ପୁଲୱାମା ଆକ୍ରମଣ ଘଟଣାରେ ଏନ୍‌ଆଇଏର ଅଭିଯୋଗ ଫର୍ଦ୍ଦ ଦାଖଲ : ମାସୁଦ ସମେତ ୧୯ ଅଭିଯୁକ୍ତ

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ମଙ୍ଗଳବାର ଅଭିଯୋଗଫର୍ଦ ଦାଖଲ କରିଛି। ଏହି ଅଭିଯୋଗଫର୍ଦରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ଓ ତାର ଭାଇ ଅବଦୁଲ ରୌଫ ଅସଘର ସମେତ ୧୯ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଅଭିଯୁକ୍ତ ଦର୍ଶାଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଏନଆଇଏ ଗିରଫ କରିଛି। ୧୩,୫୦୦ ପୃଷ୍ଠାର ଅଭିଯୋଗଫର୍ଦରେ ଆତଙ୍କବାଦୀ ଆକ୍ରମଣର ସବିଶେଷ ଯୋଜନା ଓ ଏହାକୁ କିପରି କାର୍ଯ୍ୟକାରୀ କରାଯାଇଥିଲା ତାହା ଉଲ୍ଲେଖ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରାଯାଇଛି। ଅଭିଯୁକ୍ତଙ୍କ ବାର୍ତ୍ତାଳପ, ଇମେଲ ଓ ହ୍ୱାଟ୍ସଆପ୍‍ ଆଦିକୁ ସବିଶେଷ ଉଲ୍ଲେଖ କରାଯାଇଛି। ଜାମ୍ମୁସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଏନଆଇଏର ଏସପି ରାକେଶ ବାଲୱାଲ ଏହି ଅଭିଯୋଗଫର୍ଦ ଦାଖଲ କରିଛନ୍ତି।

ଏନଆଇଏର ଜଣେ ଅଧିକାରୀ କହିଛନ୍ତି ଯେ କାଶ୍ମୀରରେ କାର୍ଯ୍ୟ କରୁଥିବା ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ଯୋଜନା କରିଥିଲା। ବଡଗାଓଁରୁ ଗିରଫ ଅଭିଯୁକ୍ତ ମହମ୍ମଦ ଇକବାଲ ରାଠୋର ମୁଖ୍ୟ ଷଡଯନ୍ତ୍ରକାରୀ ମହମ୍ମଦ ଉମର ଫାରୁକକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲା। ମୁଖ୍ୟ ଷଡଯନ୍ତ୍ରକାରୀ ଉମର ଫାରୁକ ୨୦୧୮ ଏପ୍ରିଲରେ ପାକିସ୍ତାନରୁ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିଲା। ଫାରୁକ ସହିତ ଅନ୍ୟମାନେ ବିସ୍ଫୋରଣରେ ବ୍ୟବହୃତ ଆଇଇଡିକୁ ଖଞ୍ଜିଥିଲେ। ଉମର ଫାରୁକ ଜାମ୍ମୁ-କାଶ୍ମୀର ପୁଲିସର ଏନକାଉଣ୍ଟରରେ ପ୍ରାଣ ହରାଇଛି। ଏନକାଉଣ୍ଟରରେ ଉମର ପ୍ରାଣ ହରାଇବା ପରେ ତାର ମୋବାଇଲ ଫୋନକୁ ଏନକାଉଣ୍ଟର ସ୍ଥାନରୁ ଉଦ୍ଧାର କରାଯାଇଥିଲା। ଉମରର ମୋବାଇଲ ଫୋନ ଉଦ୍ଧାର କରାଯିବା ପରେ ଏହି ଷଡଯନ୍ତ୍ର ସମ୍ପର୍କରେ ସମସ୍ତ ତଥ୍ୟ ଜଣାପଡ଼ିଥିଲା। ଉମରର ମୋବାଇଲ ଫୋନକୁ ଫରେନସିକ୍‍ ଯାଞ୍ଚ ପରେ ଏଥିରୁ ଅନେକ ଫଟୋ, ହ୍ୱାଟ୍ସଆପ୍‍ ଚାଟ ଓ ମୋବାଇଲ ଭିଡିଓ ଆଦି ମିଳିଥିଲା। ମୋବାଇଲରେ ଉମର ଫାରୁକ, ସମୀର ଦାର ଓ ଆଦିଲ ଅହମ୍ମଦ ଦାର ସେଲଫି ଉଠାଇଥିଲେ। ଫେବୃଆରୀ ୫ରେ ଉଠାଯାଇଥିବା ସେଲଫି ବେଳେ ସେମାନେ ମୁହଁରେ ଆଇଇଡି ପାଉଡର ବୋଳିଥିଲେ।

