ନିଦା ଖାନ୍‍ଙ୍କ ତିନି ତଲାକ୍‍ ରଦ୍ଦ

0

ଲକ୍ଷ୍ନୌ : ତତ୍କାଳ ତିନି ତଲାକ୍‍ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରି ଚର୍ଚ୍ଚାକୁ ଆସିଥିବା ନିଦା ଖାନ୍‍ଙ୍କୁ ବୁଧବାର ବଡ଼ଧରଣର ସଫଳତା ମିଳିଛି। ତିନି ତଲାକ୍‍ ଦ୍ୱାରା ତାଙ୍କ ବିବାହ ବିଚ୍ଛେଦକୁ ବରେଲିର ଏକ କୋର୍ଟ ରଦ୍ଦ କରିଛନ୍ତି। ଏଥିସହ ନିଦାଙ୍କ ସ୍ୱାମୀ ଶିରାନଙ୍କ ବିରୋଧରେ ଘରୋଇ ହିଂସା ମାମଲା ଚଳାଇବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ନିଦାଙ୍କ ଦ୍ୱାରା ରୁଜୁ ଘରୋଇ ହିଂସା ମାମଲା ଉପରେ ରହିତାଦେଶ ଲାଗୁ ନିମନ୍ତେ ଶିରାନ୍‍ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଘରୋଇ ହିଂସା ମାମଲାରେ ଶିରାନଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ବିରୋଧରେ ତଦନ୍ତ କରିବାକୁ କୋର୍ଟ ଅଧିକାରୀମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ହେବ।
ବରେଲିର ଦର୍‍ଘା-ଇ ଆଲ୍ଲାହଜରତ୍‍ ପରିବାରର ଉସ୍‍ମାନ ରାଜା ଖାନ୍‍ ଓରଫ ଅଞ୍ଜୁ ମିଆଁ ଶିରାନଙ୍କ ସହିତ ନିଦାଙ୍କ ବିବାହ ୨୦୧୫ରେ ଅନୁଷ୍ଠିତ ହୋଇଥିଲା। ମାତ୍ର ୨୦୧୬ରେ ଶିରାନ ବିବାହ ବିଚ୍ଛେଦ ଘଟାଇଥିଲେ। ଏହା ପରଠାରୁ ନିଦା ଏକ ଅଣ-ସରକାରୀ ସଂସ୍ଥା ମାଧ୍ୟମରେ ମୁସଲମାନ ମହିଳାଙ୍କ ଅଧିକାର ପାଇଁ ଲଢି ଆସୁଛନ୍ତି। ନିଦା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ସ୍ୱାମୀ ଶିରାନ୍‍ ପୁନର୍ବାର ପତ୍ନୀ ଭାବେ ଗ୍ରହଣ କରିବା ଲାଗି ତାଙ୍କୁ ‘ନିକାହ ହଲାଲା’ ପାଳନ କରିବାକୁ ବାଧ୍ୟ କରିଥିଲେ। ଏହି ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ନିଦା ୨୦୧୭ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ତିନି ତଲାକକୁ ବିରୋଧ କରିଆସୁଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ତିନି ତଲାକ ବିଲ୍‍ରେ ତତ୍କାଳ ବିବାହ ବିଚ୍ଛେଦ ଘଟାଉଥିବା ମୁସଲମାନ ପୁରୁଷଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି। ନିକାହ ହଲାଲା ବିରୋଧୀ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳିତ ଏହି ଦୁଇଟି ବ୍ୟବସ୍ଥାକୁ ବିରୋଧ କରି ନିଦା ମୁସଲମାନ ମୌଲବିଙ୍କ ଚକ୍ଷୁଶୂଳ ପାଲଟିଛନ୍ତି। ମୌଲବିମାନେ ତାଙ୍କ ବିରୋଧରେ ଫତୱା ଜାରି କରିବା ସହିତ କ୍ଷମାପ୍ରାର୍ଥନା ଦାବି କରିଛନ୍ତି। ଏହାସତ୍ତ୍ବେ ନିଦା ସଂକଳ୍ପରେ ଅଟଳ ରହି ତାଙ୍କ ଅଭିଯାନ ଜାରି ରଖିଛନ୍ତି। ନିଦାଙ୍କ ବିରୋଧରେ ଫତୱା ଜାରି କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ସଂଖ୍ୟାଲଘୁ ଆୟୋଗ ପକ୍ଷରୁ ଦାବି କରାଯାଇଛି।

Leave A Reply