ନୂଆ ନିର୍ମାଣ ସମ୍ବନ୍ଧୀୟ ପ୍ଲାନିଂ, ବିଲ୍ଡିଂ ନିୟମାବଳୀ ଶହେ ନୂଆ ପ୍ରକଳ୍ପକୁ ମିଳିପାରିବ ରେରା ପଞ୍ଜିକରଣ

ନିର୍ମାଣ ହେବ ଉତ୍ତମମାନର ସୁଲଭ ବାସଗୃହ , ଷ୍ଟାମ୍ପ ଡ୍ୟୁଟିରେ ହ୍ରାସ, ପାୱାର ଅଫ୍‌ ଆଟର୍ଣ୍ଣି ନିୟମ କୋହଳ କରିବାକୁ କ୍ରେଡାଇର ଦାବି

ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ଓ ଦେଶବ୍ୟାପୀ ହୋଇଥିବା ଲକ୍‌ଡାଉନର ପ୍ରଭାବରେ ରାଜ୍ୟର ରିଅଲ ଇଷ୍ଟେଟ୍ କ୍ଷେତ୍ର ଦୋହଲିଯାଇଛି । ଏଥିଯୋଗୁ ଅଟକିଯାଇଛି ଅନେକ ବାସଗୃହ ନିର୍ମାଣ ପ୍ରକଳ୍ପ । କୁଶଳୀ ଶ୍ରମିକ, କଞ୍ଚାମାଲ ଯୋଗାଣ ଏବଂ ଆର୍ଥିକ ସମସ୍ୟା ଆଦି ଯୋଗୁଁ କ୍ଷେତ୍ର ଶିଥିଳ ଅବସ୍ଥାକୁ ଆସିଯାଇଛି। ରାଜ୍ୟର ଏହି କ୍ଷେତ୍ରରେ ଅନେକ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ଦୃଷ୍ଟିରୁ ଏବେ ଏଠାରେ ୮୦ ଭାଗ ଦକ୍ଷ ଶ୍ରମଶକ୍ତିର ଅଭାବ ଦେଖାଦେଇଛି । ଉପଲବ୍ଧ ୨୦ ଭାଗ ଶ୍ରମିକଙ୍କୁ ନେଇ ଦୁଇରୁ ତିନି ସିଫ୍ଟ କରି କାମ କରାଯାଉଛି । ଏଭଳି ସମୟରେ କ୍ଷେତ୍ରରେ ଉତ୍ସାହ ଫେରାଇ ଆଣି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂଆ ନିର୍ମାଣ ସମ୍ବନ୍ଧୀୟ ପ୍ଲାନିଂ ଓ ବିଲ୍ଡିଂ ନିୟମାବଳୀ । ଏହାକୁ କ୍ରେଡାଇ ଭୁବନେଶ୍ୱର ସ୍ୱାଗତ କରିଛି।