ଫେବୃଆରୀ ୬ ତାରିଖ ସକାଳେ ସେମାନେ ୨୦୦ କିଲୋ ଆରଡିଏକ୍ସ ଭର୍ତ୍ତି ଆଇଇଡି ଡ୍ରମ୍‍କୁ କାର୍‍ରେ ଖଞ୍ଜିଥିଲେ। ସାମ୍ବା ପଏଣ୍ଟରୁ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ପରେ ଉମର ଫାରୁକ ତାର ମୋବାଇଲରେ ଅନେକ ଫଟୋ ଉଠାଇଥିଲା। ଏହି ସବୁ ଫଟୋକୁ ସେ ପାକିସ୍ତାନ ପଠାଉଥିଲା। ଏନଆଇଏ କହିଛି ଯେ ଫେବୃଆରୀ ୬ ତାରିଖରେ ଆତଙ୍କବାଦୀମାନେ ଆକ୍ରମଣ ଯୋଜନା ଶେଷ କରିଥିଲେ। ତେବେ ଜାତୀୟ ରାଜପଥରେ ତୁଷାରପାତ କାରଣରୁ ଆକ୍ରମଣ ବିଳମ୍ବିତ ହୋଇଥିଲା। ବିସ୍ଫୋରଣ ପାଇଁ ବ୍ୟବହୃତ ଆରଡିଏକ୍ସ ପାକିସ୍ତାନରୁ ଅନୁପ୍ରବେଶକାରୀମାନେ ଆଣିଥିଲେ। ଏହା ସହିତ ଜାମ୍ମୁ ଉପତ୍ୟକାରୁ କିଛି ସଂଗ୍ରହ କରାଯାଇଥିଲା। ଉମର ତାର ହ୍ୱାଟ୍ସଆପ୍‍ ବାର୍ତ୍ତାରେ ପାକିସ୍ତାନ ଜୈସ କମାଣ୍ଡରଙ୍କୁ ବିସ୍ଫୋରକ ସାମଗ୍ରୀ ସୁରକ୍ଷିତ ଭାବେ ଜାମ୍ମୁ-କାଶ୍ମୀରରେ ପହଞ୍ଚିବା ସମ୍ପର୍କରେ ଜଣାଇଥିଲା। ରାଠୋର ବ୍ୟତୀତ ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ମହମ୍ମଦ ଆବାସ ରାଠୋର, ୱାଜି-ଉଲ-ଇସଲାମ, ତାରିକ ଅହମ୍ମଦ ଶାହା ଓ ଇନସା ଜାନ। ୨୦୧୯ ଫେବୃଆରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଆତଙ୍କବାଦୀମାନ ଆତ୍ମଘାତୀ ବିସ୍ଫୋରଣ କରିଥିଲେ। ଏହି ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ବାୟୁସେନା ପାକିସ୍ତାନର ବାଲାକୋଟ ଉପରେ ଆକ୍ରମଣ କରିଥିଲା।

ପୁଲୱାମା ଅଭିଯୁକ୍ତଙ୍କ ନାମ
୧-ମାସୁଦ ଆଝାର (୫୨), ପାକିସ୍ତାନ
୨-ରୌଫ ଅସଗର ଆଲଭି ୯୪୭), ପାକିସ୍ତାନ
୩-ଅମର ଅଲ୍ଲୀ (୪୬), ପାକିସ୍ତାନ
୪-ଶେଖର ବାସିର (୨୪), ଜାମ୍ମୁ-କାଶ୍ମୀର
୫-ଇନସା ଜାନ (୨୨), ଜାମ୍ମୁ-କାଶ୍ମୀର
୬- ତାରିକ ଅହମ୍ମଦ ଶାହା (୫୩), ଜାମ୍ମୁ-କାଶ୍ମୀର
୭-ୱାଜି ଉଲ ଇସଲାମ (୨୦), ଜାମ୍ମୁ-କାଶ୍ମୀର
୮-ମହମ୍ମଦ ଆବାସ ରାଠୋର (୩୧), ଜାମ୍ମୁ-କାଶ୍ମୀର
୯-ବିଲାଲ ଅହମ୍ମଦ କୁଚ୍ଛେ (୨୮), ଜାମ୍ମୁ-କାଶ୍ମୀର
୧୦-ମହମ୍ମଦ ଇକବାଲ ରାଠୋର (୨୫), ଜାମ୍ମୁ-କାଶ୍ମୀର
୧୧-ମହମ୍ମଦ ଇସମାଇଲ (୨୫), ପାକିସ୍ତାନ
୧୨-ସମୀର ଅହମ୍ମଦ ଦାର (୨୨), ଜାମ୍ମୁ-କାଶ୍ମୀର
୧୩-ଆଶାକ ଅହମ୍ମଦ ନେନଗ୍ରୁ (୩୩), ଜାମ୍ମୁ-କାଶ୍ମୀର
୧୪-ଆଦିଲ ଅହମ୍ମଦ ଦାର (୨୧),ମୃତ, ଜାମ୍ମୁ-କାଶ୍ମୀର
୧୫-ମହମ୍ମଦ ଉମର ଫାରୁକ (୨୪), ମୃତ, ଜାମ୍ମୁ-କାଶ୍ମୀର
୧୬-ମହମ୍ମଦ କମରାନ ଅଲୀ (୨୫),ମୃତ, ଜାମ୍ମୁ-କାଶ୍ମୀର
୧୭-ସଜ୍ଜଦ ଅହମ୍ମଦ ଭଟ୍ଟ (୧୯), ମୃତ, ଜାମ୍ମୁ-କାଶ୍ମୀର
୧୮-ମୁଦାସିର ଅହମ୍ମଦ ଖାଁ (୨୪), ମୃତ, ଜାମ୍ମୁ-କାଶ୍ମୀର
୧୯-କ୍ୱାରି ୟାସିର, ମୃତ, ପାକିସ୍ତାନ

Comments are closed.