ଏନଜିଟିରେ ମହାନଦୀ ମାମଲା: ଛତିଶଗଡ଼କୁ ଜବାବ ତଲବ

0

ନୂଆଦିଲ୍ଲୀ  : ମହାନଦୀ ପ୍ରସଙ୍ଗରେ ଜାତୀୟ ସବୁଜ ପ୍ରାଧିକରଣ (ନେସନାଲ ଗ୍ରୀନ ଟ୍ରାଇବୁନାଲ)ଙ୍କ ପୂର୍ବ ନିର୍ଦେଶନାମାକୁ ଛତିଶଗଡ଼ ଖୋଲାଖୋଲି ଉଲ୍ଲଙ୍ଘନ କରୁଛି ବୋଲି ଓଡ଼ିଶା ସରକାର ଏନଜିଟିରେ ଅଭିଯୋଗ କରିଛନ୍ତି। ଏନଜିଟିଙ୍କ ଆଦେଶକୁ ବେଖାତିର କରି ଛତିଶଗଡ଼ ସରକାର ନୂତନ ପ୍ରକଳ୍ପ ଜାରି ରଖିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ବିଚାରପତି ଜାଭେଦ ରହିମ ଓ ଡକ୍ଟର ସତ୍ୟବାନ ସିଂ ଘାରବୟାଲଙ୍କ ଖଣ୍ଡପୀଠ ଛତିଶଗଡ ସରକାରଙ୍କୁ ୨ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଏନଜିଟିଙ୍କ ଦିଲ୍ଲୀସ୍ଥିତ ପ୍ରଧାନପୀଠ ଏହି ନିର୍ଦେଶ ଦେଇଛନ୍ତି।
ସୋମବାର ମାମଲାରେ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ମୋହନ କଟାରିଆ ଦର୍ଶାଇଥିଲେ ଯେ ପୂର୍ବରୁ ଛତିଶଗଡ଼ ଅଞ୍ଚଳରେ ମହାନଦୀ ଉପରେ କୌଣସି ନୂତନ ନିର୍ମାଣ ଉପରେ ଏନଜିଟି ରହିତାଦେଶ ଜାରି କରିଛନ୍ତି। ଏବେ ଛତିଶଗଡ ସରକାର ଏନଜିଟିଙ୍କ ନିର୍ଦେଶକୁ ମାନୁ ନାହାନ୍ତି। ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପୂର୍ବଭଳି ଜାରି ରଖିଛନ୍ତି।
ଛତିଶଗଡର ଆଡଭୋକେଟ ଜେନେରାଲ ଯୁଗଳ କିଶୋର ଗିଲ୍‌ଡା ରାଜ୍ୟ ସରକାରଙ୍କ ଅଭିଯୋଗର ବିରୋଧକରି ଦର୍ଶାଇଥିଲେ ଯେ ଓଡ଼ିଶା ସରକାର ପିଟିସନକାରୀ ସୁଦର୍ଶନ ଦାସଙ୍କ ମାଧ୍ୟମରେ ସ୍ୱାର୍ଥ ସାଧନ କରିବାକୁ ଚାହୁଁଛନ୍ତି। ଉଭୟ ପିଟିସନକାରୀ ସୁଦର୍ଶନ ଦାସ ଏବଂ ଓଡ଼ିଶା ସରକାରଙ୍କର ପିଟିସନ ଏକାଭଳି ଏବଂ ଉଭୟେ ସମାନ ପ୍ରସଙ୍ଗରେ ଏନଜିଟିରେ ମାମଲା କରିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ସରକାରଙ୍କ ପିଟିସନକୁ ଖାରଜ କରିବା ପାଇଁ ଆଡ଼ଭୋକେଟ ଜେନେରାଲ ଶ୍ରୀ ଗିଲଡା ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏନଜିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଜାଭେଦ ରହିମ ଛତିଶଗଡ଼ର ଯୁକ୍ତିରେ ସନ୍ତୁଷ୍ଟ ନହୋଇ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ଟ୍ରାଇବୁନାଲରେ ଉପସ୍ଥାପନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ମହାନଦୀର ଜଳ ପ୍ରବାହ ଓ ଅବବାହିକାର ଜୈବ ବିବିଧତା ବଞ୍ଚାଇବା ଏବଂ ଜଳ ପ୍ରଦୂଷଣ ରୋକିବା ପ୍ରସଙ୍ଗରେ ପିଟିସନକାରୀ ସୁଦର୍ଶନ ଦାସ ଏନଜିଟିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଓକିଲ ରିତ୍ତ୍ୱିକ ଦତ୍ତ ସ୍ପଷ୍ଟ କରିଛନ୍ତି। ପ୍ରକାଶ ଯେ ସୁଦର୍ଶନ ଦାସଙ୍କ ମୂଳ ଆବେଦନର ବିଚାର କରି ଏନଜିଟି କଲିକତା ବେଞ୍ଚ ଛତିଶଗଡ଼ରେ କାର୍ଯ୍ୟକ୍ଷମ ହୋଇ ନଥିବା ମହାନଦୀ ପ୍ରକଳ୍ପ ଗୁଡ଼ିକର କାମ ସ୍ଥଗିତ ରଖିବା ପାଇଁ ଗତବର୍ଷ ଜୁଲାଇରେ ନିର୍ଦେଶ ଦେଇଥିଲେ।

Leave A Reply