ଦୁଇ ସପ୍ତାହ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ: ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଏଠାରେ ସ୍ଥିତି ଚୀନ ପରି ନିୟନ୍ତ୍ରଣକୁ ଆସିପାରେ ଅଥବା ଇଟାଲି ପରି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି। ଏହାକୁ ନେଇ ଆତଙ୍କିତ ନହୋଇ ବରଂ ସଂକ୍ରମଣ ରୋକିବା ଲାଗି ଆବଶ୍ୟକ ସୁରକ୍ଷା ସଚେତନତା ଆପଣେଇବାକୁ ବୈଜ୍ଞାନିକ ଦଳ ପରାମର୍ଶ ଦେଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପର ପ୍ରଭାବ ଅନୁସାରେ ସ୍ଥିତି ନିର୍ଭର କରିବ। ଏକ ଆକଳନ ଅନୁସାରେ ଆସନ୍ତା ଦୁଇରୁ ତିନି ସପ୍ତାହ ମଧ୍ୟରେ ଭାରତର ସଂକ୍ରମିତଙ୍କ ସଂଖ୍ୟା ୪୧୫ରୁ ୧ ହଜାର ପର୍ୟ୍ୟନ୍ତ ବୃଦ୍ଧି ପାଇପାରେ। ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ ପାଇଁ ସରକାରଙ୍କ ଆହ୍ବାନକୁ ଲୋକମାନେ ଯଦି ସଂପୂର୍ଣ୍ଣ ଭାବେ ପାଳନ କରନ୍ତି ତେବେ ସଂଖ୍ୟା ୪୧୫ ଆଖପାଖରେ ସୀମିତ ରହିବ। ଯଦି ଲୋକମାନେ ଏହାକୁ ଠିକ ଭାବେ ପାଳନ କରନ୍ତି ନାହିଁ, ତେବେ ସଂଖ୍ୟା ବଢିପାରେ। ଚେନ୍ନାଇ ମାଥମେଟିକାଲ ଇନଷ୍ଟିଚ୍ୟୁଟର ପ୍ରଫେସର ସୌରିସ ଦାସ କହିଛନ୍ତି ଯେ ଆମେ ଯଦି ଚୀନ ପରି କଠୋର ଅନୁଶାସନ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ତେବେ ଏପ୍ରିଲ ୧୫ ସୁଦ୍ଧା ସଂକ୍ରମଣ ସଂଖ୍ୟା ୪୧୫ ଆଖପାଖରେ ରହିବ। ତେବେ ଭାରତର ଯୁବା ଜନସଂଖ୍ୟା ଦୃଷ୍ଟିରୁ ଇଟାଲି ପରି ସଂକ୍ରମିତ ବା ମୃତ୍ୟୁସଂଖ୍ୟା ଏତେ ନ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଆଉ ଜଣେ ବିଶେଷଜ୍ଞ ସୀତାଭ୍ର ସିହ୍ନା କହିଛନ୍ତି ଯେ ଭାରତରେ ସଂକ୍ରମିତ ସଂଖ୍ୟା ବର୍ତ୍ତମାନର ହାରରେ ବଢି ଚାଲିଲେ ମାର୍ଚ୍ଚ ଶେଷ ସୁଦ୍ଧା ତାହା ୧୦୦୦ ଛୁଇଁପାରେ। କିନ୍ତୁ ସରକାର ଘୋଷଣା କରିଥିବା ପଦକ୍ଷେପଗୁଡ଼ିକୁ ଭଲ ଭାବରେ ପାଳନ କରାଗଲେ ଏହି ସଂଖ୍ୟା ନିୟନ୍ତ୍ରଣରେ ରଖାଯାଇ ପାରିବ।

Comments are closed.