ସ୍ୱାମୀଙ୍କ ନିର୍ଯାତନା ବିରୋଧରେ ସ୍ତ୍ରୀର ଅନଶନ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ମହିଳା ସ୍ୱାମୀଙ୍କ ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ ସ୍ଥାନୀୟ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ନୀଳଗିରି ଥାନା କାଂଶ ଅଞ୍ଚଳର ଅକ୍ଷୟ ବାରିକଙ୍କ ଝିଅ ଅଲିଭା (୨୫) ସେହି ଥାନା କୋହ୍ଲାଟ ବରହମପୁର ଗାଁର ସୁଶାନ୍ତ ଦାସଙ୍କ ପୁଅ ଦୀପକ (୨୬)ଙ୍କୁ ୨୦୧୮ରେ ବିବାହ କରିଥିଲେ। କନ୍ୟାପକ୍ଷ ତରଫରୁ ଆବଶ୍ୟକୀୟ ସୁନାଗହଣା ଓ ସାମଗ୍ରୀ ବରପକ୍ଷଙ୍କୁ ଯୌତୁକ ଆକାରରେ ଦିଆଯାଇଥିଲେ ହେଁ ଅଧିକ ୨ଲକ୍ଷ ଟଙ୍କା ଦାବି କରି ତାଙ୍କ ସ୍ୱାମୀ କୁଆଡ଼େ ଯୌତୁକ ଜନିତ ଯନ୍ତ୍ରଣା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ସ୍ୱାମୀ ଓ ଶାଶୂଘର ଲୋକେ ଖାଇବା ପିଇବା ନଦେଇ ମାରଧର କରୁଥିବା ଯୋଗୁ ସେ  ବାପଘରେ ରହୁଛନ୍ତି। ଅସହାୟ ଅବସ୍ଥାରେ ପଡ଼ିଥିବା ଏହି ମହିଳା ଜଣକ ନ୍ୟାୟ ପାଇଁ ନୀଳଗିରି ଥାନାରେ ଏତଲା ଦେଇଥିଲେ ହେଁ ପୁଲିସ ପକ୍ଷରୁ ତାଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ନୀଳଗିରି ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ମଙ୍ଗଳବାର ସେ ଅନଶନରେ ବସି ରହିଛନ୍ତି। ଅପରପକ୍ଷରେ ଉକ୍ତ ଘଟଣା ସମ୍ପର୍କରେ ନୀଳଗିରି ଆଇଆଇସି ମିନତି ବିଶ୍ୱାଳ କହିଛନ୍ତି ଯେ, ସମ୍ପୃକ୍ତ ମହିଳାଙ୍କ ରିପୋର୍ଟମୂଳେ ଥାନାରେ ଏକ ଯୌତୁକ ଜନିତ ମାମଲା ରୁଜୁ କରାଯାଇଛି କିନ୍ତୁ ଥାନାରେ ମାମଲା ଯୋଗୁ ଶାଶୂଘର ଲୋକେ ସେହି ମହିଳାଙ୍କୁ ନେବାକୁ ଅରାଜି ହେଉଛନ୍ତି। ପୁଲିସ ପକ୍ଷରୁ ଆଇନ ହିସାବରେ ସମସ୍ତ କାର୍ଯ୍ୟ କରାଯାଉଛି ଏବଂ ସମ୍ପୃକ୍ତ ମହିଳାଙ୍କୁ ନାରୀସଂଘରେ ରଖାଯିବାକୁ ବ୍ୟବସ୍ଥା ହେଉଛି ବୋଲି ଆଇଆଇସି ଜଣାଇଛନ୍ତି।

Comments are closed.