ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କଲେ ଏନଏଚଆରସି

ଢେଙ୍କାନାଳ ଜିଲା ହସ୍ପିଟାଲ ବାରଣ୍ଡାରେ ରୋଗୀ ମୃତ୍ୟୁ ଘଟଣା

ନୂଆଦିଲ୍ଲୀ : ଢ଼େଙ୍କାନାଳ ଜିଲା ହସପିଟାଲରେ ଚିକିତ୍ସା ଅବହେଳାରୁ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଏନଏଚଆରସିଙ୍କ ନିର୍ଦେଶ ଅନୁଯାୟୀ ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ପ୍ରଦାନ କରିବ। ଗତ ସେପ୍ଟେମ୍ବର ୧୫ରେ ଜିଲା ମୁଖ୍ୟ ହସପିଟାଲକୁ ଚିକିତ୍ସା ପାଇଁ ଆସିଥିବା ସ୍ଥାନୀୟ ନାଧରା ଗ୍ରାମର ସୁଶାନ୍ତ ପୃଷ୍ଟି କରୋନାରେ ଆକ୍ରାନ୍ତ ହୋଇଥିବା ବିଷୟ ଜଣାପଡ଼ିବା ପରେ ତାଙ୍କର ହୃଦ୍‍ଘାତ ହୋଇଥିଲା। ହସ୍‍ପିଟାଲ ବାରଣ୍ଡାରେ ପଡ଼ିରହିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଦେଖିବାକୁ ଉପସ୍ଥିତ ଡାକ୍ତର ଅଥବା ଅନ୍ୟ ମେଡିକାଲ କର୍ମଚାରୀ ଆସିନଥିଲେ। ଚିକିତ୍ସା ଅଭାବରୁ ରୋଗୀଙ୍କ ହସପିଟାଲ ବାରଣ୍ଡାରେ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରି ମାନବାଧିକାର କର୍ମୀ ତଥା ଆଡଭୋକେଟ ରାଧାକାନ୍ତ ତ୍ରିପାଠୀ ଏନଏଚଆରସିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସେହିପରି ଗତ ଅପ୍ରେଲ ୨୯ରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଚିକିତ୍ସା ପାଇଁ ଢ଼େଙ୍କାନାଳ ଜିଲା ହସପିଟାଲକୁ କୃଷ୍ଣ ଚନ୍ଦ୍ର ସାହୁ ଆସିଥିଲେ। ଠିକଣା ସମୟରେ ଅକ୍ସିଜେନ ଦିଆନଯିବାରୁ ରୋଗୀଙ୍କର ମୃତ୍ୟୁ ଘଟିଥିଲା ବୋଲି ଆଡଭୋକେଟ ତ୍ରିପାଠୀ ଅଭିଯୋଗ କରିଛନ୍ତି।

Comments are closed.