ଆଜି ଠାରୁ ରାତ୍ରି କର୍ଫ୍ୟୁ, ସଂକ୍ରମିତଙ୍କ ସଂଖ୍ୟା ଶହେ ଡେଇଁଲା

ମୁକ୍ତିଲାଭ କଲା କରୋନା ସମ୍ପର୍କୀତ ଫିଲ୍ମ ‘ତର୍କି ଥ’ , -ଦୋକାନ ସିଲ୍, ଜୋରିମାନା ଆଦାୟ

ବଲାଙ୍ଗିର : ପୁଣି ଥରେ କରୋନା କୟା ବିସ୍ତାର କରୁଛି। ଧୀରେ ଧୀରେ ବଲାଙ୍ଗିର ଜିଲାରେ କରୋନା କାୟା ବିସ୍ତାର କରୁଥିବା ବେଳେ ସୋମବାରରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛି ଜିଲା ପ୍ରଶାସନ। କରୋନାକୁ ନେଇ କଟକଣା ଜାରି ହେଲାଣି। ଏବେ ମିଳିତ ଭାବେ ପ୍ରଶାସନ ଓ ପୁଲିସ୍ ମାସ୍କ ପରିଧାନ, ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ସଚେତନ ଆରମ୍ଭ କରିଦେଇଛନ୍ତି।

ବଲାଙ୍ଗିର ଜିଲା। ମାର୍ଚ୍ଚ ମାସ ୧୧ ତାରିଖ। କରୋନା ସଂକ୍ରମିତଙ୍କ ସଂଖ୍ୟା କେବଳ ଜଣେ ମାତ୍ର ଥିଲେ। ଏହା ପରେ ୩କୁ ବୃଦ୍ଧି ପାଇଥିଲା। ମାର୍ଚ୍ଚ ୨୪ ବେଳକୁ ୩୦ରେ ପହଞ୍ଚିଥିଲା। ଏହାର ସପ୍ତାହେ ପରେ ୩୦ରୁ ବୃଦ୍ଧି ପାଇ ୭୯କୁ ପହଞ୍ଚିଥିଲା। ହେଲେ ଏପ୍ରିଲ ପ୍ରଥମ ସପ୍ତାହରେ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୮ରେ ସଂଖ୍ୟା ପହଞ୍ଚିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ହୋଇଛି। କୋଭିଡ କେୟାର ସେଣ୍ଟର ବନ୍ଦ କରି ଦିଆଯାଇଥିବା ବେଳେ ପୁନଃ କାର୍ଯ୍ୟକ୍ଷମ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି। ଗଲା ଏପ୍ରିଲ ୨ ତାରିଖ ଦିନ ବଲାଙ୍ଗିର ଜିଲା ପାଇଁ କୋଭିଡ ଅବଜରଭର ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଜିଲାଗସ୍ତରେ ଆସିଥିଲେ। ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାର ପ୍ରଶାସନିକ ଭବନ ଠାରେ ସମୀକ୍ଷା କରିବା ସହ କୋଭିଡ ଗାଇଡ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଓ ଏସପି ନିତିନ କୁଶଲକର ଉଭୟ ସାମାଜିକ ଗଣମାଧ୍ୟମରେ କୋଭିଡ ବୁଲେଟିନ ପଢିବା ସହ କଟକଣା ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଜିଲାର ବିଭିନ୍ନ ସ୍ଥିତିକୁ ଆଖି ଆଗରେ ରଖି ଦରକାର ପଡିଲେ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡିକ ଘେରାବନ୍ଦୀ କରାଯିବ ବୋଲି ଏସପି କୁଶଲକର ସୂଚନା ଦେଇଛନ୍ତି। ଅନ୍ୟପଟେ ଗତକାଲି ମାସ୍କ ପିନ୍ଧି ନଥିବାରୁ ୪୨ ହଜାର ଜୋରିମାନା ହୋଇଥିଲା। ଆଜି ତହସିଲଦାର ମଘବାନ ବାଗ, ଟାଉନ୍ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଟିମ୍ ଗୋପାଳଜୀ ରୋଡରେ ଥିବା ଦୁଇଟି ଦୋକାନରୁ ୫ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଥିବା ବେଳେ ବିକାଶ ହାର୍ଡୱେର ଷ୍ଟୋରକୁ ସିଲ୍ କରିଦେଇଥିବା ଜଣାପଡିଛି।

