ଅସତ୍ୟଙ୍କ ମୁହଁରେ ଏବେ ସତ୍ୟବଚନ !

କୁଆଡ଼େ ଘୋର କଳିକାଳ ଚାଲିଛି। ତେଣୁ ସତ୍ୟ ନାଁରେ ଅସତ୍ୟର ରାଜୁତି ଆଜି ପ୍ରାୟତଃ ସବୁଠି। ସତ ବଳି ପଡ଼େ ନିତି ଏଠି ଅସତ୍ୟ ପାଇଁ। ଏଠି ଅସତ୍ୟମାନେ ମାଳ ମାଳ। ତାଙ୍କ ପ୍ରତିପତ୍ତି ପ୍ରବଳ। ସବୁଠି ତାଙ୍କର ଲାଗିରହିଛି ନାହିଁ ନ ଥିବା ଗହଳ ଚହଳ। ଅସତ୍ୟ ଏଠି ଡିଣ୍ଡିମ ପିଟେ ଯେ ସେ ସତ୍ୟର ସୌଦାଗର। ଅସଲକୁ ଥାନ୍ତି ଅସତ୍ୟ ସୌଦାଗର। ମିଛଠି ମୋହର ମାରିବାରେ ଏମାନେ ଧୁରନ୍ଧର। ମିଛ ଆଗେ ସତ ହୁଏ ନାଚାର। ମିଛର ସୌଦାଗର ସବୁଠି କହନ୍ତି ଯେମିତି ସତ୍ୟ ଗିର !
ଚାଲିଛି ଏଠି ସେଠି ସତ ମିଛର ଲୁଚକାଳି ଖେଳ। ମିଛଙ୍କ ସଂଖ୍ୟାଗରିଷ୍ଠତାରେ ସତ ହୁଏ ମିଛ, ଆଉ ମିଛ ସାଜେ ସତ। ମିଛକୁ ସତ ମଣିବା ପାଇଁ ରହିଥାନ୍ତି ବି ଅଗଣନ ସ୍ତାବକ। ମିଛକୁ ଅନ୍ୟ ମୁହଁରେ ସତ ବୋଲି କୁହାଇବା ପାଇଁ ରୀତିମତ ଆପଣାଯାଏ ନୂଆ ନୂଆ କୌଶଳ। କରାଯାଏ ନାନା ଫନ୍ଦିଫିକର। ମିଛକୁ ସତ କହିବା, ପୁଣି ସତ ବୋଲି କୁହାଇବା ପାଇଁ ଅନ୍ଧ ସ୍ତାବକ ବି ଅପେକ୍ଷି ରହିଥାନ୍ତି ଏଠି। ଗୋଟେ ତୁଣ୍ଡରେ ଛେଳି କୁକୁର ବନିବାରେ ଆଜି ବିଚିତ୍ରତା ରହି ନାହିଁ। ମିଛ ପିଠିରେ ମୋହରମରା କାମ ଚାଲିଛି। ଯେଉଁଠି ମିଛୁଆ ମୁଖିଆ ରହନ୍ତି ସେଇଠି ପ୍ରଜା ମିଛୁଆ ଵନିବା ସ୍ୱାଭାବିକ। ମିଛୁଆ ମୁଖିଆଙ୍କୁ ନା କରିବାର ଜୁ ଅଣ୍ଟୁ ନାହିଁ ପଛଳିଆ ପ୍ରଜାଙ୍କ।
ଅଧସ୍ତନ ଅଧିକାରୀଙ୍କ। ଯିଏ ନା / ମନା କଲା ମିଛ କହିବାକୁ / ମିଛକୁ ଅସ୍ବୀକାର କରିବାକୁ, ସିଏ ମଲା। ସେ ମିଛୁଆ ମୁଖିଆଙ୍କ ଟାର୍ଗେଟରେ ରହିବ। ଟାର୍ଗେଟ ହେବ।
