ଭାରତରେ ସକ୍ରିୟ ଲଶ୍କର ଆତଙ୍କବାଦୀଙ୍କୁ ଦୁବାଇରୁ ପାଣ୍ଠି ଯୋଗାଣ; ବିମାନ ଟିକେଟ ବୁକିଂ କଲ୍‌ରୁ ଏନଆଇଏକୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଭାରତରେ ସକ୍ରିୟ ଥିବା ଲଶ୍କର-ଏ-ତଇବା ଆତଙ୍କବାଦୀ ସଂଗଠନକୁ ଦୁବାଇରୁ ପାଣ୍ଠି ମିଳୁଛି। ଦୁବାଇରେ ରହୁଥିବା ପାକିସ୍ତାନୀ ନାଗରିକ ମହମ୍ମଦ କମରାନଙ୍କ ଜରିଆରେ ଲଶ୍କର ମୁଖ୍ୟ ହଫିଜ ମହମ୍ମଦ ସୟିଦ ଏବଂ ଫଲାହ-ଇ-ଇନସାନିୟତ ଫାଉଣ୍ଡେଶନ(ଏଫଆଇଏଫ)ର ଡେପୁଟି ଚିଫ୍‌ ସହିତ ମେହମ୍ମୁଦ ଏହି ପାଣ୍ଠି ଯୋଗାଉଛନ୍ତି। ଭାରତରେ ଲଶ୍କର ଆତଙ୍କୀଙ୍କ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଣ କାର୍ଯ୍ୟର ମୁଖ୍ୟ ହେଉଛନ୍ତି କମରାନ। ପୂର୍ବରୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ହାତରେ ଏହାର ସୁରାକ ଲାଗିଥିବାବେଳେ ଏବେ କମରାନଙ୍କ ଏକ ଫୋନ କଲ୍‌ରୁ ଏନଆଇଏକୁ ପ୍ରମାଣ ମିଳିଛି।

୨ ସପ୍ତାହ ତଳେ ଏନଆଇଏ କମରାନଙ୍କ ସମେତ ଦିଲ୍ଲୀର ମହମ୍ମଦ ସଲମାନ ଏବଂ ରାଜସ୍ଥାନର ମହମ୍ମଦ ସଲିମଙ୍କ ବିରୋଧରେ ଏକ ଚାର୍ଜଶିଟ ଦାଖଲ କରିଥିଲା। ଉଭୟଙ୍କୁ ଗତବର୍ଷ ସେପ୍ଟେମ୍ବରରେ ଏନଆଇଏ ଗିରଫ କରିଥିଲା। ଏମାନେ ଭାରତରେ ଲଶ୍କର ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ପରିଚାଳନା କରୁଥିବା ନେଇ ଏନଆଇଏକୁ ସୁରାକ ମିଳିଥିଲା। ସଲମାନଙ୍କୁ ଦୁବାଇରୁ ପାଣ୍ଠି ମିଳିବା ସହ ତାହା କେଉଁଠାକୁ ପହଞ୍ଚାଯିବ ସେନେଇ ମଧ୍ୟ ନିର୍ଦେଶ ମିଳୁଥିଲା। କମରାନ ଏହି ଅର୍ଥ ପଠାଉଥିଲେ। ନିଜାମୁଦ୍ଦିନ ଅଞ୍ଚଳରେ ରହୁଥିବା ସଲମାନ ହାୱଲା ଜରିଆରେ କମରାନଙ୍କଠାରୁ ୫୭ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ। କିନ୍ତୁ ପାଣ୍ଠି ଯୋଗାଣରେ କମରାନଙ୍କ ସମ୍ପୃକ୍ତିକୁ ପ୍ରମାଣିତ କରିବା ଲାଗି ଏନଆଇଏ ତଦନ୍ତ ଜାରି ରଖିଥିଲା। ଗତ ଜାନୁୟାରୀରେ ଏନଆଇଏ ଗୁଜରାଟରେ ଥିବା କମରାନଙ୍କ ଜଣେ ସହଯୋଗୀ ଆରିଫ ଘୁଲମସିର ଧରମପୁରିଆଙ୍କ ଘରୁ କିଛି ସିଡୀ ଜବତ କରିଥିଲା। ଉକ୍ତ ସିଡୀରେ କମରାନ ଏବଂ ଏଫଆଇଏଫର ଡେପୁଟି ଚିଫ୍‌ ମେହମ୍ମୁଦଙ୍କ ବାର୍ତ୍ତାଳାପର ଭଏସ ରେକର୍ଡ ଥିଲା। ସେହିପରି ୟୁ ଟ୍ୟୁବ୍‌ରୁ ଏନଆଇଏ ମେହମ୍ମୁଦଙ୍କ ଏକ ଇଣ୍ଟର୍ଭ୍ୟୁର ବର୍ତ୍ତାଳାପ ସଂଗ୍ରହ କରିଥିଲା।

ନିକଟରେ କମରାନ ଦୁବାଇର ଏମିରେଟ୍‌ସ ଏୟାରଲାଇନ୍ସରେ ଟିକେକ ବୁକିଂ ପାଇଁ ଫୋନ କରିଥିଲେ। ଏନଆଇଏ ଏମିରେଟ୍ସ ଏୟାରଲାଇନ୍ସର ଆଇଭିଆର(ଇଣ୍ଟରାକ୍ଟିଭ ଭଏସ ରେସପନ୍ସ) ସିଷ୍ଟମ ଜରିଆରେ କମରାନଙ୍କ ଫୋନ କଲ୍‌ର ବାର୍ତ୍ତାଳାପ ସଂଗ୍ରହ କରିଥିଲା। ଏହି ବାର୍ତ୍ତାଳାପକୁ ପୂର୍ବରୁ ଜବତ ହୋଇଥିବା ସିଡୀରେ ଥିବା ବାର୍ତ୍ତାଳାପର ଭଏସ ରେକର୍ଡ ସହ ମ୍ୟାଚ କରାଯାଇଥିଲା। ଉଭୟ ବାର୍ତ୍ତାଳାପ ମେଳ ଖାଉଥିବା ଏନଆଇଏ ସ୍ପଷ୍ଟ କରିଛି। ସେହିପରି ସିଡୀରେ ଥିବା ମେହମ୍ମୁଦଙ୍କ ବାର୍ତ୍ତାଳାପର ସ୍ବର ସହିତ ୟୁଟ୍ୟୁବରୁ ସଂଗୃହୀତ ମେହମ୍ମୁଦଙ୍କ ଇଣ୍ଟର୍ଭ୍ୟୁର ବାର୍ତ୍ତାଳାପ ମ୍ୟାଚ୍‌ ହୋଇଥିଲା।

Comments are closed.