ଶ୍ରୀଲଙ୍କା ବିସ୍ଫୋରଣରେ ଆଇଏସ ଲିଙ୍କ; କୋଏମ୍ବାଟୁରର ୭ ସ୍ଥାନରେ ଏନଆଇଏର ଚଢ଼ାଉ

କୋଏମ୍ବାଟୁର: ଶ୍ରୀଲଙ୍କା ଇଷ୍ଟର ବିସ୍ଫୋରଣ ପାଇଁ ଆଇଏସ(ଇସଲାମିକ ଷ୍ଟେଟ୍‌) ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ତେବେ ଭାରତରେ ରହି ଆଇଏସକୁ ସମର୍ଥନ କରୁଥିବା କେତେଜଣ ଆତଙ୍କବାଦୀ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କୋଏମ୍ବାଟୁରର ୭ଟି ସ୍ଥାନରେ ବୁଧବାର ଚଢ଼ାଉ କରିଛି। ଅଝାରୁଦ୍ଦିନ, ସଦ୍ଦାମ ଆକବର ଏବଂ ଆବୁ ବାକର ସିଦ୍ଦିକୀ ନାମକ ୩ ବ୍ୟକ୍ତି ଏନଆଇଏ ସ୍କାନରରେ ରହିଥିଲେ। ଶ୍ରୀଲଙ୍କା ବିସ୍ଫୋରଣରେ ଏମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ବୁଧବାର ଏମାନଙ୍କ ବାସଭବନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଗତମାସରେ ଏନଆଇଏ ପକ୍ଷରୁ ତାମିଲନାଡୁର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଆଇଏସକୁ ସମର୍ଥନ କରୁଥିବା  ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ଉପରୋକ୍ତ ୩ ଅଭିଯୁକ୍ତ ଆଇଏସକୁ ସମର୍ଥନ କରି ଦେଶ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ରହିଥିଲା। ଏହା ସହିତ ଏମାନେ ଭାରତୀୟ ଜେଲରେ ରହିଥିବା ଆଇଏସ ଆତଙ୍କବାଦୀମାନଙ୍କୁ ସହାୟତା କରୁଥିଲେ। ଶ୍ରୀଲଙ୍କା ବିସ୍ଫୋରଣରେ ଆଇଏସ ଆତଙ୍କବାଦୀମାନଙ୍କୁ ଏମାନେ ସହଯୋଗ କରିଥିବା ସନ୍ଦେହ କରାଯାଉଛି। କାରଣ ଭାରତୀୟ ଗୋଇନ୍ଦା ସଂସ୍ଥା ଏମାନଙ୍କ ଗତିବିଧିଙ୍କୁ ଆଧାର କରି ଶ୍ରୀଲଙ୍କାକୁ ଆକ୍ରମଣ ସମ୍ପର୍କରେ ବହୁ ପୂର୍ବରୁ ସତର୍କ କରାଇଥିଲା। ପିଏଫଆଇ ଛତ୍ରଛାୟା ତଳେ ରହି ଆଇଏସର ସ୍ଲିପର ସେଲ ତାମିଲନାଡୁରେ କାର୍ଯ୍ୟ କରୁଥିବା ଏନଆଇଏ ପୂର୍ବରୁ ସ୍ପଷ୍ଟ କରିସାରିଛି।

Comments are closed.