ଶାନ୍ତି କମିଟି ବୈଠକରେ ରାଜିନାମାରେ ସ୍ଵାକ୍ଷର କଲେନି ବାହାଡ଼ାପଦା ଗ୍ରାମବାସୀ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ଥ ବାହାଡ଼ାପଦା ମୌଜାକୁ ନେଇ ଗତ ୫/୬ରେ ବାହାଡ଼ାପଦା ଓ ବିଜିପୁର ଗ୍ରାମବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ସେଥିରେ ୧୨ଜଣ ଗୁରୁତର ଆହତ ହେଇଥିଲେ ଏବଂ ବ୍ରହ୍ମପୁର ଓ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। ଗତ ୬/୬ରେ ଗ୍ରାମରେ ଶାନ୍ତି ଶୁଙ୍ଖଳା ରଖିବା ପାଇଁ ତିନୋଟି ଗ୍ରାମର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ତହସିଲଦାର କିଶୋର ଚନ୍ଦ୍ର ଦାଶ, ଏସଡିପିଓ ଦିଲ୍ଲୀପ କୁମାର ନାୟକ, ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ସମେତ ଗ୍ରାମ ବାସୀଙ୍କ ଉପସ୍ଥିତିରେ ପ୍ରଥମ ଶାନ୍ତି କମିଟି ବୈଠକ ହୋଇଥିଲା। ଏବଂ ଉକ୍ତ ସରକାରୀ ଜମିକୁ ୧୪୪ ଧାରା ଲାଗୁ କରଯାଇଥିଲା।

ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବୁଧବାର ଦିନ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ସ୍ଥାନୀୟ ତହସିଲଦାର କିଶୋର ଚନ୍ଦ୍ର ଦାସ, ଦୁଇ ଗ୍ରାମବାସୀ, ସରପଞ୍ଚ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ଚନ୍ଦ୍ରଗିରି ଫାଣ୍ଡି ପରିସରରେ ଦୁତୀୟ ଶାନ୍ତି କମିଟି ବୈଠକ ବସିଥିଲା। ସରକାରଙ୍କ ନିୟମ ଅନୁଯାୟୀ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଉକ୍ତ ଜମିରେ ସରକାର କୃଷି ବିଭାଗ ପକ୍ଷରୁ ଏକ ପ୍ଲାଣ୍ଟ କରି ଉଭୟ ଗ୍ରାମବାସୀଙ୍କୁ ରୋଜଗାରକ୍ଷମ କରାଇବେ। କିନ୍ତୁ ଏଥିରେ ସହମତ ହେଉନଥିଲେ ବାହାଡ଼ାପଦା ଗ୍ରାମବାସୀ । ସେମାନଙ୍କ ଦାବି ରହିଥିଲା ଉକ୍ତ ଜମିଟି ସେମାନଙ୍କ ପୂର୍ବ ପୁରୁଷ ଅମଳରୁ ବାହାଡ଼ାପଦା ମୌଜାରେ ରହିଛି। ସେଠି ତାଙ୍କ ପୂର୍ବ ପୁରୁଷ ଚାଷ କରୁଥିଲେ। ତେଣୁ ସେ ଜମି ଆମକୁ ଦିଆଯାଉ ଏବଂ ସେଠାରୁ ବିଜିପୁର ଗ୍ରାମବାସୀଙ୍କୁ ଉଚ୍ଛେଦ କରାଯାଉ। ସରକାରଙ୍କ ନିୟମକୁ ଗ୍ରହଣ ନ କରି ତିନି ଜଣ ବ୍ୟକ୍ତି ସ୍ଵାକ୍ଷର ନ କରି ଉଠି ଚାଲିଯାଇଥିଲେ। ବିଜିପୁର ଗ୍ରାମବାସୀ ସରକାରୀ ରାଜିନାମାରେ ସ୍ଵାକ୍ଷର କରିଥିଲେ।

Comments are closed.