ମିଛୁଆଙ୍କ ପ୍ରବଳ ଗହଳ ଚହଳ ଭିତରେ ବି ଏଠି ସତିଆମାନେ ଥାଆନ୍ତି। ହୋଇପାରନ୍ତି ହାତଗଣତି। ସ୍ଥଳ ବିଶେଷରେ କାଁ ଭାଁ । ନଗଣ୍ୟ। ତଥାପି ସତ୍ୟପ୍ରିୟ ସତିଆ ମିଛକୁ ମିଛ କହିବାର ଦୁଃସାହସ କରନ୍ତି। ସତ କହିବାକୁ ପଶ୍ଚାତ୍‌ପଦ ହୁଅନ୍ତିନି। ଯାହାକି ମିଛୁଆ ମୁଖିଆଙ୍କ ଦେହକୁ ଯାଏନି। ସତ୍ୟପ୍ରିୟଙ୍କ ସଦା ସତ୍ୟ ବଚନ ମତେ ମିଛ ମତ -ପଥର ମଣିଷ ସତ ଦେଖାଇ ହେବ କେମିତି ? ଅସତ୍ୟଙ୍କ ମୁହଁରେ ସତ୍ୟ ବଚନ ନୁହେଁ ଜମା ଶୋଭନୀୟ। “ ମୁଖେ ରାମ ନାମ, ଅନ୍ତର ହାରାମ’’ ସ୍ଥିତି ହିଁ ବେଇମାନ। ତଳତଳିଆଙ୍କ ସାହସ କୁଲାଏନି ବୋଲି ବଡ଼ବଡ଼ିଆ ଦେଖାନ୍ତି ଅଯଥା ବଡ଼ପଣିଆ। କରନ୍ତି ହାକିମାତି।
କରିଚାଲନ୍ତି ସତ ନାଁରେ ମିଛ ରାଜନୀତି। ସରକାରୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଇ ନିଅନ୍ତି ମୁଁ କଲି କହି। ମୋ ପାଇଁ ହେଲା। ଅସଲକୁ ହେଉ ହେଉ ଯାହା ହୋଇଯାଏ ଭାଗ୍ୟ ସାହାରାରେ। ସେଇ ହୋଇଯିବା ସ୍ଥିତିରେ “ମୋ ପାଇଁ ହେଲା’’ କୁହାଯିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଅସଲ କଥା ହେଉଛି,ତୁମେ ତ ଖାସ ସରକାରୀ କାମ କରିବାକୁ ରହିଛ। ସେଇଥିପାଇଁ ଦରମାଖିଆ ସାଜିଛ। ପୁଣି ତୁମେ କଲ କ’ଣ ? ଦରମାଖିଆ ଦରମା ଖାଇ କାମ କରନ୍ତି। କାମ କରିବା ପାଇଁ ଥାଆନ୍ତି।
ତଥାପି କହନ୍ତି, ମୁଁ କଲି ମୁଁ କଲି। ମୁଁ ନ ଥିଲେ କ’ଣ ହୋଇଥାନ୍ତା ? ଏମିତି ମିଛ ହିଁ କହନ୍ତି। ସେଇ ମିଛ ରାମ ନାମ ସତ୍ୟ ଭଳି ଯାହା ସତ ଥାଏ। ଜାଣିବା ଲୋକ ଯେ ଠିକ ଜାଣିଥାନ୍ତି ସତ କ’ଣ ?ମିଛ କ’ଣ ?
