ରାଜ୍ୟ ମୁଖ୍ୟ ସଚିବଙ୍କୁ ଏନଜିଟିଙ୍କ କଡ଼ା ତାଗିଦା : ପରିବେଶ ପ୍ରଦୂଷଣ ପ୍ରତି ବିଶେଷ ଧ୍ୟାନ ଦିଅ 

ନୂଆଦିଲ୍ଲୀ : ଓଡ଼ିଶାରେ ପରିବେଶ ପ୍ରଦୂଷଣ ପ୍ରସଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କୁ ଜାତୀୟ ସବୁଜ ପ୍ରାଧିକରଣ କଡ଼ା ତାଗିଦା କରିଛନ୍ତି। ଗଞ୍ଜାମ ଜିଲା ବେଆଇନ ଇଟାଭାଟି ସଂପର୍କିତ ଏକ ମାମଲାରେ ପୂର୍ବ ନିର୍ଦେଶକ୍ରମେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏବଂ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ ଏନଜିଟିରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ମାମଲା ଶୁଣାଣି ବେଳେ ବିଚାରପତି ଏସ ପି ୱାଙ୍ଗଡ଼ିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ଦର୍ଶାଇଥିଲେ ଯେ ବର୍ଜ୍ୟବସ୍ତୁ ପରିଚାଳନା, ବେଆଇନ ମାଙ୍କଡ଼ା ପଥର ଖନନ, ବେଆଇନ ଭାବେ ଜଙ୍ଗଲ ଜମିକୁ ମାଡ଼ି ବସିବା ଭଳି ଓଡ଼ିଶାର ଅନେକ ମାମଲା ଏନଜିଟିଙ୍କ ବିଚାରାଧୀନ ରହିଛି। ଯଦିଓ ଗଞ୍ଜାମ ବେଆଇନ ଇଟାଭାଟି ମାମଲରେ ମୁଖ୍ୟସଚିବ ଶ୍ରୀ ତ୍ରିପାଠୀ ଏନଜିଟିରେ ହାଜର ହୋଇଛନ୍ତି ତଥାପି ଏସବୁ ପ୍ରସଙ୍ଗ ପ୍ରତି ବିଶେଷ ଧ୍ୟାନ ଦେଇ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାର ଯତ୍ନବାନ ହେବାକୁ ଖଣ୍ଡପୀଠ ପରାମର୍ଶ ଦେଇଥିଲେ। ଟ୍ରାଇବୁନାଲରେ ମୁଖ୍ୟ ସଚିବଙ୍କ ଉପସ୍ଥିତି କାରଣରୁ ଏହି ସୁଯୋଗରେ ଅନ୍ୟ ସମସ୍ୟା ଗୁଡ଼ିକର ନିରାକରଣ ପାଇଁ ଖଣ୍ଡପୀଠ ପରାମର୍ଶ ଦେଉଛନ୍ତି ବୋଲି ବିଚାରପତି ଏସ ପି ୱାଙ୍ଗଡ଼ି ସ୍ପଷ୍ଟ କରିଥିଲେ। ତେବେ ଗଞ୍ଜାମ ବେଆଇନ ଇଟାଭାଟି ମାମଲାରେ ଏନଜିଟିଙ୍କ ପୂର୍ବ ନିର୍ଦେଶନାମାକୁ କାହିଁକି ପାଳନ କରାଯାଉନାହିଁ ବୋଲି ବିଚାରପତି ୱାଙ୍ଗଡ଼ିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟସଚିବ ଶ୍ରୀ ତ୍ରିପାଠୀ ଜଣାଇଥିଲେ ଯେ ବାସ୍ତବରେ ଗଞ୍ଜାମ ଜିଲାରେ ୬୪୦ଟି ବେଆଇନ ଇଟାଭାଟି ରହିଥିଲା। ଅତିରିକ୍ତ ସତ୍ୟପାଠ ମାଧ୍ୟମରେ ଦର୍ଶାଯାଇଥିବା ୬୦୪ଟି ବେଆଇନ ଇଟାଭାଟି ମୂଳ ୬୪୦ଟି ବେଆଇନ ଇଟାଭାଟି ତାଲିକାରେ ସାମିଲ ରହିଛି। ତାଲିକାରେ ୫୬ଟି ଇଟାଭାଟି ଦ୍ୱିତୀୟ ଥର ଉଲ୍ଲେଖ ରହିଥିବା ବେଳେ ୨୨ଟି ଇଟାଭାଟି ଆଦୌ କାର୍ଯ୍ୟକ୍ଷମ ନଥିଲା। ସେହିପରି ୨୨ଟି ଇଟାଭାଟି ପରିବେଶ ପ୍ରଦୂଷଣ କ୍ଷତିପୂରଣ ବାବାଦରେ ଜୋରିମାନା ରାଶି ପଇଠ କରିସାରିଛନ୍ତି। ୫୩୮ଟି ବେଆଇନ ଇଟାଭାଟି ଠାରୁ ପରିବେଶ ପ୍ରଦୂଷଣଜନିତ କ୍ଷତିପୂରଣ ବାବଦରେ ଜୋରିମାନା ରାଶି ଆଦାୟ କରିବାକୁ ଗତ ମାସରେ ସାର୍ଟିଫିକେଟ ପ୍ରୋସିଡିଂ କରାଯାଇଛି। ୨୦୧୬ର ଏହି ଇଟାଭାଟିଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇଯାଇଥିବାରୁ ଏବେ ବେଆଇନ ଇଟାଭାଟି ମାଲିକଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇପାରୁ ନାହିଁ ବୋଲି ଏନଜିଟିଙ୍କୁ ଜଣାଇଥିଲେ। ପ୍ରତିଉତ୍ତରରେ ବିଚାରପତି ୱାଙ୍ଗଡ଼ି ଦର୍ଶାଇଥିଲେ ଯେ ପ୍ରଶାସନିକ ପ୍ରକ୍ରିୟାରେ ଏନଜିଟି ହସ୍ତକ୍ଷେପ କରିବାକୁ ଚାହୁଁ ନାହାନ୍ତି। ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଏନଜିଟିଙ୍କୁ ଚକିତ କରିଛି। ଆଗାମୀ ଦିନରେ ଏନଜିଟି ତଦାରଖ କରିବେ ବୋଲି ବିଚାରପତି ୱାଙ୍ଗଡ଼ି ସ୍ପଷ୍ଟ କରିଥିଲେ। ଫେବୃଆରୀ ୧୦ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଏନଜିଟି ନିର୍ଦେଶ ଦେଇଥିଲେ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ବରିଷ୍ଠ ଓକିଲ ଅଶୋକ ପଣ୍ଡା ଓ ଓକିଲ ମନୋରଞ୍ଜନ ପାଇକରାୟ ଏବଂ ପିଟିସନକାରୀଙ୍କ ତରଫରୁ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

Comments are closed.