ଅଜା ଉପରେ ରାଗି ମାମୁଁ ଘର ଜାଳିଦେଲା ନିଶାଡ଼ି ନାତି!

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାତି ଟଙ୍କା ଚୋରି କରୁଥିବା ବେଳେ ଅଜା ଧରିଥିବାରୁ ରାଗରେ ନିଶାସକ୍ତ ନାତି ମାମୁଁ ଘରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ନରଣପୁର ଗାଁର ଅଜା ମହେଶ୍ୱର ମଲିକ ଓ ଆଇ ବାୟାଣୀ ମଲିକଙ୍କ ଘରେ ତାଙ୍କ ଝିଅ, ଜ୍ୱାଇଁ ଓ ନାତି ଉତ୍ତମ ଦେହୁରୀ ରହି ଆସୁଥିଲେ। ବହୁ ସମୟରେ ନାତି ଉତ୍ତମ ଅଜାଙ୍କ ଥଳିରୁ ଟଙ୍କା ସହ ଧାନଚାଉଳ ଚୋରି କରି ନିଶା ଖାଉଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ମାମୁଁ ବାବୁରାମ ମଲିକ ତାକୁ ତାଗିଦ କରିବା ସହ ଗାଁରେ ମଧ୍ୟ ଏ ସମ୍ପର୍କରେ ବୈଠକ କରିଥିଲେ। ଏନେଇ ଅଜା ଉପରେ ରାଗି ନିଶାଡ଼ି ନାତି ଉତ୍ତମ ଶୁକ୍ରବାର ସନ୍ଧ୍ୟାରେ ଅଜା ରହୁଥିବା ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ଘର ସହ ଧାନ, ଚାଉଳ, ଗ୍ୟାସ ଟାଙ୍କି, ଲୁଗାପଟା, ଭତ୍ତା ଟଙ୍କା ପ୍ରଭୃତି ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟଲୋକେ ଉତ୍ତ୍ୟକ୍ତ ହୋଇ ନିଶାସକ୍ତ ନାତିକୁ ଏକ ଗଛରେ ବାନ୍ଧି ଦେଇଥିବା ଦେଖିବାକୁ ମିଳିଛି। ଖବରପାଇ ନୀଳଗିରିରୁ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସୂଚନା ମିଳିଛି।

Comments are closed.