ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ଘୋଷିତ

ୱେଲିଂଟନ୍‌: ଭାରତ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ସୋମବାର ଘୋଷଣା ହୋଇଛି। ଆହତ ଥିବା ଯୋଗୁଁ ଭାରତ ବିପକ୍ଷ ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ ଖେଳି ପାରିନଥିବା ତାରକା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍‌ଟ ସୁସ୍ଥହୋଇ ଦଳକୁ ଫେରିଛନ୍ତି। ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ବୋଲ୍‌ଟଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା। ଦଳ​‌ରେ ଏକମାତ୍ର ସ୍ପିନର ଭାବେ ଆଜାଜ୍ ପଟେଲ ରହିଛନ୍ତି। ପୁଣି ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ୬ ଫୁଟ୍‌ ୮ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ଫାଷ୍ଟବୋଲର କାଏଲ୍‌ ଜେମିସନ୍‌ଙ୍କୁ ମଧ୍ୟ ଟେଷ୍ଟ ଦଳରେ ସାମିଲ କରାଯାଇଛି।

ଦଳ ଘୋଷଣା ପରେ ନ୍ୟୁଜିଲାଣ୍ଡ ଦଳର ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ୍‌ କହିଛନ୍ତି, ବୋଲ୍‌ଟ ଫେରିବା ପରେ ଦଳର ଶକ୍ତି ବୃଦ୍ଧିପାଇବ। ବୋଲ୍‌ଟଙ୍କ ନିକଟରେ ଦ୍ରୁତ ଗତିରେ ବଲ୍‌କୁ ସ୍ବିଙ୍ଗ୍‌ କରିବାର ଦକ୍ଷତା ରହିଛି। ଏଥିସହ ତାଙ୍କ ନିକଟରେ ବିପୁଳ ଅଭିଜ୍ଞତା ରହିଥିବାରୁ ଏଥିରୁ ନ୍ୟୁଜିଲାଣ୍ଡ ଦଳ ଲାଭବାନ୍‌ ହେବ। ଦିନିକିଆ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର କେଲ୍‌ ଜେମିସନ୍‌ଙ୍କୁ ଟେଷ୍ଟ ଦଳରେ ସୁଯୋଗ ମିିଳିଛି। ଲୋକି ଫର୍ଗୁସନ୍‌ ସୁସ୍ଥହୋଇ ଘରୋଇ କ୍ରିକେଟ ଖେଳୁଥିଲେ ହେଁ ତାଙ୍କୁ ହଠାତ୍ ଟେଷ୍ଟମ୍ୟାଚ୍ ଖେଳାଇବା ଲାଗି ନ୍ୟୁଜିଲାଣ୍ଡ ଦଳ ମ୍ୟାନେଜମେଣ୍ଟ ଉଚିତ ମନେ କରିନାହାନ୍ତି। ପୁଣି ଅନ୍ୟ ପ୍ରମୁଖ ଫାଷ୍ଟବୋଲର ମ୍ୟାଟ୍‌ ହେନ୍‌ରି ମଧ୍ୟ ଫିଟ୍‌ହୋଇ ଗୋଟିଏ ଘରୋଇ ମ୍ୟାଚ୍‌ ଖେଳିଥିଲେ ହେଁ ବଲ୍‌କୁ ବାଉନ୍‌ସ କରିବାର ଦକ୍ଷତା ଯୋଗୁଁ ଜେମିସନ୍‌ଙ୍କୁ ସୁଯୋଗ ମିଳିଛି। ବୋଲ୍‌ଟଙ୍କ ବ୍ୟତୀତ ଟିମ୍‌ ସାଉଦି ଓ ନିଲ୍ ୱାଗ୍‌ନରଙ୍କ ପରି ଦ୍ରୁତ ବୋଲର ଥିବାରୁ ସେମାନେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ। ଯଦି ଘରୋଇ ଦଳ ୪ ଜଣ ପେସ୍ ବୋଲରଙ୍କୁ ଖେଳାଇବାର ନିଷ୍ପତ୍ତି ନିଏ; ଜେମିସନ୍‌ ଖେଳିବାର ସୁଯୋଗ ପାଇପାରନ୍ତି। ଷ୍ଟିଡ୍‌ କହିଛନ୍ତି; ଜେମିସନ୍‌ ୱେଲିଙ୍ଗଟନ୍‌ ପିଚ୍‌ରେ ବଲ୍‌କୁ ଅଧିକ ବାଉନ୍‌ସ କରାଇ ପାରିବେ। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଲେ ଆଶ୍ଚର୍ୟ୍ୟ ହେବାର କିଛିନାହିଁ।

ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଟମ୍‌ ବ୍ଲୁଣ୍ଡେଲ୍‌ ଦଳରେ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଅଲରାଉଣ୍ଡର ଭାବେ ଡ୍ୟାରିଲ୍‌ ମିଚେଲ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ମିଚେଲ୍‌ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ନିମନ୍ତେ ନ୍ୟୁଜିଲାଣ୍ଡ ଦଳରେ ସାମିଲ କରା ଯାଇଥିବା ଷ୍ଟେଡ୍ ସ୍ପଷ୍ଟ କରି ଦେଇଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଓପନର୍‌ ଜିତ ରାୱଲ୍‌ ଏବଂ ଦୁଇ ସ୍ପିନର ମିଚେଲ୍‌ ସାଣ୍ଟ୍‌ନର ଓ ଟଡ୍‌ ଆସ୍‌ଲେଙ୍କୁ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ନିମନ୍ତେ ଦଳରୁ ବାଦ୍‌ ଦିଆଯାଇଛି। ପ୍ରଥମ ଟେଷ୍ଟ ଆସନ୍ତା ୨୧ରୁ ଓ ୨ୟ ଟେଷ୍ଟ ମ୍ୟାଚ୍‌ ୨୯ରୁ ଖେଳାଯିବ।

ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ:
କେନ୍‌ ୱିଲିୟମସନ୍‌ (ଅଧିନାୟକ)
ଟମ୍‌ ବ୍ଲଣ୍ଡେଲ୍‌, ଟ୍ରେଣ୍ଟ ବୋଲ୍‌ଟ
କଲିନ୍‌ ଡି ଗ୍ରାଣ୍ଡହୋମ୍‌
କାଏଲ୍‌ ଜେମିସନ୍‌
ଟମ୍‌ ଲାଥାମ୍‌
ଡ୍ୟାରିଲ୍‌ ମିଚେଲ୍‌
ହେନେରି ନିକୋଲ୍‌ସ
ଆଜାଜ୍ ପଟେଲ୍‌
ଟିମ୍‌ ସାଉଦି
ରସ୍‌ ଟେଲ୍‌ର
ନିଲ୍ ୱାଗନର
ବି.ଜେ. ୱାଟଲିଙ୍ଗ୍‌ (ୱିକେଟ ରକ୍ଷକ)

Comments are closed.