ଓଡିଶା ଡେଭଲପମେଣ୍ଟ ଅଥରିଟିଜ୍ (ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ନିୟମ ୨୦୨୦ର ଅନୁମୋଦନ ସହ ରାଜ୍ୟର ବାସଗୃହ ଓ ବହୁତଳ ଅଟ୍ଟାଳିକା ନିର୍ମାଣ କ୍ଷେତ୍ରରେ ନୂଆ ପ୍ଲାନିଂ ଓ ବିଲ୍ଡିଂ ନିୟମାବଳୀ ନିଶ୍ଚିତ ରୂପେ ଅଧିକରୁ ଅଧିକ ଆର୍ଥିକ ନିବେଶ ଆଣିବା ସହ ରାଜ୍ୟର ଜିଡିପି ହାରରେ ବୃଦ୍ଧି କରିବାରେ ସହାୟକ ହେବ । ନୂଆ ନିୟମ ଆସିବା ପରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ଅନୁମୋଦନ ଲାଭ କରିଥିବା ପ୍ରାୟ ୧୦୦ ରିଅଲ ଇ​‌ଷ୍ଟେଟ୍‌ ପ୍ରକଳ୍ପ ଏ​‌ବେ ଓଡିଶା ରିଅଲ ଇଷ୍ଟେଟ୍‌ ନିୟାମକ କର୍ତ୍ତୃପକ୍ଷ (ରେରା)​‌​‌ରେ ସହଜରେ ପଞ୍ଜିକରଣ ହୋଇପାରିବ । ଏହାଛଡା ପ୍ରକଳ୍ପ ପଞ୍ଜିକରଣ ପ୍ରୋସେସିଂରେ ହେଉଥିବା ବିଳମ୍ବ, ଅନ୍‌ଲାଇନ୍ ଆପ୍ଲିକେସନ୍
ସମୟରେ ସଫ୍ଟୱେର ଓ ଅନୁପାଳନ ଜନିତ ସମସ୍ୟା ଆଦି ଆଦି ଆଉ ରହିବନାହିଁ । ଆଗକୁ ଆମେ ଉତ୍ତମ ମାନର ସୁଲଭ ବାସଗୃହ ପ୍ରକଳ୍ପ ଜରିଆରେ ସହରରେ ଗରିବ ଲୋକଙ୍କୁ ଘର ଯୋଗାଇ ଦେଇପାରିବୁ ​ବୋଲି କ୍ରେଡାଇ ଭୁବନେଶ୍ୱରର ସାଧାରଣ ସମ୍ପାଦକ ଇଂ ଉମେଶ ପଟ୍ଟନାୟକ କହିଛନ୍ତି। ଏବେ ବି ଅନ୍ୟ ରାଜ୍ୟଗୁଡିକରେ ଷ୍ଟାମ୍ପ ଡ୍ୟୁଟି ୧-୧.୫% ନିଆଯାଉଥିବାବେଳେ ଓଡ଼ିଶାରେ ୭% ନିଆଯାଉଛି। ସେହିଭଳି ପାୱାର ଅଫ୍‌ ଆଟର୍ଣ୍ଣି କ୍ଷେତ୍ରରେ ମଧ୍ୟ ଫି ୭% ନିଆଯାଉଛି । ଉଭୟ ଷ୍ଟାମ୍ପ ଡ୍ୟୁଟି ଏବଂ ପାୱାର ଅଫ୍‌ ଆଟର୍ଣ୍ଣି କ୍ଷେତ୍ରରେ ଫି ହ୍ରାସ କରିବାକୁ ସଂଘ ପକ୍ଷରୁ ରାଜସ୍ବ ସଚିବଙ୍କୁ ଦାବି ପତ୍ର ଦିଆଯାଇଥିଲେ ସୁଦ୍ଧା ଏ ଯାଏ କିଛି ସମାଧାନ ହୋଇପାରି ନ ଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିଭଳି ବାହାରେ ନିର୍ମାଣ କ୍ଷେତ୍ର ସହ ଜଡିତ ପ୍ରବାସୀ ଶ୍ରମିକଙ୍କୁ ଆମେ ଆମର ପ୍ରକଳ୍ପ କ୍ଷେତ୍ରରେ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛୁ । ଯାହା ଫଳରେ ସେମାନଙ୍କୁ ଆଉ ବାହାରକୁ କମା କରିବାକୁ ଯିବାକୁ ପଡିବାନାହିଁ । ଏଥିପାଇଁ ଆମେ ସଂଘ ଜରିଆରେ ବିଭିନ୍ନ ଜିଲାର ନିୟୋଜନ ଅଧିକାରୀଙ୍କଠାରୁ ପ୍ରାୟ ୩୦,୦୦୦ ଶ୍ରମିକଙ୍କ ଡାଟାବେସ୍‌ ଆଣିଥିବା ସେ କହିଛନ୍ତି ।

Comments are closed.