ଫୁଲନଖରାରୁ ଆଇଗିଣିଆ : ଦେଢ଼ବର୍ଷରେ ଗଡ଼ିଲାଣି ୧୫୫ ମୁଣ୍ଡ

ଉତ୍ତରଭୁବନେଶ୍ୱର : କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ଫୁଲନଖରାରୁ ଆଇଗିଣିଆ ଛକ ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣାର ପ୍ରମୁଖ ସ୍ଥାନ ପାଲଟିଛି। ପ୍ରତିଦିନ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ଅଧିକାଂଶ ସମୟରେ ଧନ ଜୀବନ ନଷ୍ଟ ହେଉଛି। ୨୦୧୯ ମେ’ ମାସରୁ ୨୦୨୧ ଫେବୃଆରୀ ୧୦ତାରିଖ ସୁଦ୍ଧା ମଧ୍ୟରେ ୮୨୦ରୁ ଅଧିକ ଦୁର୍ଘଟଣା ଘଟିଥିବା ବେଳେ ୧୫୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସ୍ମାର୍ଟ ସିଟି ତଥା ରାଜଧାନୀ ଭୁବନେଶ୍ୱରର ପ୍ରବେଶ ପଥ ଫୁଲନଖରା, ପାହାଳ, ରୁଦ୍ରପୁର, ହଂସପାଳ, ହାଇଟେକ ଛକ, ସପ୍ତସତୀ ମନ୍ଦିର, ପଳାଶୁଣି, ଗଙ୍ଗୁଆ ବ୍ରିଜ୍‍ ଓ ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ଫାୟାର ଷ୍ଟେସନ୍‍ ଛକ, ବରମୁଣ୍ଡା ଏବଂ ଆଇଗିଣିଆ ଆଦି ସ୍ଥାନ ଦୁର୍ଘଟଣାର ପେଣ୍ଠ ପାଲଟିଛି।
ସୂଚନାେଯାଗ୍ୟ େଯ ୨୦୧୯ ମେ’ ୨୫ ତାରିଖରେ ଦୁର୍ଘଟଣାରେ ସୌରୀବନ୍ଧୁଙ୍କ ମୃତ୍ୟୁ ଘଟିଥିଲାବେଳେ ସେପ୍ଟେମ୍ବର ୧୬ ତାରିଖରେ ଜଣେ ସ୍କୁଟି ଚାଳକଙ୍କ ଟ୍ରକ୍‍ ଧକ୍କାରେ ମୃତ୍ୟୁ ଘଟିଥିଲା। ସେହି ମାସ ୨୫ ତାରିଖରେ ମଧ୍ୟ ଏକ ଟ୍ରକ୍‍ ଧକ୍କାରେ କୈବଲ୍ୟ ମିତ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୧୩ ତାରିଖରେ ଟ୍ରକ୍‍ ଧକ୍କାରେ କେନ୍ଦ୍ରାପଡ଼ା ନରଣପୁର ଅଞ୍ଚଳର ବୀରେନ୍ଦ୍ର ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲାବେଳେ ନଭେମ୍ବର ମାସରେ ହଂସପାଳ ଅଣ୍ଡରପାସ୍‌ ନିକଟରେ ଜଗତସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତା’ର ୧୬ ଦିନ ପରେ ସପ୍ତସତୀ ମନ୍ଦିର ନିକଟରେ ଜଣେ ବାଇକ୍‍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ସେହି ମାସ ୧୯ ତାରିଖ ବିଳମ୍ବିତ ରାତିରେ ଘଟଗାଁ ତାରିଣୀ ପୀଠରୁ ଦର୍ଶନ ସାରି ଫେରୁଥିବା ୧୩ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁର୍ଘଟଣାରେ ୩ଜଣଙ୍କ ଅକାଳ ମୃତ୍ୟୁ ଘଟିଥିଲା ବେଳେ ୧୦ଜଣ ଆହତ ହୋଇଥିଲେ। ଡିସେମ୍ବର ୬ତାରିଖ ରାତିରେ ଟ୍ରକ୍‌ ଧକ୍କାରେ ପ୍ରବୀର ଦେହୁରୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୧ ଜାନୁୟାରୀ ୩ ତାରିଖରେ ଆଇଗିଣିଆ ଛକ ନିକଟରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ତାରିଖ ଫାୟାର ଷ୍ଟେସନ ଓଭରବ୍ରିଜ୍‌ ପାଖରେ ଦୀପକ ମିଶ୍ରଙ୍କର ମୃତ୍ୟୁ ହୋଇଥିଲା। ଚଳିତ ମାସ ୬ତାରିଖରେ ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଏକ କାର୍‌ ଧକ୍କାରେ ସ୍କୁଟି ଚାଳକ ପ୍ରସନ୍ନ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା। ତା’ ପରଦିନ ଏକ ଗାଡ଼ି ଧକ୍କାରେ ଆଚାର୍ଯ୍ୟ ବିହାର ଫ୍ଲାଏ ଓଭରବ୍ରିଜ୍‌ ଉପରେ ଏକ ବାଇକ ଚାଳକଙ୍କ ଗୋଡ଼ ନଷ୍ଟ ହୋଇଥିଲା। ଲୋକଙ୍କ ମନମୁଖି ଯାତାୟାତ, ଦ୍ରୁତଗତି, ଅସାବଧାନତା ଓ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରି ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ରାସ୍ତାରେ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।

