ନିଆଳି ଓ ପାରାଦୀପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

କଟକ/ପାରାଦୀପ : କଟକର ନିଆଳି ଓ ପାରାଦୀପ ରାହାମାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ନବୀନ ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ବିଜେପି ମିଛ ଓ ଗଣ୍ଡାଗର୍ଦ୍ଦିରେ ବଢୁଛି । ଏଭଳି ଆଚରଣ ପାଇଁ ଲୋକେ ବିଜେପିକୁ ଜବାବ ଦେବେ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ। କେନ୍ଦ୍ରକୁ ଟାର୍ଗେଟ କରି ସେ କହିଥିଲେ, ଫାଇଲିନ, ତିତିଲି, ହୁଡ୍‌ହୁଡ୍‌ ଆଦି ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟ ସମୟରେ କେନ୍ଦ୍ରୀୟ ନେତାମାନେ ଆସି ନ ଥିଲେ। ସାଢେ ୪ କୋଟି ରାଜ୍ୟବାସୀ ମୋର ପରିବାର କହି ସେ ଆଶୀର୍ବାଦ ଲୋଡ଼ିଥିଲେ।

Comments are closed.