କେତେକ ଯେମିତି କହନ୍ତି, ମୁଁ କଲି ମୁଁ କଲି। ଆଉ ଥୋକାଏ ଠିକ୍‌ ଧାରା ଧରିଥାନ୍ତି,ମୁଁ ଦେଲି ମୁଁ ଦେଲି। ଏହାକୁ କୁହାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ ବି କରାନ୍ତି ଇ ବ୍ୟାପକ ପ୍ରଚାର ଓ ପ୍ରସାରର ବ୍ୟବସ୍ଥା କରାନ୍ତି। ପବ୍ଲିସିଟି ହୁଏ ଜୋର। ନିଜର ଅଂଶଧନ ନ ଥାଇ ଅନ୍ୟର ଦାନକୁ କେବଳ ନିଜ ହାତରେ ଦେଇ କହିବୁଲନ୍ତି ସେ ଅସଲ ଦାତା। ନେଲାଵାଲା ଗ୍ରହୀତା। ସଭିଏଁ ଦେଖନ୍ତି ଯେତେବେଳେ ସେ ଦେଉଥିବାର, ହେବେନି କେମିତି ସେ ଦାତା? ଦେଉଥିବାର ଦେଖିବାଟା ସତ। ତେଣୁ ଦେଖଣାହାରୀ ଯେ ଦେଖେ ଦେବାର ମାଧ୍ୟମ ସେଇ ବ୍ୟକ୍ତିକୁ, ଦାତା ମଣେ। ଦାତା ବୋଲି ଜାଣେ। ଅସଲ ଦାତା ରହିଥାନ୍ତି ବହୁ ପଛରେ, ଅଦୃଶ୍ୟରେ। ବିଶେଷ କରି ସରକାରୀ ସୁବିଧା ବଣ୍ଟନ କ୍ଷେତ୍ରରେ। ନିଜ ଅର୍ଜିତ ଧନରୁ ଦେଲେ ଦାତା ହୁଅନ୍ତେ। ଯେଉଁଠି ମାଧ୍ୟମ ଦାତା ସାଜନ୍ତି, ଦାତା ବୋଲାନ୍ତି ତାହା ଠିକ ନୁହଁ। ପକେଟରୁ କାଢ଼ି ଦେଇ ଦାତା ହୁଅ, ମନା ନାହିଁ। ଭଲ କଥା ମନେ ହେବ ମଧ୍ୟ। ମାଗି ଆଣି ୟାଠୁ, ତାଠୁ ସେସବୁକୁ ଏକାଠି କରି ଦେବା ପାଇଁ ମାଧ୍ୟମ ସାଜୁଥିବା ଲୋକ ଦାତା ବୋଲାଇବା ଅଠିକ୍‌ କଥା; କିନ୍ତୁ ଏହା ଏଇଠି ହୁଏ। କରାଯାଏ। ନିଜ ପକେଟରୁ ନ ଦେଇ ଦେଲି ବୋଲି କହିବାରେ ସତ୍ୟ ନ ଥାଏ ଜମା। ଯିଏ ନିଜ ପକେଟରୁ ଦିଏ, ସିଏ ଦାତା। ଦେବାର ମାଧ୍ୟମ ସାଜୁଥିବା ବ୍ୟକ୍ତି ଅସଲକୁ ଦାତା ନ ଥାନ୍ତି। ସିଏ ମାଧ୍ୟମ ହିଁ ଥାନ୍ତି। ଏମିତି ମାଳମାଳ ଅସତ୍ୟମାନଙ୍କ ଆଜି ସବୁଠି ଖୁବ ଗହଳ ଚହଳ।
ଦୁର୍ଭାଗ୍ୟର କଥା, ଆଜିର ଦିନରେ ତଥାକଥିତ ସମାଜସେବୀଙ୍କ ସ୍ଥିତି ମଧ୍ୟ ସେମିତି। ଅନ୍ୟଠୁ ଆଣିବେ, ନିଜ ହାତରେ ବଢ଼ାଇ ଦେବେ ଯାହା। ସେଥିରେ ପୁଣି ବାହାବା ନେବେ। ଏହା ଆଜିକାଲି ହେଉଛି। ଅସଲ ସେବା ହେଉଛି ଦୁଷ୍ପ୍ରାପ୍ୟ। ତଥାପି ସେବା ଦିଆଚାଲିଛି।
