ଓଡିଶା ପୁଲିସକୁ ଆତଙ୍କବାଦୀଙ୍କ ସହ ଲଢିବାର ମନ୍ତ୍ର ଦେଲେ ଏନଆଇଏ ଡିଜି

ଭୁବନେଶ୍ବର: ଆତଙ୍କବାଦୀଙ୍କ ସହ ଲଢିବେ ଓଡିଶା ପୁଲିସ। କିପରି ଓଡିଶା ପୁଲିସ ଆତଙ୍କବାଦୀଙ୍କ ସଫଳ ଭାବେ ମୁକାବିଲା କରିପାରିବ ଏବଂ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବ ଏନେଇ ପୁଲିସ ଭବନରେ ଏକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଏବଂ ଏନଆଇଏ ଆଇଜି ଯୋଗ ଦେଇ ଓଡିଶା ପୁଲିସକୁ ତାଲିମ ଦେଇଛନ୍ତି। ଆତଙ୍କବାଦୀ ମାନେ ସମୁଦ୍ରପଥ ଦେଇ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ସମୁଦ୍ର ଉପକୂଳଘେରା ଓଡିଶା ଉପରେ ଆକ୍ରମଣର ସମ୍ଭାବନା ରହିଛି। ଏହା ପୂର୍ବରୁ ମଧ୍ୟ ଓଡିଶାରେ  ଆତଙ୍କବାଦୀଙ୍କ ଲିଙ୍କ୍ ରହିଥିବା ଅପରାଧି ଗିରଫ ହୋଇଛନ୍ତି। କଟକର ଜଗତପୁର ଏବଂ ରାଉରକେଲାରୁ ଆତଙ୍କବାଦୀ ଲିଙ୍କ୍ ଥିବା ଅପରାଧୀ ଗିରଫ ହୋଇସାରିଛନ୍ତି। ଏଣୁ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଏନଆଇଏ ଡିଜି ଓଡିଶା ପୁଲିସର ବରିଷ୍ଠ ଅଧିକାରୀମାନଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ମନ୍ତ୍ର ଦେଇଛନ୍ତି। ଯାହାଦ୍ବାରା ସାମ୍ଭବ୍ୟ ଆତଙ୍କବାଦୀ ଆକ୍ରମଣକୁ ଓଡିଶା ପୁଲିସ ସଫଳ ମୁକାବିଲା କରିପାରିବ ।ଏହି ଅବସରରେ ନକ୍ସଲ ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ରୋକ ଲଗାଇବାକୁ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ପାଣ୍ଠି ଉପରେ ରୋକ ଲଗାଇଲେ ଆତଙ୍କବାଦୀଙ୍କ ଶକ୍ତି ଦୁର୍ବଳ ହେବ ବୋଲି ଏନଆଇଏ ଡିଜି ମତବ୍ୟକ୍ତ କରିଛନ୍ତି।

Comments are closed.