ସିଏଏ ହିଂସା: ଉତ୍ତରପ୍ରଦେଶ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜିପି) ଓମ୍‌ ପ୍ରକାଶ ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ଏନଏଚଆରସିଙ୍କ ପକ୍ଷରୁ ନୋଟିସରେ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବିକ୍ଷୋଭ ପ୍ରଦର୍ଶନ ସମୟରେ ଅନେକ ଜାଗାରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ବହୁ ମାତ୍ରାରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଏଏକୁ ନେଇ ହୋଇଥିବା ହିଂସା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ହିଂସା ସୃଷ୍ଟିକାରୀଙ୍କ ସମ୍ପତ୍ତି ଜବତ କରି କ୍ଷତି ହୋଇଥିବା ସରକାରୀ ସମ୍ପତ୍ତିର ଭରଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ହିଂସାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୨୧୩ଟି ମାମଲା ରୁଜୁ ହୋଇଥିବାବେଳେ ୯୨୫ ଜଣ ଗିରଫ ହୋଇଛନ୍ତି।

Comments are closed.