ନ୍ୟାୟ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବୌଦ୍ଧ  : ବୌଦ୍ଧ ଜିଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲା କାର୍ଯ୍ୟକ୍ରମ ପରିଚାଳକ(ଡିପିଏମ) ରୂପକ କୁମାର ମହାପାତ୍ରଙ୍କୁ ଏପିଡେମୋଲୋଜିଷ୍ଟ ଜ୍ଞାନ ରଂଜନ ମହାନ୍ତି ମାଡ ମାରିବା ଅଭିଯୋଗ କରିବା ସହ ଜିଲା ସାରା ଜାତୀୟ ସ୍ୱାସ୍ଥ୍ୟ ମିଶନ ର କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି କର୍ମଚାରୀମାନେ ଧାରଣା ଦେଇଥିବା ଜଣାଯାଇଛି। ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ରଙ୍କ କାର୍ଯ୍ୟାଳୟ ଭିତରେ ଜୈନିକ ଡାଟା ଏଣ୍ଟ୍ରି ଅପରେଟର ବେଆଇନ ନିଯୁକ୍ତିକୁ ନେଇ ଡିପିଏମ ଓ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଏପିଡେମୋଲୋଜିଷ୍ଟ ଶ୍ରୀ ମହାନ୍ତି କୌଣସି କାର୍ଯ୍ୟରେ ସେଠାରେ ପହଞ୍ଚିଥିବାବେଳେ ସେ ହଠାତ୍ ଡିପିଏମ ଶ୍ରୀମହାପାତ୍ରଙ୍କୁ ମୁଥ ମାରିଥିବା ଅଭିଯୋଗ ହୋଇଛି । ତେଣୁ ଏହି ମାମଲାର ନିରପେକ୍ଷ ତଦନ୍ତ ଓ ତୁରନ୍ତ ନ୍ୟାୟ ଦାବିରେ ଜିଲା ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀମାନେ ରାତିରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତିଶୃତି ଦେଇଥିଲେ ମଧ୍ୟ ୧୨ ଘଣ୍ଟା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଶେଷରେ ବାଧ୍ୟ ହୋଇ କଲମଛାଡ ଆନ୍ଦୋଳନ ଆରମ୍ଭ ହୋଇଥିବା ଜଣାଯାଇଛି। ତେବେ ଏନେଇ ଏପିଡେମୋଲୋଜିଷ୍ଟ ଶ୍ରୀମହାନ୍ତି ସେ ଡିପିଏମଙ୍କୁ ମାଡ ମାରିବା ଅଭିଯୋଗ ସଂପୁର୍ଣ୍ଣ ଭିତିହୀନ ବୋଲି ପ୍ରକାଶ କରିବା ସହିତ ତାଙ୍କ ଉପରକୁ ଡିପିଏମ ହାତ ଉଠାଇବା ପରେ ସେ ହାତ ତଳକୁ କରି ଦେଇଥିବା କହିଥିଲେ। ମିଳିଥିବା ସୂଚନା ମୁତାବକ ଏହି ମାମଲାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ହସ୍ତକ୍ଷେପ କରି ସମସ୍ତ ଅଭିଯୋଗ ଶୁଣିବାପରେ ଏପିଡେମୋଲୋଜିଷ୍ଟ ଶ୍ରୀ ମହାନ୍ତିଙ୍କୁ ଡିପିଏମଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମହାନ୍ତି କ୍ଷମା ମଧ୍ୟ ମାଗିସାରିଛନ୍ତି । କିନ୍ତୁ ଡିପିଏମ ଓ ତାଙ୍କର ସମର୍ଥକମାନେ ଏଥିରେ ସନ୍ତୋଷ ପ୍ରକାଶ ନକରି ଏପିଡେମୋଲୋଜିଷ୍ଟ ଶ୍ରୀମହାନ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଧାରଣା ଜାରି ରଖିଥିବା ଜଣାଯାଇଛି। ତେବେ ଏହି ଘଟଣା ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କୁ ପଚାରିବାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ଉଭୟ କର୍ମଚାରୀଙ୍କ ମଧ୍ୟରେ ବିବାଦ ଉପଜିଛି । ଏ ସଂପର୍କରେ ତାଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ପ୍ରଥମେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ କର୍ମଚାରୀମାନେ ନିଜ ଜିଦରେ ଅଟଳ ରହିବାରୁ କମିଟି ବୈଠକ ବସାଯାଇ ସମସ୍ତଙ୍କ ପରାମର୍ଶ କ୍ରମେ ମାମଲାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକଙ୍କ ପାଖକୁ ପଠାଇ ଦିଆଯାଇଛି। ଉପରୁ ଯାହା ଆଦେଶ ଆସିବ ଜିଲା ସ୍ତରରେ ତାହା କାର୍ଯ୍ୟକାରୀ କରାଯିବ ବୋଲି ଡା. ଦାଶ ପ୍ରକାଶ କରିଥିଲେ।

Comments are closed.