ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଆୟୋଜନ

ମାସାଚ୍ୟୁଟସ -ଆମେରିକାର ମାସାଚ୍ୟୁଟସ ଠାରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ବାହୁଡା଼ ପର୍ବ, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ନିଉ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିଉ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ନଂ ଶିରିଡ଼ି ୱେ ଠାରେ ଅବସ୍ଥିତ ନିଉ ଇଂଲଣ୍ଡ ଶିରିଡ଼ି ସାଇ ମନ୍ଦିରରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ମୁଖ୍ୟ ପୂଜାରୀ ପବନ ଆଚାର୍ଯ୍ୟଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା। ଏହି ଉତ୍ସବରେ ବୋଷ୍ଟନ, ମାସାଚ୍ୟୁଟସ ତଥା ନିକଟବର୍ତ୍ତୀ ରାଜ୍ୟ ଯଥା ରୋଡସ ଆଇଲ୍ୟାଣ୍ଡ, କନେକ୍ଟିକଟ, ନିଉ ହାମ୍ପସାୟାର ଏବଂ ମେନ ଠାରେ ବସବାସ କରୁଥିବା ପ୍ରାୟ ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନେ ଆସି ଯୋଗ ଦେଇଥିବା ଦେଖାଯାଇଥିଲା। ଏଠାରେ ଅପରାହ୍ନରେ ଦିଅଁ ମାନଙ୍କୁ ପହଣ୍ଡି କରାଯାଇ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ା ତଥା ପିପିଲି ଚାନ୍ଦୁଆରେ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ମନ୍ଦିରର ଟ୍ରଷ୍ଟି ନିରଞ୍ଜନ ସେନାପତିଙ୍କର ତତ୍ତ୍ଵାବଧାନରେ ଆମେରିକୀୟ ବଢେଇ ଏହି ରଠଟିକୁ ନିର୍ମାଣ କରିଥିବା ଜଣାଯାଇଛି। ଉପସ୍ଥିତ ଭକ୍ତମାନେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ଶ୍ରଦ୍ଧାଳୁ ମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ଵନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ର ଗହଗହ ନାଦ ତଥା ଭଜନ, କୀର୍ତ୍ତନ ଏବଂ ଓଡ଼ିଶୀ ନୃତ୍ୟର ମୃଦ୍ୟୁମନ୍ଦ ଝଙ୍କାର ମଧ୍ୟରେ ରଥଟିକୁ ମନ୍ଦିର ବେଢ଼ାର ଚାରିପଟେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟଣାଯାଇ ପୁଣି ସାଇ ମନ୍ଦିର ପରିସରକୁ ଫେରାଇ ଅଣାଯାଇଥିଲା। ମାସାଚ୍ୟୁଟସର ରାଜରାସ୍ତାରେ ରାଜକୀୟ ଢଙ୍ଗରେ ରଥାରୂଢ଼ ଜଗତର ନାଥ ଜଗନ୍ନାଥଙ୍କର ଯାତ୍ରା ଏବଂ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଚକ୍ଷୁ ମିଳନର ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଓ ଅବିସ୍ମରଣୀୟ ଥିଲା। ମନ୍ଦିର ପାର୍ଶ୍ଵକୁ ଫେରିବା ପରେ ଠାକୁର ମାନଙ୍କୁ ରୋଷଣୀ କରାଯାଇ ଭିତରକୁ ନିଆଯାଇ ରତ୍ନସିଂହାସନରେ ଆସୀନ କରାଯାଇଥିଲା। ସନ୍ଧ୍ୟାରେ ଦିଅଁ ମାନଙ୍କୁ ପୁରୀର ସୁନାବେଶ ଶୈଳୀରେ ସଜାଯିବା ପରେ ଆଳତି ଅନୁଷ୍ଠିତ ହୋଇଥିଲା।

