ଦିଲ୍ଲୀ ନିଜାମୁଦ୍ଦିନ ସଂକ୍ରମଣ – କଟକରୁ ୧୮ ଓ ବାଲେଶ୍ୱରରୁ ୨ଜଣଙ୍କୁ ଉଠାଇ କ୍ବାରେଣ୍ଟାଇନ୍‌ରେ ରଖିଲା ପୁଲିସ

କଟକ/ବାଲେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଲାଗି ରହିଥିବାବେଳେ ମଙ୍ଗଳବାର ଅପରାହ୍ଣରେ କମିସନରେଟ ପୁଲିସ କଟକ ସହରର ୩ଟି ପରିବାରର ୧୮ଜଣ ସଦସ୍ୟଙ୍କୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଏସ୍‌ସିବି କରୋନା କ୍ବାରେଣ୍ଟାଇନ ୱାର୍ଡରେ ରଖାଯାଇଛି। ସମସ୍ତଙ୍କର ସ୍ବାବ ଏବଂ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ୩ଟି ପରିବାରର ୩ଜଣ ସଦସ୍ୟ ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଏକ ଧର୍ମୀୟ ସଭାରେ ଯୋଗଦେଇ କଟକ ଫେରିଥିଲେ। ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ଧର୍ମୀୟ ସଭାରେ ଯୋଗଦେଇ ସେହି ୩ଜଣ ବ୍ୟକ୍ତି ରାଜ୍ୟ ବାହାରକୁ ଯାଇଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ସୂଚନା ଦେଇ ନ ଥିଲେ କି ସେମାନଙ୍କ ନାମ ପଞ୍ଜୀକରଣ କରି ନ ଥିଲେ।

ନୂଆଦିଲ୍ଲୀରୁ ଆସି ସେମାନେ ପରିବାର ସହ ରହିଥିଲେ। ପଡୋଶୀଙ୍କ ସହିତ ମିଳାମିଶା ବି କରିଥିଲେ। ନିଜାମୁଦ୍ଦିନ ଧର୍ମୀୟ ସଭାରେ ଯୋଗଦେଇଥିବା ଅଧିକାଂଶ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ପ୍ରଘଟ ହେବା ପରେ ଓଡ଼ିଶାର କେଉଁ କେଉଁ ଅଞ୍ଚଳରୁ କେଉଁମାନେ ଏହି ଧର୍ମୀୟ ସଭାରେ ଯୋଗଦେଇଥିଲେ ତାହାକୁ ନେଇ ସରକାର ଖୋଳତାଡ ଆରମ୍ଭ କରିଥିଲେ। କମିସନରେଟ ପୁଲିସ ତଦନ୍ତ କରିବା ପରେ କଟକ ସହରର ୨ଟି ଅଞ୍ଚଳର ୩ଜଣ ବ୍ୟକ୍ତି ଏହି ଧର୍ମୀୟ ସଭାରେ ଯୋଗଦେଇ କଟକ ଫେରିଥିବା ଜଣାପଡିଥିଲା। ମଙ୍ଗଳବାର ଅପରାହ୍ଣରେ କମିସନରେଟ ପୁଲିସ ଘରେ ପହଞ୍ଚି ସମ୍ପୃକ୍ତ ୩ଜଣଙ୍କ ସମେତ ପରିବାର ସଦସ୍ୟଙ୍କୁ ନେଇ ଏସସିବିରେ ଭର୍ତ୍ତି କରିଥିଲା। ଅନ୍ୟ ପକ୍ଷରେ ବାଲେଶ୍ୱରର ମଧ୍ୟ ୨ ଜଣଙ୍କୁ କ୍ବାରେଣ୍ଟାଇନରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Comments are closed.