ଦେବେଗୌଡାଙ୍କ ପରିବାର ସମ୍ପର୍କରେ ରିପୋର୍ଟ; ଖବରକାଗଜ ସମ୍ପାଦକ ଓ କର୍ମଚାରୀଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ଏଚଡି ଦେବେଗୌଡାଙ୍କ ପରିବାର ସମ୍ପର୍କରେ ରିପୋର୍ଟ ପ୍ରକାଶ କରିବା ନେଇ ଖବରକାଗଜର ସମ୍ପାଦକ ଓ ସମ୍ପାଦକ ବିଭାଗ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲୋକସଭା ନିର୍ବାଚନରେ ଜେଡିଏସ ପରାଜୟ ପରେ ଦେବେଗୌଡାଙ୍କ ପରିବାରରେ ସମସ୍ୟା ଦେଖାଯାଇଥିବା ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି। କନ୍ନଡ ଖବରକାଗଜ ‘ବିଶ୍ବବାଣୀ’ରେ ଶନିବାର ଏହି ରିପୋର୍ଟ ପ୍ରକାଶ ପାଇଛି। ତେବେ ରିପୋର୍ଟକୁ ଜେଡିଏସ୍ ମିଥ୍ୟା ବୋଲି ଦର୍ଶାଇଛି। ଜେଡିଏସ୍ ରାଜ୍ୟ ସଚିବ ପ୍ରଦୀପ କୁମାର ଦାୟର କରିଥିବା ଅଭିଯୋଗ ଅନୁଯାୟୀ ରିପୋର୍ଟ ପ୍ରକାଶ ପରେ ଗୌଡାଙ୍କ ନାତି ଓ ନାତୁଣୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଖବରକାଗଜର ସମ୍ପାଦକ ବିଶ୍ବେଶ୍ବର ଭଟ୍ଟ ଓ ସମ୍ପାଦକୀୟ କର୍ମଚାରୀଙ୍କ ବିରୋଧରେ ଧାରା ୪୦୬ (ବିଶ୍ବାସ ଭଙ୍ଗ), ୪୨୦ (ଠକେଇ) ଓ ୪୯୯ (ମାନହାନୀ)ରେ ମାମଲା ରୁଜୁ ହୋଇଛି।
ପ୍ରଦୀପ କୁମାର କହିଛନ୍ତି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଦେବେଗୌଡାଙ୍କ ନାତି ତଥା ମୁଖ୍ୟମନ୍ତ୍ରୀ ଡି କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ ନିଜ ପରାଜୟ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ନିଖିଲ ମାଣ୍ଡ୍ୟା ଆସନରୁ ସ୍ବାଧୀନ ପ୍ରାର୍ଥୀ ସୁମଲତା ଅମ୍ବରିସଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଅମ୍ବରିସଙ୍କୁ ବିଜେପି ସମର୍ଥନ ଜଣାଇଥିଲା। ମାମଲା ରୁଜୁ ସମ୍ପର୍କରେ ସମ୍ପାଦକ ଭଟ୍ଟ କହିଛନ୍ତି ଯେ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏ ସମ୍ପର୍କରେ ଯଦି କାହାର କିଛି ଅଭିଯୋଗ ଥାଏ ତେବେ ସେଥିପାଇଁ ସ୍ପଷ୍ଟିକରଣ ଦିଆଯିବ। ସେ କହିଛନ୍ତି ଯେ ‘ବିଗତ ୧୯ବର୍ଷ ହେଲା ମୁଁ ସମ୍ପାଦକ ଭାବେ କାର୍ଯ୍ୟକରିଆସୁଛି। ଅତୀତରେ ଏପରି କୌଣସି ଘଟଣା ଘଟି ନଥିଲା। ଖବରକାଗଜ ବିରୋଧରେ ମାନାହାନୀ ମାମଲା ରୁଜୁ ଏକ ନୂଆ ଘଟଣା। ଏହି ମାମଲାକୁ ମୁଁ ଅଦାଲତରେ ନିଶ୍ଚିତ ଚାଲେଞ୍ଜ କରିବି।’