ଅନ୍ୟପକ୍ଷରେ କରୋନାକୁ ନେଇ ଏକ ଫିଲ୍ମ ମୁକ୍ତିଲାଭ କରିଛି। ବଲାଙ୍ଗିର କୀର୍ତ୍ତି ଭିଡିଓ ଭିଜନ ଦ୍ୱାରା ପ୍ରସ୍ତୁତ କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ତର୍କି ଥ’ ମୁକ୍ତିଲାଭ କରିଛି। ଏଥିରେ ଏକ ଗାଁରେ କରୋନା କଟକଣା ଚିତ୍ରକୁ ଦେଖାଯାଇଛି। ପେଟପାଟଣା ପାଇଁ ଏକ ପରିବାର ଗାଁ ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଫେରିବା ପରେ ଗାଁ ଲୋକଙ୍କ ପ୍ରତିକ୍ରିୟାକୁ ଚିତ୍ରଣ କରାଯାଇଛି। ପ୍ରଯୋଜନା ତଥା ନିର୍ଦ୍ଦେଶକ ଦାୟିତ୍ୱ ଗିରିଧାରୀ ଥପ୍ପା ନିର୍ବାହ କରିଥିବା ବେଳେ କାହାଣୀକୁ ଶାନ୍ତନୁ ପୁରୋହିତ ଓ ଅଷ୍ଟମୀ ବଗର୍ତ୍ତୀ ଲେଖିଛନ୍ତି। ଡିଓପି ଦାୟିତ୍ୱରେ କୀର୍ତ୍ତିଚନ୍ଦ୍ର ଗହୀର ଓ ସହକାରୀ କ୍ୟାମେରା ବିରଞ୍ଚି ଗହୀର ଓ ସଙ୍ଗୀତ ସଂକୀର୍ତ୍ତନ ବରିହା ଦେଇଛନ୍ତି। କଳାକାରମାନଙ୍କ ମଧ୍ୟରେ ସୌମେନ୍ଦ୍ର ପଟ୍ଟନାୟକ,ଆନନ୍ଦ ଠେଳା,ମୁଦିନୀ,ଅଷ୍ଟମୀ,ଚିନ୍ମୟୀ,ଦେବାଶିଷ,ଯୋଶବନ୍ତ,ଲୋପାମୁଦ୍ରା ପ୍ରମୁଖ ଅଭିନୟ କରିଛନ୍ତି।

୮ ନୂଆ ସଂକ୍ରମିତ, ସଭାସମିତି ବନ୍ଦ ନିର୍ଦ୍ଦେଶ
ସେହିପରି ଟିଟିଲାଗଡ ପୌରାଞ୍ଚଳରେ ଦୈନନ୍ଦିନ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସୋମବାର ବିଭିନ୍ନ ୱାର୍ଡରୁ ସର୍ବାଧିକ ୮ ଜଣ ଚିହ୍ନଟ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ପରୀକ୍ଷାରେ ହ୍ରାସ ନେଇ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁନଥିବା ଆଲୋଚନା ହୋଇଛି। ନିୟମିତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଥିବା ବେଳେ ଉପ-ଜିଲାପାଳ ସୋମେଶ ଉପାଧ୍ୟାୟ ଏନେଇ ସୋମବାର ନୂତନ ଗାଇଡଲାଇନ ଜାରି କରିଛନ୍ତି। ସମସ୍ତ ସଭାସମିତି, ପ୍ରଦର୍ଶନ, ଗୋଷ୍ଠୀଗତ ଉତ୍ସବ ପାଳନ ଆଦିକୁ ବାରଣ କରାଯାଇଛି। ପାର୍କ ଓ ଅନ୍ୟ ମନୋରଞ୍ଜନ ସ୍ଥଳ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରତିଷ୍ଠାନ ତଥା ହୋଟେଲ, ମଳ ଆଦିରେ ବିନା ମାସ୍କରେ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି। ମାସ୍କ ନିୟମକୁ କଡାକଡି କରି ସହ ସର୍ବୋଚ୍ଚ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା କରାଯାଇଛି। ଅପରପକ୍ଷରେ ଜିଲା ପ୍ରଶାସନ ଦ୍ୱାରା ଜାରି ନାଇଟ କର୍ଫ୍ୟୁ ଆଜି ଠାରୁ ଲାଗୁ ହେଉଥିବା ବେଳେ ଜରୁରି କାମ ବିନା କେହି ପଦାକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି।

Comments are closed.