ରଥ ଉତ୍ସବରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଚାରି ଦେବତାଙ୍କ ସୁନା ବେଶ ସମୟରେ ଶ୍ୟାମା ଗୁନ୍ଦଳା, ସୁନୀତା ଗୁନ୍ଦଳା, ସୁଧା ମିଶ୍ର, ଦିଲ୍ଲୀପ ପ୍ରଧାନ ଏବଂ ରାଗେଶ୍ୱରୀ ପ୍ରଧାନଙ୍କ ଦ୍ଵାରା ପ୍ରସ୍ତୁତ ସୁମଧୁର ଭଜନ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଏହି ଅବସରରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଜୟଶ୍ରୀ କର ଏବଂ ମୌଲି ପାଲଙ୍କର ଶିକ୍ଷ୍ୟା ମାନଙ୍କଦ୍ୱାରା ପରିବେଷିତ ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟ ଦର୍ଶକ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା। ଉତ୍ସବରେ ଶାସ୍ତ୍ରୀୟ ନୃତ୍ୟ ଏବଂ ଭକ୍ତି ସଙ୍ଗୀତ ପରିବେଷଣ କରି ସେମାନଙ୍କର ଅନନ୍ୟ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିଥିବା କଳାକାରମାନଙ୍କ ମଧ୍ୟରେ ଶ୍ୟାମଳା ବାଙ୍ଗାଲୋର, ଅନୁଶା ମୁକୁନ୍ଦ, ଶ୍ରୁତି ନଞ୍ଜାଗୁଡ଼, ମୀରା ପାଟିଲ, ଜୟନ୍ତୀ ଘଟରାଜୁ, ନିଥିଲା କୃଷ୍ଣକୁମାର, ରୁତା ସିନ୍ଧେ ଏବଂ ଶ୍ରୁତିଲକ୍ଷ୍ମୀ ନାରାୟଣ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସାଂସ୍କୃତିକ ଅଧିବେଶନକୁ ବିଶ୍ଵ ଭୂଷଣ ସାହୁ ଏବଂ ରଶ୍ମି ରଞ୍ଜନ ରଥ ଦକ୍ଷତାର ସହିତ ଉପସ୍ଥାପନା ଓ ସଂଯୋଜନା କରିଥିଲେ। ରଥଯାତ୍ରାର ପ୍ରଧାନ ଆକର୍ଷଣ ପୁରୀର ଆନନ୍ଦବଜାର ଢଙ୍ଗରେ ପ୍ରସ୍ତୁତ ଛପନ ଭୋଗ ଥିଲା। ସୁଜାତା ଧଳଙ୍କର ମାର୍ଗଦର୍ଶନରେ ମନ୍ଦିରର ପାକଶାଳାରେ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବନାଯାଇଥିବା ଏହି ସ୍ଵାଦିଷ୍ଟ ମହାପ୍ରସାଦକୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା।

ସମଗ୍ର ଅୟୋଜନକୁ ସୂଚାରୁ ରୂପେ ସମ୍ପାଦନା ଏବଂ ବ୍ୟାପକ ଭାବେ ସଫଳ କରାଇବାରେ ମୁଖ୍ୟ ସଙ୍ଗଠକ ମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂହ, ନୀଳକଣ୍ଠ ମିଶ୍ର, ସନ୍ଦୀପ କୌସିକ୍, ସୂର୍ଯ୍ୟ କୋଡୁକୁଲା, ଚେନ୍ନା କେଶବ, ନିରଞ୍ଜନ ସେନାପତି, ପ୍ରଦୀପ ଧଳ, ବିଶ୍ଵ ଭୂଷଣ ସାହୁ, ଅରୁଣ ମହାନ୍ତି, ଜୟଶ୍ରୀ ପଟେଲ, କୁମାର ପଟୁଲା, ରାଜେଶ ସିଂହ, ନିଶିକାନ୍ତ ଭଦ୍ର, ଦିଲ୍ଲୀପ ବେହେରା, ସୁଜାତା ଧଳ, ନିଶିକାନ୍ତ ସାହୁ, ବିଜୟ ବଳ, ଅମଲ ଦତ୍ତ ଏବଂ ନଗେନ୍ଦ୍ର ନାଟ୍ଟୀ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

Comments are closed.