ମତାମତ

ପ୍ରଶାନ୍ତ ଦାସ (ଯାତ୍ରୀ): ଫୁଲନଖରାରୁ ଆଇଗିଣିଆ ଛକ ମଧ୍ୟରେ ଅନେକ ସ୍ଥାନରେ ରାସ୍ତା ଅସମ୍ପୂର୍ଣ୍ଣ ଏବଂ ଅଣଓସାରିଆ ଯୋଗୁଁ ଦୁର୍ଘଟଣା ବଢୁଛି। ଟ୍ରାଫିକ୍‍ ନିୟମ ମାନୁ ନ ଥିବାରୁ ବାରମ୍ବାର ଏପରି ଘଟଣା ଘଟୁଛି।
ଆଶୁତୋଷ ସାମନ୍ତରାୟ (ସ୍ଥାନୀୟ ବାସିନ୍ଦା): ହଂସପାଳ ଛକ, ଖଣ୍ଡଗିରି, ଜାଗମରା, ଆଇଗିଣିଆ, ପୁରୀ ବାଇପାସ୍‍, ପଳାଶୁଣୀ ଚାରିକଡୁ ଗାଡ଼ିଗୁଡ଼ିକ ପଶୁଥିବାରୁ ଓଭରବ୍ରିଜରୁ ଗଡୁଥିବା ଗାଡ଼ି ଓ ଅନ୍ୟ କଟ୍‍ ରାସ୍ତାରୁ ଆସୁଥିବା ଗାଡ଼ି ସହ ମୁହାଁମୁହିଁ ହେଉଛନ୍ତି। ଏଥିପାଇଁ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି।
କମଳ ଲୋଚନ ତ୍ରିପାଠୀ (ସ୍ଥାନୀୟ ବାସିନ୍ଦା): ଟ୍ରାଫିକ୍‍ ପୋଷ୍ଟ ଛାଡ଼ି ଜାତୀୟ ରାଜପଥରେ ସ୍ୱତନ୍ତ୍ର ଟ୍ରାଫିକ୍‍ ପୁଲିସ ପାଟ୍ରୋଲିଂ ସହିତ ଗାଡ଼ି ଚେକିଂ ଓ ଦ୍ରୁତ ଗତିରେ ଯାଉଥିବା ଗାଡ଼ିକୁ ଦଣ୍ଡ ବିଧାନ ବ୍ୟବସ୍ଥା କରାଗଲେ ଦୁର୍ଘଟଣା ହ୍ରାସ ପାଇ ପାରନ୍ତା। ଜନତା ସଚେତନ ହେଲେ ଆପେ ଆପେ ଏହା ସୁବ୍ୟବସ୍ଥିତ ହୋଇପାରିବ।
ଡ. ଉମାଶଙ୍କର ଦାସ (ଡିସିପି): ଜାତୀୟ ରାଜପଥ ହଂସପାଳ, ସପ୍ତସତୀ, ମଞ୍ଚେଶ୍ୱର, ହଂସପାଳ କେନାଲ ଛକ କଟକ ଟ୍ରାଫିକ୍‍ ଅଧୀନରେ ରହୁଛି। ତେବେ ପୂର୍ବାପେକ୍ଷା ଅଧିକ କର୍ମଚାରୀ ସତର୍କ ଦୃଷ୍ଟି ରଖିଥିବା ବେଳେ ବିଭିନ୍ନ ଥାନା ପିସିଆର ମଧ୍ୟ ଘଟଣାସ୍ଥଳରେ ରହୁଛି। ଏହାବ୍ୟତୀତ ପଥଚାରୀ ଏବଂ ଗାଡ଼ି ଚାଳକ ଅନ୍ୟମନସ୍କ ରହୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି।
ରାମପ୍ରସାଦ ପଣ୍ଡା (ସିଜିଏମ – ଏନଏଚଆଇ): ଦୁର୍ଘଟଣା ହ୍ରାସ ପାଇଁ ପ୍ରତ୍ୟେକ ଦିନ ଜାତୀୟ ରାଜପଥରେ ପଡ଼ିଥିବା ବାଲିକୁ ମେସିନ୍‍ ଦ୍ୱାରା ସଫେଇ କରାଯାଉଛି। ଭିତ୍ତିଭୂମି ସୁଦୃଢ଼କୁ ଗୁରୁତ୍ୱ ଦିଆଯିବା ସହ ଯେଉଁଠି ଆଲୋକ ନାହିଁ ସେଠାରେ ବ୍ୟବସ୍ଥା କରାଯାଉଛି। ଖୁବ୍‌ଶୀଘ୍ର ଫ୍ଲାଏଓଭର ବ୍ରିଜ୍‌ ନିକଟରେ ସୂଚନାଫଳକ ଝୁଲାଯିବା ପାଇଁ ଚିନ୍ତା କରାଯାଉଛି।

Comments are closed.