କିଛି ଭଲ ସଂସ୍ଥା ଭଲ କାମ କରନ୍ତି। ଆଉ ସବୁ ଦରମାଖିଆଙ୍କ ସେବା କଥା ଛାଡ଼। ଭଲ କର୍ମଚାରୀ ବି ଥାଆନ୍ତି। ବହୁ ସମୟରେ ସେବା ଥାଏ ବାସନାରହିତ।
ସେବା ବାସେ ନାହିଁ ଅନେକ କ୍ଷେତ୍ରରେ। ବାସିପାରେ ନାହିଁ ମଧ୍ୟ। ସେଥିପାଇଁ ଯେଉଁ ତ୍ୟାଗ, ଯେଉଁ ନିଷ୍ଠା, ଯେଉଁ ସାଧନା, ଯେଉଁ ଭକ୍ତି, ଯେଉଁ ସମର୍ପଣ ଭାବ ରହିବା କଥା, ସେସବୁ ରହିପାରିନଥାଏ ବୋଲି ସେବାର ଅସଲ ମର୍ଯ୍ୟାଦା ଲଭେ ନାହିଁ। ସେବା ସୀମିତ ରହେ ଲୋକଦେଖଣାହାରୀ ଚିଜ ହୋଇ। ଲୋକ ଦେଖନ୍ତି, ସେବା ଦିଆଚାଲିଛି। ସେଠି ଚାଲିଥିବ ଫଟୋ ଉଠା କାର୍ଯ୍ୟକ୍ରମ। ଆଜିର ସେବାକୁ ଫ​‌େ​‌ଟା ଉଠା ସେବା କହିଲେ କୁହାଗଲେ ବି ଭୁଲ ରହିବ ନାହିଁ। ଏଠି ପୁଣି ସେବା ଦେବା ପାଇଁ ଥିବାଲୋକ ସେବା ପାଇବା ଆଶାୟୀ ଥା’ନ୍ତି । ସେବା ଦେବା ପାଇଁ ଥିବା ଉପର ଲୋକ, ତା’ର ତଳିଆଠୁ ସେବା ପାଇବା ଆଶା ରଖେ, ଠିକ୍‌ ତା ତଳତଳିଆ ତା ତଳତଳିଆଠୁ ସେବା ହାତେଇବା ପାଇଁ ଆଶା ରଖେ, ଯିଏ ଯେତେ ଉପରେ ସିଏ ସମସ୍ତ ତଳିଆଠୁ ସେବା ପାଇବା ଆଶାରେ ରହନ୍ତି।
ସୁତରାଂ, ସେବା ଦେବା ଧାରା / ଧାରଣା କମୁଛି / କମିଛି, ସେବା ପାଇବା ଆଶା ଅସୁମାରୀ ହେଇ ଚାଲିଛି।
ନେତାଙ୍କ କଥା ମଧ୍ୟ ସେମିତି। ଚଉକିରେ ବସିଗଲେ ନେତା ସେବା ଯେତେ ଦିଅନ୍ତିନି, ସେବା ଅଧିକ ପାଆନ୍ତି।
ଚଉକି ଗାଦିନସୀନ ନେତା ସେବା ଏଠି ଖୁବ ପାଆନ୍ତି।
ନାଁଟା ସେବକ। ବରଂ, ସେମାନେ ସେବା ପ୍ରାପକ।
ଯେତେ ରକମର ସେବକ ଏଠି ଥାଆନ୍ତି / ଅଛନ୍ତି, ସେମାନେ ପ୍ରାୟତଃ ଅସତ୍ୟର ସୌଦାଗର । ଯିଏ ଅସଲକୁ ଥା’ନ୍ତି ସତ୍ୟର ସୌଦାଗର, ସେମାନେ ନମସ୍ୟ ନିଶ୍ଚୟ ଅସତ୍ୟ ମୁର୍ଦାବାଦ, ସତ୍ୟର ଜିନ୍ଦାବାଦ ।

ଧ୍ରୁବ ଚରଣ ଘିବେଲା
ବଉଦରାଜ, ବୌଦ୍ଧ
ଦୂରଭାଷ: ୯୪୩୭୪୭୮୪୬୬

Comments are closed.