ନିଜେ ଆକ୍ରାନ୍ତ ହୋଇ ମଧ୍ୟ ଅନ୍ୟକୁ ସୁସ୍ଥ କରାଇବାର ଅଦମ୍ୟ ସାହାସ ରଖିଛି ପୁଲିସ: ଡିଆଇଜି

ଗୋଲାପ ଦେଇ ସମ୍ବର୍ଦ୍ଧିତ କଲେ, ପ୍ଲାଜମା ଦାନ ପାଇଁ ଉତ୍ସାହିତ କଲେ

ସୁନ୍ଦରଗଡ଼: ମହାମାରୀ କରୋନା ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ସହ ନିଜ ପରିବାରକୁ ଛାଡ଼ି ୨୪ଘଣ୍ଟିଆ ସେବା ପ୍ରଦାନ କରି ଆସୁଥିବା ପୁଲିସ ନିଜେ ଆକ୍ରାନ୍ତ ହୋଇ ମଧ୍ୟ ଅନ୍ୟକୁ ସୁସ୍ଥ କରାଇବାର ଅଦମ୍ୟ ସାହାସ ପ୍ରଦର୍ଶନ କରି ପାରିଛି ବୋଲି ପଶ୍ଚିମାଞ୍ଚଳ ପୁଲିସ ଡି.ଆଇ.ଜି କବିତା ଜଲାନ ଦୃଢ଼ତାର ସହ ମତବ୍ୟକ୍ତ କରିଛନ୍ତି । ଆଜି ସ୍ଥାନୀୟ ରିଜର୍ଭ ପୁଲିସର ଇଣ୍ଡୋର ଷ୍ଟାଡିୟମରେ କରୋନା ଯୋଦ୍ଧା (ଆକ୍ରାନ୍ତ ଅଧିକାରୀ ଓ ପୁଲିସ କର୍ମଚାରୀ) ଙ୍କୁ ସୁସ୍ଥ ହୋଇ ପୁନଶ୍ଚ ନିଜ କାର୍ଯ୍ୟରେ ଯୋଗଦେବା ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡି.ଆଇ.ଜି ଜଲାନ ଆହୁରି କହିଲେ ଯେ, ମହାମାରୀ କରୋନାକୁ ଡରି କେହି ଆତଙ୍କିତ ବା ଭୟଭିତ ହେବା ଉଚିତ ନୁହେଁ । ନିଜେ ସତର୍କ ଓ ସଚେତନ ହୋଇ ଅନ୍ୟକୁ ସଚେତନ ହେବା ପାଇଁ ପ୍ରବର୍ତ୍ତାଇବା ସହ ମନୋବଳ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ । ଏ ଅବସରରେ ସେ ସୁସ୍ଥ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ବାର୍ତ୍ତାବହ ସାଜିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜିକା ତଥା ସୁନ୍ଦରଗଡ଼ ଏସ.ପି ସୁଶ୍ରୀ ସାଗରିକା ନାଥ ମହାମାରୀକୁ ଡରି ଆତଙ୍କିତ ହେବାର କୌଣସି ଆବଶ୍ୟକତା ନଥିବା ବେଳେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ବିଗତ ଦିନରେ ବହୁ ପ୍ରତିକୂଳ ପରିସ୍ଥିତିରେ ନିଷ୍ଠା ଓ ସଚ୍ଚୋଟତାର ସହ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି କର୍ମଚାରୀମାନେ ନିଜ ସେବା ମନୋଭାବକୁ ଜାରି ରଖିବା ସହ ବିଭାଗର ଦାୟିତ୍ୱ ଓ ସମ୍ମାନକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେବା ସହ ପ୍ଲାଜମା ଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିରିକ୍ତ ଏସ.ପି ରବିନାରାୟଣ ବାରିକ ସ୍ୱାଗତ ଭାଷଣ ଦେଇ ସୁନ୍ଦରଗଡ଼ ପୁଲିସ ଜିଲାର ଆକ୍ରାନ୍ତ ହୋଇଥିବା ଅଧିକାରୀ ଓ କର୍ମଚାରୀଙ୍କୁ ବଧାଇ ଜଣାଇବା ସହ ନିଜ ମନୋବଳକୁ ଦୃଢ଼ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏ ଅବସରରେ ସୁସ୍ଥ ହୋଇ ନିଜ କାର୍ଯ୍ୟରେ ଯୋଗଦେଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ଡି.ଆଇ.ଜି ଜଲାନ ଓ ଏସ.ପି ସାଗରିକା ନାଥ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଡି.ଏସ.ପି ପ୍ରଭାତ ରଞ୍ଜନ ବିଶ୍ୱାଲ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୁଲିସ ଅଧିକାରୀ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନଧି ଉପସ୍ଥିତ ଥିଲେ । କେତେକ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ଗତ ଦିନରେ ୩୬ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ନିଜ କାର୍ଯ୍ୟରେ ଯୋଗଦେଇଥିବାର ଜଣାପଡ଼ିଛି ।

Comments are closed.