ଦିଲ୍ଲୀରେ ଚୋରି ନୀଳଗିରିରୁ ଗିରଫ

ନୀଳଗିରି: ଦିଲ୍ଲୀର ଜଣେ ଡାକ୍ତରଙ୍କ ଘରୁ କଳାକନା ବୁଲାଇ ୫କୋଟିରୁ ଊର୍ଦ୍ଧ୍ବ ନଗଦ ଟଙ୍କା ସହ ସୁନାଗହଣା ନେଇ ଫେରାର ହୋଇଯାଇଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି। ସମ୍ପ୍ରତି ଦିଲ୍ଲୀ ପୁଲିସ ବାଲେଶ୍ୱର ଜିଲା ଅଧୀନ ନୀଳଗିରିରେ ଡ଼େରା ପକାଇଥିବା ୬୦ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ମିଳିଛି।
ବାଲେଶ୍ୱର ଜିଲା ତଥା ନୀଳଗିରି ଥାନା ଅଧୀନ ଭୀମେଇ ଗାଁର ଜଣେ ଯୁବକ ଦିଲ୍ଲୀର ବସନ୍ତ ବିହାର ଥାନା ଅଞ୍ଚଳରେ କାର୍ୟ୍ୟରତ ଜଣେ ଡାକ୍ତରଙ୍କ ଘରେ କାମ କରିବା ଉଦେଶ୍ୟରେ ୫/୭ଦିନ ପୂର୍ବରୁ ପହଞ୍ଚିଥିଲେ। ସମ୍ପୃକ୍ତ ଡାକ୍ତର ତାଙ୍କୁ ବିଶ୍ୱାସରେ ନେଇ ଘରେ ରଖିଥିଲେ ହେଁ ମାତ୍ର ଦୁଇଦିନ ଭିତରେ ସେ ସେଠାରୁ ନଗଦ ଟଙ୍କା ସହ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ନେଇ ଚମ୍ପଟ ମାରିଥିଲେ। ତେବେ ସେହି ଅଞ୍ଚଳର ଅନ୍ୟ ୩ଜଣ ଯୁବକ ମଧ୍ୟ ସାମିଲ ରହିଥିବା ପୁଲିସସୂତ୍ରରୁ ଜଣାପଡ଼ିଛି। ଏନେଇ ଦିଲ୍ଲୀ ପୁଲିସ ମୋବାଇଲ ଟ୍ରାକ୍ କରି ନୀଳଗିରି ପହଞ୍ଚିବା ପରେ ସ୍ଥାନୀୟ ପୁଲିସର ସହଯୋଗରେ ଈଶ୍ୱରପୁର ଫାଣ୍ଡି ଅଧୀନ ଭୀମେଇ ଗାଁର ରାଜେନ୍ଦ୍ର ମଲିକ (୩୨) ଓରଫ ଟିକିନାକୁ ଗିରଫ କରିବାରେ ସଫଳ ହୋଇଛି। ତଦନ୍ତରେ ବାଧା ଉପୁଜିବା କାରଣରୁ ମୁଖ୍ୟ ଅଭିଯୁକ୍ତ ତଥା ଅନ୍ୟ ସହଯୋଗୀ ଅଭିଯୁକ୍ତଙ୍କ ନାମ ପୁଲିସ ପକ୍ଷରୁ ଗୋପନ ରଖାଯାଇଛି। ତେବେ ଗିରଫ ହୋଇଥିବା ଯୁବକଙ୍କ ସହଯୋଗରେ ୬୦ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ସବଇନ୍ସପେକ୍ଟର ଅମିତ କୁମାରଙ୍କ ସମେତ ଅନ୍ୟ ୨ଜଣ ପୁଲିସ ଅଧିକାରୀ ଏହି ଅପରେସନରେ ସାମିଲ ହୋଇଥିବା ଜଣାଯାଇଛି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି।

Comments are closed.