ଛ’ହଜାର ସ୍ବେଚ୍ଛାସେବୀ ସଂସ୍ଥାର ବିଦେଶୀ ଅନୁଦାନ ବନ୍ଦ

ନୂଆଦିଲ୍ଲୀ: ସ୍ବେଚ୍ଛାସେବୀ ଅନୁଷ୍ଠାନ (ଏନ୍‌ଜିଓ)ଙ୍କୁ ବିଦେଶୀ ଅନୁଦାନ ପ୍ରସଙ୍ଗ ଏବେ ଗୁୁରୁତର ଆକାର ଧାରଣ କରିଛି। ଗତ ୨୫ରେ ମଦର ଟେରେସାଙ୍କ ‘ମିଶନାରିଜ୍‌ ଅଫ୍‌ ଚାରିଟି’କୁ ବିଦେଶୀ ଅନୁଦାନ ବନ୍ଦ ସହ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ କେନ୍ଦ୍ର ସରକାର ଅଚଳ କରିବା ଓ ପଞ୍ଜୀକରଣ ନବୀକରଣ ନ କରିବା ନେଇ ବିବାଦ ସୃଷ୍ଟି ହୋଇଥିଲା। ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍‌ସିଆରଏ) ଆଧାରରେ ସଂସ୍ଥା ବିରୋଧରେ ଆପତ୍ତିଜନକ ତଥ୍ୟ ମିଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଥିଲା; କିନ୍ତୁ କି ପ୍ରକାର ଆପତ୍ତିଜନକ ତଥ୍ୟ ମିଳିଛି ତାହା ସ୍ପ​ଷ୍ଟ କରାଯାଇ ନ ଥିଲା।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମୋଟ ୬ହଜାର ସ୍ବେଚ୍ଛାସେବୀ ସଂସ୍ଥା ପାଉଥିବା ବିଦେଶୀ ଅନୁଦାନକୁ ବନ୍ଦ କରାଯାଇଛି। ଏଥିମଧ୍ୟରେ ଅକ୍ସଫାମ୍‌ ଇଣ୍ଡିଆ ଟ୍ରଷ୍ଟ, ଆଇଆଇଟି-ଦିଲ୍ଲୀ, ନେହରୁ ମେମୋରିଆଲ ମ୍ୟୁଜିୟମ ତଥା ଲାଇବ୍ରେରୀ, ଜାମିଆ ମିଲିଆ ଇସ୍‌ଲାମିଆ, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ୍‌, ଲାଲ ବାହାଦୁର ଶାସ୍ତ୍ରୀ ମେମୋରିଆଲ ଫାଉଣ୍ଡେସନ୍‌, ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟସ୍‌, ଲେଡି ଶ୍ରୀରାମ କଲେଜ ଫର ଓମେନ୍‌, ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂ, ଦି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ), ଦି ଲେପ୍ରସି ମିଶନ୍‌, ଟ୍ୟୁବରକୁଲୋସିସ୍‌ ଆସୋସିଏସନ୍‌ ଅଫ ଇଣ୍ଡିଆ, ଇମାନୁଏଲ ହସ୍ପିଟାଲ ଆସୋସିଏସନ୍‌, ବିଶ୍ବ ଧର୍ମୟାତନ୍‌, ମହର୍ଷି ଆୟୁର୍ବେଦ ପ୍ରତିଷ୍ଠାନ, ନ୍ୟାସନାଲ ଫେଡେରେସନ୍‌ ଅଫ ଫିସରମେନ୍‌ସ କୋ-ଅପରେଟିଭ୍‌ସ, ହମଦର୍ଦ ଏଡୁକେସନ୍‌ ସୋସାଇଟି, ଦିଲ୍ଲୀ ସ୍କୁଲ ଅଫ ସୋସିଆଲ ୱର୍କ ସୋସାଇଟି, ଭାରତୀୟ ସଂସ୍କୃତି ପରିଷଦ, ଡିଏଭି କଲେଜ ଟ୍ରଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ସୋସାଇଟି, ଇଣ୍ଡିଆ ଇସ୍‌ଲାମିକ କଲ୍‌ଚରାଲ ସେଣ୍ଟର, ଗୋଦରେଜ ମେମୋରିଆଲ ଟ୍ରଷ୍ଟ, ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ସୋସାଇଟି, ଜବାବହର ଲାଲ ନେହରୁ ବିଶ୍ବବିଦ୍ୟାଳୟ ଅଧୀନ ନ୍ୟୁକ୍ଲିୟର ସାଇନ୍ସ ସେଣ୍ଟର, ଇଣ୍ଡିଆ ହାବିଟାଟ୍‌ ସେଣ୍ଟର, ଅଲ ଇଣ୍ଡିଆ ମାରୱାଡ଼ି ଯୁବା ମଞ୍ଚ ଆଦିର ପଞ୍ଜୀକରଣ ଅବଧି ଶୁକ୍ରବାର ରାତିରେ ଶେଷ ହୋଇଥିଲାବେଳେ ଏହାର ନବୀକରଣ କରାଯାଇ ନାହିଁ।

ସରକାରଙ୍କ କହିବାନୁଯାୟୀ ସେମାନେ ଏଥିପାଇଁ ଆବେଦନ କରିନାହାନ୍ତି; କିନ୍ତୁ ସମ୍ପୃକ୍ତ ସଂଗଠନଗୁଡ଼ିକ ଅସ୍ବୀକାର କରିଛନ୍ତି। ଭାରତରେ ମୋଟ ୨୨ହଜାର ୭୬୨ ସ୍ବେଚ୍ଛାସେବୀ ସଂସ୍ଥା କାର୍ଯ୍ୟରତ । ସେଥିରୁ ପ୍ରାୟ ୬ ହଜାରର ପଞ୍ଜୀକରଣ ବାତିଲ କରାଯାଇଥିବାବେଳେ ୧୬,୮୨୯ ନିକଟରେ ଏଫ୍‌ସିଆରଏ ପଞ୍ଜୀକରଣ ରହିଛି; କିନ୍ତୁ ଆସନ୍ତା ମାର୍ଚ୍ଚ ୩୧ରେ ଏହି ଅବଧି ଶେଷ ହେବ।

Comments are closed.