୧୦ ଘଣ୍ଟା ପଡିରହିଲା ଶବ ; ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଉଠିଲା ମହିଳାଙ୍କ ମୃତଦେହ

ବାଙ୍କୀ : ମୃତ୍ୟୁ ପରେ ବି ମିଳିଲାନି କାନ୍ଧ । ୧୦ ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡିରହିବା ପରେ ବି ଗ୍ରାମବାସୀ କି ସରପଂଚ କେହି ବି ଶବ ଉଠାଇବା ନେଇ କୌଣସି ବ୍ୟବସ୍ଥା କଲେ ନାହିଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ହରିରାଜପୁର ଗ୍ରାମରେ ।
ଗତ କିଛି ଦିନ ଧରି ହରିରାଜପୁର ଗାଁର ମହିଳା ମୀନତି ନନ୍ଦ ଜ୍ୱରରେ ପଡିଥିଲେ । ଶୁକ୍ରବାର ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ଭୟରେ ତାଙ୍କ ଶବ ଉଠାଇବାକୁ ଗାଁ ଲୋକ ମନା କରିଦେଲେ । ମୃତା ମହିଳାଙ୍କ ସଂପର୍କୀୟ ଶବ ସତ୍କାର ଲାଗି ଗାଁ ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । ଏପରିକି ଗାଁ ର ସରପଂଚ ଶବ ଉଠାଇବା ନେଇ କୌଣସି ବ୍ୟବସ୍ଥା କରିନଥିଲେ । ସେହି ଗାଁର ଜଣେ ଶିକ୍ଷିତ ଯୁବକ ନାରାୟଣ ରଥ କଟକ ଜିଲ୍ଲାପାଳଙ୍କୁ ଫୋନ୍ କରି ସମସ୍ତ କଥା କହିବା ପରେ ଶବ ଉଠିବା ନେଇ ଜିଲ୍ଲାପାଳ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଲେ । ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାଙ୍କୀ ତହସିଲଦାର ଓ ଆରଆଇ ଘଟଣାସ୍ଥଳରେ ପହଂଚିଥିଲେ । ଡମପଡାରୁ ଆମ୍ବୁଲାନ୍ସ ଆସିବା ପରେ ନାରାୟଣ ରଥ ଓ ମୃତା ମହିଳାଙ୍କ ସଂପର୍କୀୟ ପିପିଇ କିଟ୍ ପିନ୍ଧି ମୃତଦେହକୁ ଆମ୍ବୁଲାନ୍ସରେ ରଖିଥିଲେ । ମୃତଦେହକୁ ଅନ୍ତିମ ସଂସ୍କାର କରିବା ପାଇଁ କଟକ ସତିଚଉରା ଶ୍ମଶାନ ଘାଟକୁ ପଠାଯାଇଥିଲା ।

Comments are closed.