ସୁରତ ପୁଲିସ ମାଡ଼ରେ ଓଡ଼ିଆ ଯୁବକ ମୃତ୍ୟୁ ଘଟଣା : ଗୁଜୁରାଟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି

ନୂଆଦିଲ୍ଲୀ : ସୁରତ ପୁଲିସ ଲାଠିମାଡ଼ରେ ଓଡ଼ିଆ ଯୁବକ ସତ୍ୟ ସ୍ୱାଇଁଙ୍କ ମୃତ୍ୟୁ ଘଟଣାରେ ଗୁଜୁରାଟ ପୁଲିସ ମହାନିର୍ଦେଶକଙ୍କ ଠାରୁ ଜାତୀୟ ମାନବାଧିକାର ଆୟୋଗ ରିପୋର୍ଟ ତଲବ କରିଛନ୍ତି। ଗୁଜୁରାଟ ପୁଲିସ ଡିଜି, ସୁରତ ପୁଲିସ କମିଶନର ଓ ସୁରତ ଜିଲାପାଳ ଆଠ ସପ୍ତାହ ମଧ୍ୟରେ ଏନଏଚଆରସିରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବେ। ସେହିପରି ଘଟଣା ବାବଦରେ ଅଧିକ ସୂଚନା ପ୍ରଦାନ କରିବାକୁ ଗୁଜୁରାଟ ରାଜ୍ୟ ମାନବାଧିକାର ଆୟୋଗଙ୍କୁ ନିର୍ଦେଶ ଜାରି ହୋଇଛି। ମାନବାଧିକାରୀ କର୍ମୀ ଜୟନ୍ତ ଦାସଙ୍କ ଅଭିଯୋଗ ଆଧାରରେ ଆୟୋଗ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଗତ ମଇ ୧୪ରେ କୋଭିଡ଼-୧୯ ସମାଜିକ ଦୂରତ୍ୱକୁ ନିୟମାବଳୀକୁ ଉଲ୍ଲଘଂନ ଘଟଣାରେ ପ୍ରବାସୀ ଓଡ଼ିଆ ଯୁବକ ସତ୍ୟ ସ୍ୱାଇଁଙ୍କୁ ସ୍ଥାନୀୟ ପୁଲିସ ପିଟି ପିଟି ମାରି ଦେଇଥିଲା ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ। ଏନଏଚଆରସିଙ୍କ ନିର୍ଦେଶନୁଯାୟୀ କେଉଁ ପରିସ୍ଥିତିରେ ପୀଡ଼ିତଙ୍କ ମୃତ୍ୟୁ ଘଟିଥିଲା ସେବିଷୟରେ ସବିଶେଷ ତଥ୍ୟ, ଏଫଆଇଆର ନକଲ, ପୋଷ୍ଟମର୍ଟମ ରିପୋର୍ଟ, ପୋଷ୍ଟମର୍ଟମର ଭିଡିଓ ରେକଡ଼ିଂ, ଫରେନସିକ ଲାବୋଟୋରୀ ରିପୋର୍ଟ, ମୃତକଙ୍କ ଡାକ୍ତରୀ ଚିକିତ୍ସା ରିପୋର୍ଟ, ଘଟଣାସ୍ଥଳ ଚିତ୍ର, ଘଟଣାସ୍ଥଳୀରେ ଉପସ୍ଥିତ ସାକ୍ଷୀଙ୍କ ଜମାନବନ୍ଦୀ, ମାଜିଷ୍ଟ୍ରେଟ ତଦନ୍ତ ରିପୋର୍ଟ, ମାଜିଷ୍ଟ୍ରେଟ ତଦନ୍ତ ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଆଦି ଦାଖଲ କରିବାକୁ ପଡ଼ିବ।
ସେହିପରି ଯଦି ଗୁଜୁରାଟ ରାଜ୍ୟ ମାନବାଧିକାର ଆୟୋଗରେ ମାମଲା ବିଚାରଧିନ ରହିଥିାଏ ଅଥବା ଆୟୋଗଙ୍କ ତରଫରୁ ଘଟଣାର ତଦନ୍ତ କରାଯାଇ ଥାଏ ସେବିଷୟରେ ଆଠ ସପ୍ତାହ ମଧ୍ୟରେ ସୂଚନା ଦେବାକୁ ରାଜ୍ୟ ଆୟୋଗ ସଚିବଙ୍କୁ ଏନଏଚଆରସି ନିର୍ଦେଶ ଜାରି କରିଛନ୍ତି।

Comments are closed.