ଆଜିଠୁ ୨୦ ଜିଲାରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ସାନ୍ଧ୍ୟଆଇନ

ଛତିଶଗଡ଼ ଦେଇ ଆସୁଥିବା ୧୮ରେଳକୁ ୧୫ ଦିନ ବାତିଲ ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢୁଛି ସଂକ୍ରମଣ। ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର କଟକଣାକୁ କଡାକଡି କରୁଛନ୍ତି। ଆଜିଠାରୁ ରାଜ୍ୟବ୍ୟାପୀ ରାତିକାଳୀନ ସାନ୍ଧ୍ୟଆଇନ ୧୦ଟି ଜିଲାରେ ପରିବର୍ତ୍ତିତ ସମୟରେ ଓ ୨୦ଟି ଜିଲାରେ ପୁଣିଥରେ ଆରମ୍ଭ ହେଉଛି। ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ଜିଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପୂର୍ବରୁ ସାନ୍ଧ୍ୟ ଆଇନ(ନାଇଟ୍‌ କର୍ଫ୍ୟୁ) ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଥିବାବେଳେ ଶନିବାରଠାରୁ ଏହା ସନ୍ଧ୍ୟା ୬ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାବାଦ୍ ଏହି ୧୦ଟି ଜିଲାରେ ପ୍ରତି ଶନିବାର ଓ ରବିବାର ଦୁଇଦିନ ସାପ୍ତାହିକ ବନ୍ଦ (ସଟ୍‌ ଡାଉନ୍‌) କରାଯିବ। ସେହିଭଳି ଅବଶିଷ୍ଟ ୨୦ ଜିଲାରେ ଶନିବାର (୧୭ ତାରିଖ)ଠାରୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାନ୍ଧ୍ୟଆଇନ ଲାଗୁ କରାଯିବ। ତେବେ ଏହି ୨୦ଟି ଜିଲାରେ ଏବେ ସପ୍ତାହାନ୍ତ ବନ୍ଦ (ସଟ୍‌ ଡାଉନ୍‌) ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ରାତିକାଳୀନ କଟକଣା ସମୟରେ କେବଳ ଜରୁରୀ
ସେବା ଓ ଅନ୍ୟାନ୍ୟ ପରିବହନକୁ ଅନୁମତି ଦିଆଯାଇଛି।
ରାଜ୍ୟ‌େ‌ର କରୋନା ମହାମାରୀ ଏବେ ଧୀରେ ଧୀରେ ଗୁରୁତର ରୂପ ଧାରଣ କରୁଛି। ଦୈନିକ ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିଚାଲିଛି। ଗତବର୍ଷ ଭଳି ଏଥର ମଧ୍ୟ ଅନୁରୂପ ଅବସ୍ଥା ଉପୁଜିବାକୁ ଯାଉଛି। ମହାମାରୀକୁ ପରାହତ କରିବା ପାଇଁ ବନ୍ଦ, ସାନ୍ଧ୍ୟ ଆଇନ ଭଳି କଠୋର କଟକଣା ଲାଗୁ ସହ ଚଢ଼ଉକୁ ଜୋରଦାର କରାଯାଇଛି। ଏସବୁ ସତ୍ତ୍ବେ ସଂକ୍ରମଣ ବଢିଚାଲିଛି। ରାଜ୍ୟରେ ଆଜି ୩୧୦୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୧ ହଜାର ୪୫୦କୁ ଛୁଇଁଛି। ଏଥିରେ ସଙ୍ଗରୋଧରୁ ୧୮୦୬ ଏବଂ ସ୍ଥାନୀୟ ସଂଯୋଗରୁ ୧୩୦୨ ଆକ୍ରାନ୍ତ ବାହାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରେ ୫୩୪ ଓ ସୁନ୍ଦରଗଡ଼ରେ ୫୨୩ ଆକ୍ରାନ୍ତ ବାହାରିଛନ୍ତି। ଫଳରେ ଖୋର୍ଦ୍ଧାରେ ମୋଟ ସକ୍ରିୟଙ୍କ ସଂଖ୍ୟା ୨୫୧୩ ଏବଂ ସୁନ୍ଦରଗଡ଼ରେ ୩୨୯୫କୁ ଛୁଇଁଛି। ଏହାବାଦ୍ ଆଜି କଟକରେ ୧୬୩, ନବରଙ୍ଗପୁରରେ ୧୫୬, ସମ୍ବଲପୁରରେ ୧୫୩, ବାଲେଶ୍ବରରେ ୧୫୧, ନୂଆପଡାରେ ୧୪୦, ବଲାଙ୍ଗୀରରେ ୧୩୩, ବରଗଡ଼ରେ ୧୩୨, ପୁରୀରେ ୧୧୪, କେନ୍ଦୁଝରରେ ୧୦୫, ଝାରସୁଗୁଡାରେ ୮୯, ଯାଜପୁରରେ ୭୫,ମୟୂରଭଞ୍ଜରେ ୭୧ ଗଞ୍ଜାମ ଓ କଳାହାଣ୍ଡିରେ ୫୫ ଲେଖାଏଁ, ଭଦ୍ରକରେ ୫୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ ଜିଲାରେ ୫୦ ତଳକୁ ଆକ୍ରାନ୍ତ ବାହାରିଛନ୍ତି। ଆଜିର ଆକ୍ରାନ୍ତଙ୍କୁ ନେଇ ରାଜ୍ୟରେ ସକ୍ରିୟଙ୍କ ସଂଖ୍ୟା ୧୬ହଜାର ୮୮୯ରେ ପହଞ୍ଚିଛି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୩ଜଣଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର, ଗଞ୍ଜାମ ଓ ସମ୍ବଲପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟର ସଂଖ୍ୟା ୧୯୩୮କୁ ଛୁଇଁଛି। ଦିନକୁ ଦିନ କରୋନା ଜନିତ ମୃତ୍ୟୁ ବଢ଼ୁଥିବାରୁ ରାଜ୍ୟବାସୀଙ୍କ ଚିନ୍ତା ବଢ଼ି ଯାଇଛି।
କରୋନାର ହଟ୍‌ସ୍ପଟ୍‌ ପାଲଟିଥିବା ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଓଡ଼ିଶାକୁ ନିୟମିତ ଟ୍ରେନ୍ ଯାତାୟାତ ଫଳ‌େ‌ର ଓଡ଼ିଶାର ସୀମାବର୍ତ୍ତୀ ଜିଲା ଗୁଡିକରେ ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତମାସ ୯ରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ବେଳେ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କୁ ଛତିଶଗଡ଼ ଦେଇ ଚଳାଚଳ କରୁଥିବା ୧୮ଟି ସ୍ବତନ୍ତ୍ର ଟ୍ରେନକୁ ଆସନ୍ତା ୧୫ଦିନ ପାଇଁ ବାତିଲ କରିବାକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପତ୍ର ଲେଖି ଅନୁରୋଧ କରିଛନ୍ତି। ସଂପ୍ରତି ୧୮ଟି ଟ୍ରେନ୍ ଛତିଶଗଡରୁ ଓଡ଼ିଶାକୁ ଆସୁଛି। ସଂକ୍ରମିତ ରାଜ୍ୟରୁ ପ୍ରତିଦିନ ଶତାଧିକ ଯାତ୍ରୀ ଓଡ଼ିଶାକୁ ଆସିବା ଦ୍ବାରା ରାଜ୍ୟରେ ସଂକ୍ରମଣ ବଢ଼ୁଛି। ଏହାକୁ ଦୃ‌ଷ୍ଟିରେ ରଖି ଆସନ୍ତା ୧୫ଦିନ ପାଇଁ ଉକ୍ତ ଟ୍ରେନ୍ ବନ୍ଦ କରିବାକୁ ଶ୍ରୀ ମହାପାତ୍ର ପତ୍ରରେ ଦର୍ଶାଇଛନ୍ତି।

Comments
Loading...