ଛାଡ଼ିଲେନି ଆମ୍ବୁଲାନ୍ସ : ୩କିମି ଚାଲିଲେ ଗର୍ଭବତୀ

ନୀଳଗିରି: ବାଲେଶ୍ୱର ଓ ମୟୂରଭଞ୍ଜ ସୀମାନ୍ତରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହଠାତ ଜଣେ ଗର୍ଭବତୀଙ୍କ ଗୋଡ଼ ଫୁଲିଯିବା ଓ ପେଟ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଡ଼କାଇଥିଲେ। କିନ୍ତୁ ଲକ୍ ଡାଉନ୍ ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମା ଲଢ଼େଇରେ ଗର୍ଭବତୀ ଜଣକ ଫସି ଯାଇଥିଲେ। ଦୀର୍ଘ ୩କିମି ରାସ୍ତା ଚାଲିବା ପରେ ହିନସ୍ତା ହୋଇ ସେ ଆମ୍ବୁଲାନ୍ସରେ ବସିବା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି କରିଛି।
ସୂଚନା ଯୋଗ୍ୟ, ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଏନଏସି ବାଣପୁର ଅଞ୍ଚଳର ଗାୟତ୍ରୀ ରଣା ନାମକ ଜଣେ ମହିଳା ମୟୂରଭଞ୍ଜ ଜିଲା ସାଇଁକୁଳା ନିକଟ ଭାନୁପୁର ଅଞ୍ଚଳରେ ବିବାହ କରିଥିଲେ। ନିଜର ଚିକିତ୍ସା ପାଇଁ ସେ ମୟୂରଭଞ୍ଜ ଜିଲାର ଉଦଳା ମେଡିକାଲକୁ ଯାଉଥିଲେ ହେଁ ତାଙ୍କୁ ଚିକିତ୍ସା କରିବାକୁ ଡାକ୍ତର ମନା କରିବାରୁ ସେ ନୀଳଗିରି ମେଡିକାଲକୁ ଆସିବାକୁ ଚାହିଁଥିଲେ। ବୁଧବାର ହଠାତ ତାଙ୍କ ଗୋଡ଼ ଫୁଲି ଯାଇଥିବା ଏବଂ ପେଟ ଯନ୍ତ୍ରଣା ଅନୁଭବ ହେବାରୁ ଏଥିନେଇ ବାପଘର ଲୋକେ ନୀଳଗିରିରୁ ଏକ ଘରୋଇ ଆମ୍ବୁଲାନ୍ସ ସେଠାକୁ ପଠାଇଥିଲେ। ଉକ୍ତ ଆମ୍ବୁଲାନ୍ସଟି ତାଙ୍କୁ ଆଣିବାକୁ ସେଠାରେ ପହଞ୍ଚିଥିଲେ ହେଁ ବଇଁଚା-ସାଇଁକୁଳା ରାସ୍ତା ଉପରେ ବାଡ଼ ଦିଆଯାଇଥିବା ଦେଖିଥିଲେ। ଆମ୍ବୁଲାନ୍ସ ଦେଖି ୩/୪ଜଣ ଲୋକ ସେଠାରେ ପହଞ୍ଚି ବାଲେଶ୍ୱରକୁ କରୋନା ରେଡ଼ଜୋନଭାବେ ଘୋଷଣା ହୋଇଥିବାରୁ ଆମ୍ବୁଲାନ୍ସକୁ ଛାଡ଼ି ନଥିଲେ। ସରକାରୀ ରାସ୍ତା ଉପରେ ବାଡ଼ ବୁଜିଲେ କଡ଼ା ପଦକ୍ଷେପ ନିଆଯିବା ନେଇ ସରକାର ଘୋଷଣା କରିଥିଲେ ହେଁ ଜରୁରୀକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସକୁ ପଶାଇବାକୁ ନଦେବା ଘଟଣା ସାଧାରଣରେ କ୍ଷୋଭ ସୃଷ୍ଟି କରିଛି। କିଛି ଉପାୟ ନପାଇ ଶେଷରେ ସମ୍ପୃକ୍ତା ଗର୍ଭବତୀ ଦୀର୍ଘ ୩କିମି ରାସ୍ତା ଚାଲିବା ପରେ ଉକ୍ତ ସୀମାନ୍ତ ଅଞ୍ଚଳରେ ପହଞ୍ଚି ଆମ୍ବୁଲାନ୍ସରେ ବସିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ ଉଭୟ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।