ଖୁବ ଶୀଘ୍ର ହେବ ପରବର୍ତ୍ତୀ ଅର୍ଥନୈତିକ ପ୍ୟାକେଜ ଘୋଷଣା

- ବିଭିନ୍ନ ବିଭାଗ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଆଜି ରାତି ୧୨ରୁ ଲକ ଡାଉନ ବ୍ୟବସ୍ଥା ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗୁ ହେବାକୁ ଯାଉଥିବା ବେଳେ ଅର୍ଥନୈତିକ ବ୍ୟବସ୍ଥାକୁ ସଜାଡ଼ିବାକୁ ଏବଂ ଟ୍ରାକକୁ ଆଣିବା ପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଘୋଷଣା କରିବେ ପରବର୍ତ୍ତୀ ଅର୍ଥନୈତିକ ପ୍ୟାକେଜ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଓ ସେମାନଙ୍କ ମତାମତ ଓ ପରାମର୍ଶ ଅନୁଯାୟୀ ଏହି ପ୍ୟାକେଜକୁ ଅନ୍ତିମ ରୂପ ଦିଆଯାଉଛି। ଏହି ପ୍ୟାକେଜରେ ଲକ ଡାଉନ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜଣାପଡିଛି।

ମେ’ ୪ରୁ ଦେଶବ୍ୟାପୀ ସମସ୍ତ ଜିଲ୍ଲାକୁ ରେଡ, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ବର୍ଗୀକରଣ କରାଯାଇ କେତେକ କ୍ଷେତ୍ରରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ତେବେ ପୂର୍ବ ଅର୍ଥନୈତିକ ସ୍ଥିତି ଫେରାଇ ଆଣିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ଜୋରଦାର କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି।

ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକ ପାଇଁ ଏକ ଉତ୍ସର୍ଗୀକୃତ ପାଣ୍ଠି ସ୍ଥାପନ କରିବାକୁ ଅର୍ଥ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପରାମର୍ଶ ଦେଇଛି ଯାହା ଫଳରେ ରୁଗଣ ହୋଇପଡୁଥିବା ଶିଳ୍ପଗୁଡିକ ଋଣ ପ୍ରଦାନ କରାଯାଇ ପାରିବ। ଏହି ପାଣ୍ଠି ବ୍ୟାପକ ହେବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରାଳୟ କହିଛି କାରଣ କ୍ଷତିଗ୍ରସ୍ଥ ବ୍ୟବସାୟୀଙ୍କୁ ଆବଶ୍ୟକ ମତେ ଋଣ ପ୍ରଦାନ କରାଯାଇ ପାରିବ।

Comments are closed.