ସଂକ୍ରମଣ ବଢିଲେ ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା

ପୁରୀ,: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିଲେ ଗତବର୍ଷ ଭଳି ଚଳିତ ବର୍ଷ ବିନାଭକ୍ତରେ ହୋଇପାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା। ତେଣୁ ପରିସ୍ଥିତି ଉପରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ନଜର ରଖିଛନ୍ତି। ରଥଯାତ୍ରା ଆଉ ୪ ମାସ ବାକିଥିବା ବେଳେ ଏପର୍ୟ୍ୟନ୍ତ ପ୍ରସ୍ତୁତି କାର୍ୟ୍ୟ। ଆରମ୍ଭ ହୋଇନାହିଁ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ତିଥିରେ କେବଳ ରଥକାଠ ପୂଜା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ପ୍ରଥମ ସମନ୍ବୟ କମିଟି ବୈଠକ ପାଇଁ ଦିନଧାର୍ୟ୍ୟ ହୋଇପାରୁନାହିଁ।

ଚଳିତବର୍ଷ ଜୁଲାଇ ୧୨ତାରିଖରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅକ୍ଷୟତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ ହେବା ବିଧି ରହିଛି। ଆଗାମୀ ମେ ୧୫ତାରିଖ ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ସହ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ। ମହାମାରୀ କରୋନା ଯୋଗୁଁ ଗତବର୍ଷ ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ଅକ୍ଷୟତୃତୀୟା ଏବଂ ରଥ ଅନୁକୂଳ ନୀତି ସମ୍ପନ୍ନ ହୋଇଥିଲା। ନରେନ୍ଦ୍ର ପୁଷ୍କରିଣୀ ପରିବର୍ତ୍ତେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଚାପ ଖେଳିଥିଲେ। ବିନାଭକ୍ତରେ ହୋଇଥିଲା ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ମିଳିବା ପରେ ବିନା ଭକ୍ତରେ ନବ ଦିନବ୍ୟାପି ଭାଇଭଉଣୀଙ୍କ ସହ ଘୋଷଯାତ୍ରା କରିଥିଲେ କାଳିଆ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଥିବା ବେଳେ କୌଣସି ଅଣସେବକ ଭକ୍ତଙ୍କୁ ସେଠାରେ ଦର୍ଶନ ପାଇଁ ଅନୁମତି ଦିଆଯାଇ ନଥିଲା।

ଚଳିତବର୍ଷ କରୋନା ଲେଉଟାଣି ସମେତ ପୁରୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀଜୀଉଙ୍କ ଆଗାମୀ ରଥଯାତ୍ରା ବିନା ଭକ୍ତରେ ହେବ ନାଁ ଭକ୍ତଙ୍କ ମେଳରେ ମହାପ୍ରଭୁ ଘୋଷଯାତ୍ରା କରିବେ ସେଥିନେଇ ଅନିଶ୍ଚିତତା ଦେଖା ଦେଇଛି। ଗତମାସ ୧୫ତାରିଖଠାରୁ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ୟ୍ୟକାଳ ଶେଷ ହୋଇ ସାରିଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ୟ୍ୟନ୍ତ ନୂଆ କମିଟି ଗଠନ କରିନାହାଁନ୍ତି। ତେଣୁ ଆଗାମୀ ଅକ୍ଷୟ ତୃତୀୟା, ସ୍ନାନପୂର୍ଣ୍ଣିମା ଯାତ୍ରା ଏବଂ ରଥଯାତ୍ରା ସମ୍ପର୍କରେ ଆଲୋଚନା ପାଇଁ ପରିଚାଳନା କମିଟି ବୈଠକ ବସିନାହିଁ। ରଥଯାତ୍ରା ପୂର୍ବରୁ ଯଦି ପରିଚାଳନା କମିଟି ପୁନର୍ଗଠନ କରାନଯାଏ ତାହାଲେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ସୁପାରିସ କ୍ରମେ ରାଜ୍ୟ ସରକାର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବା ସମ୍ଭାବନା ରହିଛି। ଏ ସମ୍ପର୍କରେ ଏବେଠାରୁ ମତଦେବାକୁ ମନ୍ଦିର ପ୍ରଶାସନ କିମ୍ବା ଜିଲା ପ୍ରଶାସନର କୌଣସି ଅଧିକାରୀ ରାଜି ହୋଇନାହାଁନ୍ତି।

କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ରଥଯାତ୍ରା ସମ୍ପର୍କରେ ଠିକ୍‌ ସମୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ମୁଣ୍ଡଉପରେ ଅକ୍ଷୟତୃତୀୟା, ସ୍ନାନଯାତ୍ରା ଏବଂ ରଥଯାତ୍ରା ଥିବାରୁ ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ସବୁ ସେବକଙ୍କ ପୁଣିଥରେ କୋଭିଡ ପରୀକ୍ଷା ପାଇଁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ରଥଯାତ୍ରା ପୂର୍ବରୁ ସବୁ ସେବକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବା ପ୍ରସ୍ତାବ ରହିଛି। ମନ୍ଦିର ପ୍ରଶାସନ ପକ୍ଷରୁ ସବୁ ସେବକ ନିଯୋଗ କର୍ମକର୍ତ୍ତାଙ୍କୁ ଗୁରୁବାର ଏଥିପାଇଁ ଚିଠି ଲେଖାଯାଇଛି। ମେ ଶେଷସୁଦ୍ଧା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ରଥଯାତ୍ରା ସମ୍ପର୍କରେ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଆବଶ୍ୟକ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି।

Comments are closed.