ସାପ୍ତାହିକ ହାଜିରା ଦେବେ ସାଧ୍ୱୀ ପ୍ରଜ୍ଞା: ଏନଆଇଏ କୋର୍ଟ

ମୁମ୍ବାଇ: ମାଲେଗାଓଁ ବୋମା ବିସ୍ଫୋରଣ ମାମଲାର ଶୁଣାଣି କରୁଥିବା ମୁମ୍ବାଇସ୍ଥିତ ଏନଆଇଏର ସ୍ୱତନ୍ତ୍ର ଅଦାଲତ ଭୋପାଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣଲ ପ୍ରସାଦ ପୁରୋହିତଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ସପ୍ତାହକୁ ଥରେ ଅଦାଲତରେ ହାଜିରା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଅଭିଯୁକ୍ତମାନେ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ ଏନଆଇଏ ଅଦାଲତ ବିଚାରପତି ବିନୋଦ ପାଡ଼ଲକର ଅସନ୍ତୋଷ ପ୍ରକାଶ କରିଥିଲେ ଓ ସାପ୍ତାହିକ ହାଜିରା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୦ରେ ହେବ।

ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ସାକ୍ଷୀମାନଙ୍କ ବୟାନ ଦରଜ କରୁଥିବା ବେଳେ ଅଦାଲତ କହିଛନ୍ତି ଯେ ଉପଯୁକ୍ତ କାରଣ ନ ଦର୍ଶାଇ ଅନୁପସ୍ଥିତ ରହିବା ପାଇଁ ଅନୁରୋଧ କଲେ ତାହା ଖାରଜ କରିଦିଆଯିବ। ଏହି ମାମଲାରେ ପ୍ରଜ୍ଞା ସିଂ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣଲ ପୁରୋହିତ, ମେଜର ରମେଶ ଉପାଧ୍ୟାୟ, ଅଜୟ ରାହିରକର, ସୁଧାକର ଚତୁର୍ବେଦୀ ଏବଂ ସମୀର କୁଲକର୍ଣ୍ଣି ଅଭିଯୁକ୍ତ ଅଛନ୍ତି।

୨୦୧୮ ଅକ୍ଟୋବରରେ ଅଦାଲତ ସାତ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆତଙ୍କୀ ଗତିବିଧି, ଅପରାଧିକ ଷଡଯନ୍ତ୍ର, ହତ୍ୟା ଏବଂ ଅନ୍ୟାନ୍ୟ ଅଭିଯୋଗ ଲାଗୁ କରିଥିଲେ।

Comments are closed.