ଭାବି ବରକୁ ବ୍ଲେଡ଼ ମାଡ଼! – ବନ୍ଦ ହେଲା ବାହାଘର; ଉଭୟ ପକ୍ଷରୁ ଥାନାରେ ଏତଲା

ନୀଳଗିରି : ବାଲେଶ୍ୱର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜ ବାହାଘରର ନିମନ୍ତ୍ରଣ କାର୍ଡ଼ ବାଣ୍ଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ବ୍ଲେଡ଼ ମାଡ଼ ଘଟଣାରେ ଥାନାରେ ପୃଥକ ଏତଲା ଦାଏର ହୋଇଥିବା ବେଳେ ବାହାଘର ବନ୍ଦ ହୋଇଯିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି।

ବାଲେଶ୍ୱର ଜିଲା ଅଧୀନ ନୀଳଗିରି ସହରରେ ଥିବା ‘ନୀଳଗିରି ସୁଇଟ୍ସ’ ମାଲିକ ତଥା ବରିସାହି ଅଞ୍ଚଳର ଅନ୍ତର୍ୟାମୀ ବେହେରାଙ୍କ ପୁଅ ରାଜୁ ଓରଫ ମନୋଜଙ୍କ ସହ ଆସନ୍ତା ୧୯ତାରିଖରେ ରେମୁଣା ଥାନା ଆରମଳା ଗାଁରେ ଜଣେ ଯୁବତୀଙ୍କ ବାହାଘର ହେବାର ସ୍ଥିର ହୋଇଥିଲା। ଏନେଇ ପୂର୍ବରୁ ନିର୍ବନ୍ଧ କାର୍ୟ୍ୟ ସରି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ୟ୍ୟ ଚାଲୁ ରହିଥିଲା। ତେବେ ନିଜ ବାହାଘର କାର୍ଡ଼ ବାଣ୍ଟିବାକୁ ସମ୍ପୃକ୍ତ ଭାବି ବର ମନୋଜ ଶୁକ୍ରବାର ରାତିରେ ସଜନାଗଡ଼ ନିକଟସ୍ଥ କାଳିଝାଟୀ ଅଞ୍ଚଳରେ କାର୍ଡ଼ ବାଣ୍ଟି ଫେରୁଥିବା ସମୟରେ ସ୍ଥାନୀୟ ତିନିକୋଶିଆ ଜଙ୍ଗଲ ପାଖରେ କୁଆଡ଼େ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ମନୋଜଙ୍କୁ ବ୍ଲେଡ଼ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସେହିପରି ତାଙ୍କୁ ନିସ୍ତୁକ ମାଡ଼ ମାରି ନଗଦ ୫ହଜାର ଟଙ୍କା ଛଡ଼ାଇ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଯିବାବେଳେ ଧମକ ଦେଇଥିଲେ ଯେ, ସେ ଝିଅକୁ ବାହା ହେଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ। ଖବରପାଇ ସ୍ଥାନୀୟଲୋକେ ତାଙ୍କୁ ରାତିରୁ ସେଠାରୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ଆହତ ଯୁବକଙ୍କ ପିତା ନୀଳଗିରି ଥାନାରେ ଏକ ଏତଲା ଦାଏର କରିଥିଲେ।

ଅନ୍ୟପଟେ କନ୍ୟାପିତାଙ୍କ ଅଭିଯାଗ ଅନୁଯାୟୀ,  ଏହି ଘଟଣାକୁ ବରପକ୍ଷର ନାଟକ ବୋଲି କହିବା ସହ ଥାନାରେ ମଧ୍ୟ ଏକ ପାଲଟା ଏତଲା ଦାଏର କରିଛନ୍ତି। କନ୍ୟାପିତାଙ୍କ କହିବା ମୁତାବକ, ଏହି ଘଟଣା ଶୁଣିବା ପରେ ତାଙ୍କ କନ୍ୟା ସମେତ ପରିବାର ଲୋକେ ଭାବିଜ୍ୱା ଇଁଙ୍କୁ ଦେଖା କରିବାକୁ ନୀଳଗିରି ଆସିଥିଲେ ହେଁ ବରପିତା ଏହି ବାହାଘର ହୋଇ ପାରିବନି ବୋଲି ରୋକଠୋକ ମନା କରି ଫେରାଇ ଦେଇଥିଲେ କିନ୍ତୁ ଭାବିଜ୍ୱାଇଁଙ୍କୁ ଦେଖା କରାଇନଥିଲେ। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଯେଉଁମାନେ ତାଙ୍କ ଝିଅର ବାହାଘର ନାଁ ଧରି ତଥା ପ୍ରେମ ବ୍ୟାପାରକୁ ଆକ୍ଷେପ କରି ବ୍ଲେଡ଼ରେ ଆକ୍ରମଣ କରିଲେ ବୋଲି ମନଗଢ଼ା କଥା କହୁଛନ୍ତି, ସେମାନେ ୫ହଜାର ଟଙ୍କା ଛଡ଼ାଇ ନେଲେ କିନ୍ତୁ ଦାମୀ ମୋବାଇଲ କି ଗାଡ଼ି ଛଡ଼ାଇ ନେଲେନି କାହିଁକି। ଏହି ଘଟଣାରେ ପୁଲିସ ପକ୍ଷରୁ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

Comments are closed.