ବିଦ୍ୟୁତ୍‍ ସ୍ପର୍ଶରେ ୭ ହାତୀ ମୃତ୍ୟୁ ଘଟଣା ; ଏନ୍‍ଜିଟି ଟିମ୍‍ର ତଦନ୍ତ ଆରମ୍ଭ

0

ଢେଙ୍କାନାଳ ସଦର /କଣ୍ଟାବଣିଆ : ବିଦ୍ୟୁତ୍‍ ତାର ସ୍ପର୍ଶରେ ୭ ହାତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଜାତୀୟ ସବୁଜ ପ୍ରାଧିକରଣ(ଏନ୍‍ଜିଟି)ଙ୍କ ନିର୍ଦେଶ ପରେ ଏକ ୪ ଜଣିଆ ଟିମ୍‍ ମଙ୍ଗଳବାର କମଳାଙ୍ଗରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଖୋଜିଛନ୍ତି। ଟିମ୍‍ ସେସୁ ଏବଂ ବନ କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ବୟାନ ରେକର୍ଡ କରିଥିଲେ। ବୟାନ ରେକର୍ଡ ସମୟରେ ଉଭୟ ସେସୁ ଏବଂ ବନକର୍ମଚାରୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଓ କଥାକଟି ହୋଇଥିଲା। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ କମିଟି ଗୁରୁତ୍ୱାରୋପ କରିବା ସହ ସେସୁ ଏବଂ ବନ କର୍ମଚାରୀଙ୍କୁ ତାଗିଦ୍‍ କରିଥିବା ଜଣାପଡିଛି।


ପ୍ରକାଶ ଯେ ଢେଙ୍କାନାଳ ସଦର ରେଞ୍ଜ୍‍ ଅନ୍ତର୍ଗତ କମଳାଙ୍ଗଠାରେ ବିଦ୍ୟୁତ୍‍ ତାର ସ୍ପର୍ଶରେ ଗତ ୨୭ ତାରିଖରେ ୭ ହାତୀଙ୍କ ମୃତ୍ୟୁ ଘଟଣାରେ ଖବରକାଗଜର ରିପୋର୍ଟକୁ ଭିତ୍ତିକରି ଏନ୍‍ଜିଟି ସେସୁକୁ ୧ କୋଟି ଟଙ୍କା ଜୋରିମାନା କରିବା ସହ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ପ୍ରାଧିକରଣରଙ୍କ ନିର୍ଦେଶକ୍ରମେ ଜାତୀୟ ହାତୀ ପ୍ରକଳ୍ପର ନୟାଲ ତାମସ, ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ବିଭାସ ପାଣ୍ଡବ, ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ନିର୍ଦେଶକ ଡଃ ଗୋପୀନାଥ ଏବଂ ରାଜ୍ୟ ପ୍ରଧାନ ମୁଖ୍ୟ ବନସଂରକ୍ଷକ ସନ୍ଦୀପ ତ୍ରିପାଠୀ ପ୍ରମୁଖ ମଙ୍ଗଳବାର ଅପରାହ୍ନ ୧ଟାରେ କମଳାଙ୍ଗରେ ପହଞ୍ଚି ହାତୀ ମୃତ୍ୟୁସ୍ଥଳ ନିକଟରେ ଯାଇଥିବା ବିଦ୍ୟୁତ୍‍ ତାର ଏବଂ ଖୁଣ୍ଟର ସ୍ଥିତି ଦେଖିବା ସହ ବନବିଭାଗର ଡିଏପ୍‍ଓ ଏବଂ ବନ କର୍ମଚାରୀ, ସେସୁର ନିର୍ବାହୀଯନ୍ତ୍ରୀ ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। କମିଟି କମଳାଙ୍ଗ ଗାଁର ବସନ୍ତ ଜେନା, ଟୁନା ମହାପାତ୍ର ଓ ବୁଲୁ ବେହେରାଙ୍କ ଆଲୋଚନା କରି ସେମାନେ ସେସୁ ଏବଂ ବନବିଭାଗକୁ ପୂର୍ବରୁ ଯେଉଁ ତଥ୍ୟ ଦେଇଥିଲେ ସେମାନଙ୍କ ବୟାନକୁ ରେକର୍ଡ କରିଥିଲେ। ହାତୀ ମୃତ୍ୟୁ ପାଇଁ ସେସୁ କିମ୍ବା ବନବିଭାଗ କିମ୍ବା ଉଭୟ ଦାୟୀ ଏଥିପାଇଁ ତଥ୍ୟ ସଂଗ୍ରହ କରିଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକ ଡଃ ପାଣ୍ଡବ ହାତୀ ମୃତ୍ୟୁର କାରଣ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ କୋର୍ଟ ଆମକୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଉଭୟ ବିଭାଗ ମଧ୍ୟରେ ଚିଠିପତ୍ରର ଆଦାନ ପ୍ରଦାନ, ବିବରଣୀ, ଉଭୟ ବିଭାଗ ମଧ୍ୟରେ ଥିବା ସମନ୍ୱୟ ଏବଂ ଯୋଗାଯୋଗ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଥିବା କହିଛନ୍ତି।


ସୂଚନାଯୋଗ୍ୟ ୭ ହାତୀଙ୍କ ମୃତ୍ୟୁ ଘଟଣା ପରେ ଜଙ୍ଗଲ ବିଭାଗ ଢେଙ୍କାନାଳ ସଦର ରେଞ୍ଜର, ମେରାମଣ୍ଡଳି ଫରେଷ୍ଟର ଓ ଗାର୍ଡଙ୍କୁ ନିଲମ୍ବିତ କରିଥିଲେ। ସେସୁ କର୍ତ୍ତୃପକ୍ଷ ଢେଙ୍କାନାଳ ସର୍କଲ ଅଧୀକ୍ଷଣଯନ୍ତ୍ରୀ, ଚାଇଁପାଳ ଡିଭିଜନ ସହକାରୀ ନିର୍ବାହୀଯନ୍ତ୍ରୀ ଏବଂ ଲାଇନ୍‍ ମ୍ୟାନ୍‍କୁ ନିଲମ୍ବିତ କରିଥିବାବେଳେ ମେରାମଣ୍ଡଳୀ ସେକ୍ସନ କନିଷ୍ଠଯନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ମୁଖ୍ୟମନ୍ତ୍ରୀ କ୍ରାଇମ୍‍ବ୍ରାଞ୍ଚ୍‍ ତଦନ୍ତ ନିର୍ଦେଶ ଦେଇଥିଲେ। କ୍ରାଇମ୍‍ବ୍ରାଞ୍ଚ୍‍ର ଆଇଜି, ଏସ୍‍ପି ପ୍ରମୁଖ ତଦନ୍ତ କରି ସେସୁ କନିଷ୍ଠଯନ୍ତ୍ରୀ, ମେରାମଣ୍ଡଳି ଫରେଷ୍ଟର ଏବଂ ଗାର୍ଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ସେମାନେ ଏବେ ଜାମିନ୍‍ରେ ଖଲାସ ହୋଇଛନ୍ତି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‍ଜିଟି) ଘଟଣାର ତଦନ୍ତ କରି କି ନିର୍ଦେଶ ଦେଉଛି ଏନେଇ ସମସ୍ତଙ୍କ ନଜର ରହିଛି।

Leave A Reply