରେ ଦଣ୍ଡବିଧାନ ବ୍ୟବସ୍ଥା କରାଯିବା ଉଚିତ ବୋଲି ଶ୍ରୀ ଖଟୁଆ କହିଛନ୍ତି।

Comments are closed.