ନଡ଼ାପୋଡ଼ି ଜନିତ ଦୈନିକ ବାୟୁ ପ୍ରଦୂଷଣ ରିପୋର୍ଟ ଦେବାକୁ ଏନଜିଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମିରେ ନଡ଼ା ପୋଡ଼ି ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣ ସଂପର୍କରେ ଦୈନିକ ରିପୋର୍ଟ ଦେବାକୁ ଜାତୀୟ ସବୁଜ ପ୍ରାଧିକରଣ ଉତ୍ତରପ୍ରଦେଶ, ହରିଆଣା ଓ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ରାଜ୍ୟର ଜଣେ ଲେଖାଏଁ ଅଧିକାରୀ ପ୍ରତିଦିନ ବାୟୁ ପ୍ରଦୂଷଣର ମାତ୍ରା ସଂପର୍କରେ ପ୍ରାଧିକରଣକୁ ଅବଗତ କରାଇବେ। ନଡ଼ାରେ ନିଆଁ ଲଗାଇବା ଫଳରେ ଯେଉଁ ବାୟୁ ପ୍ରଦୂଷଣ ହେଉଛି ତାହା ଦ୍ୱାରା ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦ୍ୱାରା ଲୋକେ ବିଭିନ୍ନ ପ୍ରକାର ମାରାତ୍ମକ ବ୍ୟାଧିରେ ଆକ୍ରାନ୍ତ ହେଉଛନ୍ତି।

ସେହିଭଳି ବାୟୁରେ ଅଙ୍ଗାରକାମ୍ଳ ସ୍ତର ୭୦ ଶତାଂଶ ବୃଦ୍ଧି ପାଇଛି। ଏହି ନଡ଼ା ପୋଡ଼ିକୁ ରୋକିବା ପାଇଁ ସଂପୃକ୍ତ ୩ ରାଜ୍ୟ ସରକାରଙ୍କୁ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନଡ଼ା ସମସ୍ୟାରୁ ଚାଷୀଙ୍କୁ ମୁକ୍ତ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କୌଶଳ ଉପଲବ୍ଧ ହେଉନଥିବାରୁ ସେମାନେ ବାଧ୍ୟ ହୋଇ ଏଥିରେ ନିଆଁ ଲଗାଇ ଦେଉଛନ୍ତି। ତେଣୁ ସେମାନଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବା ଉପରେ ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ୍‍ ଆଦର୍ଶକୁମାର ଗୋଏଲ୍‍ ଗୁରୁତ୍ୱାରୋପ କରିଛନ୍ତି।

Comments are closed.