ସୁପର ଓଭର ଆମର ବନ୍ଧୁ ନୁହେଁ : ୱିଲିୟମ୍‌ସନ

ବୁଧବାର ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସୁପର ଓଭରରେ ଭାରତଠାରୁ ପରାଜୟ ପରେ ସିରିଜ୍‌ ହାରିଛି ଘରୋଇ ନ୍ୟୁଜିଲାଣ୍ଡ। ସୁପର ଓଭରର ଶେଷ ୨ଟି ବଲ୍‌ରେ କ୍ରମାଗତ ୨ଟି ଛକାମାରି ଦଳକୁ ଜିତାଇବା ସହ ନ୍ୟୁଜିଲାଣ୍ଡ ମାଟିରେ ଭାରତକୁ ପ୍ରଥମ ଟ୍ବେଣ୍ଟି୨୦ ସିରିଜ୍ ଜିତାଇଛନ୍ତି ରୋହିତ ଶର୍ମା। ଏପରି ପରାଜୟ ପରେ ନିରାଶ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ୍ କହିଛନ୍ତି, ସୁପର ଓଭର ଆମର ବନ୍ଧୁ ନୁହନ୍ତି। ଏହି ପରାଜୟ ଗତବର୍ଷ ବିଶ୍ବକପ୍ ଫାଇନାଲରେ ଇଂଲଣ୍ଡଠାରୁ ନ୍ୟୁଜିଲାଣ୍ଡର ପରାଜୟର ସ୍ମୃତି ଜାଗ୍ରତ କରିଛି। ମ୍ୟାଚ୍ ଟାଇ ରହିବା ପ​‌େ​ର ସୁପର ଓଭର ମଧ୍ୟ ଟାଇ ରହିଥିଲା। ପରେ ବାଉଣ୍ଡରୀ ଗଣନାରେ ଇଂଲଣ୍ଡ ବିଜେତା ଘୋଷିତ ହୋଇଥିଲା।
ଭାରତ ସହ ମ୍ୟାଚ୍ ପରେ ୱିଲିୟମ୍‌ସନ୍ କହିଛନ୍ତି, ପ୍ରକୃତରେ ସୁପର ଓଭର ଆମର ବନ୍ଧୁ ନୁହନ୍ତି। ସତ କହିବାକୁ ଗଲେ; ସୁପର ଓଭର ନୁହେଁ; ତାହା ପୂର୍ବରୁ ଆମକୁ ଜିତିବାର ଥିଲା। ଏହା ମଧ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ ପ୍ରଥମ ୨ଟି ମ୍ୟାଚ୍ ପରେ ଆମ ଖେଳାଳି ବହୁତ ଉନ୍ନତି କରିଛନ୍ତି। ଏହା ଏକ ଚମତ୍କାର ମ୍ୟାଚ୍ ଥିଲା। ଏହି ପିଚ୍‌ରେ ଭାରତ ଏକ ଭଲ ସ୍କୋର୍ ଛିଡ଼ା କରିଥିଲା। ପିଚ୍‌ରେ ବଲ୍‌ ସ୍ପିନ୍ କରୁଥିବା ବେଳେ ଭାରତୀୟ ସ୍ପିନର ଭଲ ବୋଲିଂ କରିଥିଲେ।

Comments are closed.