ରାଜ୍ୟ ସରକାରଙ୍କୁ ଏନ୍‌ଜିଟିଙ୍କ ନୋଟିସ

0

ନୂଆଦିଲ୍ଲୀ: ପାରାଦ୍ବୀପ-ହରିଦାସପୁର ନୂତନ ବ୍ରଡ୍‌ଗଜ୍‌ ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ମାଟି, ବାଲି ଓ ମୋରମ ଆଦିକୁ ବେଆଇନ ଭାବେ ଉଠାଣ ବିଷୟରେ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଏନଜିଟି ଦିଲ୍ଲୀସ୍ଥିତ ପ୍ରଧାନପୀଠଙ୍କ ନିର୍ଦେଶ ଅନୁଯାୟୀ ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଜବାବ ଦେବେ।
ସୋମବାର ମାମଲାର ଶୁଣାଣି ବେଳେ ପିଟିସନକାରୀଙ୍କ ଓକିଲ ଶଙ୍କର ପ୍ରସାଦ ପାଣି ଦର୍ଶାଇଥିଲେ ଯେ ବିନା ପରିବେଶ ମଞ୍ଜୁରୀରେ ରେଳ ବିକାଶ ନିଗମ ଏବଂ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ଠିକାଦାର ସଂସ୍ଥା ଆଖପାଖ ଅଞ୍ଚଳରୁ ଆବଶ୍ୟକ ମାଟି, ବାଲି ଓ ମୋରମ ସରକାରୀ ଜମିରୁ ଖୋଳି ଉଠାଇ ନେଉଛନ୍ତି। ଏହାର ପରିମାଣ ପାୟ ୫ କୋଟି ବର୍ଗଫୁଟ ଅଞ୍ଚଳ ହେବ। ଏଗୁଡ଼ିକ
ପାରାଦ୍ୱାପ-ହରିଦାସପୁର ନୂତନ ରେଳପଥର ୪୨ କିଲୋମିଟରରୁ ୮୧ କିଲୋମିଟର ଅଞ୍ଚଳ ମଧ୍ୟରେ ବ୍ୟବହାର କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ ଏଭଳି ମାଟି ବାଲି ମୋରମ ଉଠାଣ ପରିବେଶ ସଂରକ୍ଷଣ ଆଇନ୧୯୮୬କୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛି ବୋଲି ଆଡ୍‌ଭୋକେଟ ପାଣି ଦର୍ଶାଇଥିଲେ। ଡେରାବିଶ, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାର୍ଶାଘାଇ ତହସିଲ ଅଧୀନରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟ ପାଇଁ ସଂପୃକ୍ତ ତହସିଲଗୁଡ଼ିକ ଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ତହସିଲ ପକ୍ଷରୁ ଦିଆଯାଇଥିବା ଆଇଟିଆଇ ତଥ୍ୟ ଅନୁଯାୟୀ, ନିର୍ମାଣକାରୀ ଠିକାସଂସ୍ଥା ବେଆଇନ ଭାବେ ମାଟି ବାଲି ମୋରମ ଉଠାଣ କରିଛି। ଡେରାବିଶ ଓ ମାର୍ଶାଘାଇ ତହସିଲରେ ମାଟି ଉଠାଣ ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ ଏବଂ ଘରୋଇ ମାଲିକାନାରେ ରହିଥିବା ଜମିରୁ ମହାକାଳପଡ଼ା ଓ ମାର୍ଶାଘାଇ ତହସିଲରୁ ଠିକାଦାରୀ ସଂସ୍ଥା ମାଟି ଉଠାଣ କରାଯାଇଛି ବୋଲି ଆରଟିଆଇ ଉତ୍ତରରେ କୁହାଯାଇଛି। ଏବେ ପରିବେଶ ମଞ୍ଜୁରୀ ଏବଂ ମାଟି ଉଠାଣ ଅନୁମତି ଆଣିବା କାର୍ଯ୍ୟ ନିର୍ମାଣକାରୀ ଠିକାଦାର ସଂସ୍ଥାର ବୋଲି ଦର୍ଶାଇ ରେଳ ବିକାଶ ନିଗମ ନିଜ ଦାୟିତ୍ୱରୁ ଖସି ଯିବାକୁ ଉଦ୍ୟମ କରୁଛି ବୋଲି ଆଡ୍‌ଭୋକେଟ ପାଣି ଏନ୍‌ଜିଟିଙ୍କୁ ଜଣାଇଥିଲେ।

Leave A Reply