ବୁରହାନ୍‍ଙ୍କ ମୃତ୍ୟୁପରେ କାଶ୍ମୀରରେ ଅସ୍ଥିରତା ସୃଷ୍ଟିପାଇଁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର; ଗିଲାନିଙ୍କ ଜ୍ୱାଇଁଙ୍କୁ ୫ କୋଟି ଟଙ୍କା ଲାଞ୍ଚ ଦେଇଥିଲେ ପିଡିପି ନେତା

ଏନ୍‍ଆଇଏର ବଡ ଖୁଲାସା

ନୂଆଦିଲ୍ଲୀ: ୨୦୧୬ରେ ହିଜବୁଲ ମୁଜାହିଦ୍ଦିନର ପୋଷ୍ଟର ବୟ ବୁରହାନ୍‍ ୱାନିଙ୍କ ମୃତ୍ୟୁପରେ କାଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ କରାଯାଇଥିଲା ଏକ ବଡ ଷଡ଼ଯନ୍ତ୍ର। ଏହି ଷଡ଼ଯନ୍ତ୍ରରେ ପିଡିପି (ପିପୁଲ୍ସ ଡେମୋକ୍ରାଟିକ ପାର୍ଟି) ସାମିଲ ଅଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହା ପ୍ରକାଶ କରିଛି। ଏହି ମାମଲାର ତଦନ୍ତ କରୁଥିବା ଏନ୍‍ଆଇଏ ତାହାର ଅଭିଯୋଗରେ ଦର୍ଶାଇଛି, ପିଡିପିର ଯୁବନେତା ୱହିଦ-ଉର୍‍-ରହମନ ପାରା କଠୋରପନ୍ଥୀ ହୁରିୟାତ୍‍ କନ୍‍ଫରେନ୍ସ ନେତା ସୟଦ ଅଲି ଶାହ ଗିଲାନିଙ୍କ ଜ୍ୱାଇଁଙ୍କୁ ୫କୋଟି ଟଙ୍କା ଦେଇ କାଶ୍ମୀରରେ ଅସ୍ଥିରତା ପରିସ୍ଥିତି ବଳବତ୍ତର ରଖିବାକୁ କହିଥିଲେ। ଜାମ୍ମୁର ଏକ ସ୍ୱତନ୍ତ୍ର ଅଦାଲତରେ ନିକଟରେ ଏନଆଇଏ ପକ୍ଷରୁ ଦାଖଲ କରାଯାଇଥିବା ଏକ ସ୍ୱତନ୍ତ୍ର ଅଭିଯୋଗ ଫର୍ଦ୍ଦରେ ଏହି ଗୁରୁତର ଷଡ଼ଯନ୍ତ୍ର ସଂପର୍କରେ ଉଲ୍ଲେଖ କରାଯାଇଛି।
ଅଭିଯୋଗ ଫର୍ଦ୍ଦରେ କୁହାଯାଇଛି ଯେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଇ-ତଇବା ସହିତ ପାରା ସଂପୃକ୍ତ ଥିଲେ। ସୂଚନାଯୋଗ୍ୟ ଯେ ପାରାଙ୍କୁ ଗତବର୍ଷ ନଭେମ୍ବରରେ ଗିରଫ କରାଯାଇଥିଲା। ଏଥିରେ ଏନ୍‍ଆଇଏ କହିଛି, ୨୦୧୬ ଜୁଲାଇରେ ସେନା ସହିତ ଗୁଳି ବିନିମୟରେ ୱାନିଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ପାରା, ଅଲତାଫ ଅହମଦ ଶାହା ଓରଫ ଅଲ୍‍ତାଫ ଫନ୍‍ତୁଶଙ୍କ ସହିତ ସଂପର୍କ ସ୍ଥାପନ କରିଥିଲେ। କାଶ୍ମୀର ଉପତ୍ୟକାରେ ବ୍ୟାପକ ବିଶୃଙ୍ଖଳା ଏବଂ ପଥର ମାଡ ଭଳି ଘଟଣା ଯେଭଳି ଜାରିରହେ ତାହା ନିଶ୍ଚିତ କରିବାକୁ ପାରା ତାଙ୍କୁ କହିଥିଲେ। ଅବଶ୍ୟ ପାରା ତାଙ୍କ ଓକିଲଙ୍କ ଜରିଆରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ରାଜନୈତିକ କାରଣରୁ ତାଙ୍କୁ ଗିରଫ କରାଯାଇଥିବା କହିଥିଲେ। ସେଥିପାଇଁ ଏନ୍‍ଆଇଏର ସ୍ୱତନ୍ତ୍ର ଅଦାଲତ ପାରାଙ୍କୁ ଜାମିନ ମଞ୍ଜୁର କରିଥିଲେ। ଗତବର୍ଷ ଜୁଲାଇ ଏବଂ ଅକ୍ଟୋବର ମାସରେ ଦାଖଲ କରାଯାଇଥିବା ଅଭିଯୋଗ ଫର୍ଦ୍ଦରେ ପାରାଙ୍କ ନାମ କେଉଁଠାରେ ଉଲ୍ଲେଖ କରାଯାଇନଥିବା ଅଦାଲତ ଦର୍ଶାଇଥିଲେ। କିନ୍ତୁ ତାହାପରେ ମୁଖ୍ୟସ୍ରୋତରେ ଥିବା ରାଜନୈତିକ ବ୍ୟକ୍ତିବିଶେଷ ଏବଂ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଅସାଧୁ ସମ୍ପର୍କ ରହିଥିବା ଏକ ମାମଲାରେ କାଶ୍ମୀରରେ ସିଆଇଡିର ଥିବା କାଉଣ୍ଟର ଇଣ୍ଟେଲିଜେନ୍ସ ଶାଖା ପାରାଙ୍କୁ ଗିରଫ କରିଥିଲା ଏବଂ ସେବେଠାରୁ ସେ ଜେଲ୍‍ରେ ଅଛନ୍ତି। ଶ୍ରୀନଗରସ୍ଥିତ ଏନଆଇଏ ସ୍ୱତନ୍ତ୍ର କୋର୍ଟ ତାଙ୍କ ଜାମିନ ଅଗ୍ରାହ୍ୟ କରିଦେଇଛନ୍ତି।
ଏନଆଇଏ କହିଛି, ପିଡିପି ମୁଖ୍ୟ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତିଙ୍କର ପାରା ଅତ୍ୟନ୍ତ ବିଶ୍ୱସ୍ତ ଥିବା ବିବେଚନା କରାଯାଉଥିଲା। ସେହି ସମୟରେ ତତ୍କାଳୀନ ଜାମ୍ମୁ କାଶ୍ମୀରରେ ବିଜେପି ସହିତ ମିଶି ପିଡପି ମେଣ୍ଟ ସରକାର ଗଠନ କରିଥିଲା। ୨୦୧୬ରେ ୱାନିଙ୍କ ମୃତ୍ୟୁପରେ କାଶ୍ମୀର ଉପତ୍ୟକାରେ ଦୀର୍ଘକାଳ ପଯ୍ୟଁନ୍ତ ଅଶାନ୍ତ ପରିସ୍ଥିତି ଲାଗି ରହିଥିଲା। ପ୍ରାୟ ୫୩ଦିନ ପର୍ଯ୍ୟନ୍ତ ସେଠାରେ କର୍ଫ୍ୟୁ ଓ ହରତାଳ ଚାଲିଥିଲା। ଏହି ଗଣ୍ଡଗୋଳ ସମୟରେ ପ୍ରାୟ ୧୦୦ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ୪ହଜାର ସୁରକ୍ଷା ବାହିନୀ ଜବାନଙ୍କ ସମେତ ହଜାର ହଜାର ଲୋକ ପଥର ମାଡରେ ଆହତ ହୋଇଥିଲେ।

Comments are closed.