ଆଦିବାସୀ ଲୋକଙ୍କ ଅର୍ଥ ରୋଜଗାରର ପନ୍ଥା ସଲପରସ

କରୋନା ସାକିଛି ବାଧକ

ମୋହନା : ଗଜପତି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀଙ୍କ ବିଭିନ୍ନ ଆୟପନ୍ଥା ମଧ୍ୟରୁ ସଲପ ଗଛ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଠାକାର ଆଦିବାସୀ ଲୋକେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଶ୍ରମ ଲାଗି ଯେତିକି ରୋଜଗାର କରେ ତା ତୁଳନାରେ ସଲପ ଗଛରୁ ଅଧିକ ଅର୍ଥ ରୋଜଗାର କରିଥାଏ । ନିଜର ବଗଡ଼, ଜଙ୍ଗଲ ଜମିରେ ଦୁଇ ତିନିଟି ସଲପ ଗଛ ରହିଥିଲେ ବର୍ଷ ସାରା ଆଦିବାସୀ ପରିବାରରେ ଟଙ୍କାର ଅଭାବ ରହେ ନାହିଁ ।
ତେଣୁ ଆଦିବାସୀ ବହୁଳ ଗାଁର ଅଧିକାଂଶ ପରିବାର ସଲପ ଗଛ ଲଗାଇବାକୁ ପ୍ରାଧାନ୍ୟ ଦିଅନ୍ତି ଏବଂ ଅନ୍ୟ ଗଛ ତୁଳନାରେ ସଲପ ଗଛର ଅଧିକ ଯତ୍ନ ନେଇଥାନ୍ତି । ସଲପ ଗଛ ୧୨ରୁ ୧୫ ବର୍ଷ ବଢିବା ପରେ ଗଛର ଫୁଲ ଧରିବା ଆରମ୍ଭ ହୁଏ । କଦଳୀଭଣ୍ଡା ଭଳି ଏହି ଗଛର କାଣ୍ଡ ତଳକୁ ଓହଳି ଆସିଥାଏ । ଏହାକୁ ଆଦିବାସୀ ଭାଷାରେ କେରା ବୋଲି କୁହାଯାଏ । କେରା ତଳକୁ ଲମ୍ବିବା ପରେ ତାହାର ଅଗକୁ କଟାଯାଏ ।ଅଗ କଟା ଯିବାର ୧୦ ଦିନ ପରେ ଖୋଲା ଛଡ଼ାଯାଇଥିବା କେରା ମୁହଁରେ ମାଟି ହାଣ୍ଡିଟିଏ ବାନ୍ଧି ଛାଡିଦିଆଯାଏ । ଏହି କେରାରୁ ଟୋପାଟୋପା ହୋଇ ରସ ଝରି ବାନ୍ଧଯାଇଥିବା ହାଣ୍ଡିରେ ପଡିଥାଏ ।
ହାଣ୍ଡିଟି ଭର୍ତ୍ତି ହୋଇଯିବାପରେ ଲୋକେ ତାହାକୁ କାଢ଼ିଆଣି ଆନଦରେ ରସକୁ ପିଅନ୍ତି ।ସାଧରଣତଃ ବଡି ସକାଳୁ ସଲପ ରସ ପିଇବାକୁ ଲୋକଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖାଯାଇଥାଏ ।
ଦ୍ୱିପ୍ରହର ଏବଂ ସନ୍ଧ୍ୟା ପୂର୍ବରୁ ମଧ୍ୟ ଗଛରୁ ତଳକୁ ହାଣ୍ଡି କାଢିଆଣି ରସକୁ ବିକ୍ରୀ କରାଯାଏ । ସଲପ ରସ ଥଣ୍ଡା ପାନୀୟ ଭାବେ ବ୍ୟବହାର କରାଯାଉଥିବାରୁ ଏହାର ଚାହିଦା ଅଧିକ ଏବଂ ଲୋକେ ବ୍ୟବସାୟ କରି ବେଶ ଭଲ ରୋଜଗାର କରନ୍ତି ।
ଏହାଛଡା ରସକୁ ଅଧିକ ନିଶାଯୁକ୍ତ କରିବାପାଇଁ ଏଥିରେ ବିଭିନ୍ନ ପ୍ରକାର ଚେର ମୂଳି ମଧ୍ୟ ମିଶାଯାଏ ।ବର୍ଷା ଦିନ ପରେ ପରେ ଦଶହରା ସମୟରେ ସଲପ ଗଛରୁ ରସ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ବର୍ଷା ଋତୁ ଆରମ୍ଭ ହେବା ପର୍ଯ୍ୟନ୍ତ ଚାଲିଥାଏ । ଆଦିବାସୀଙ୍କ ବିବାହ ଭୋଜି, ପର୍ବପର୍ବାଣୀ କିମ୍ବା ଘରକୁ କୁଣିଆ ଆସିଲେ ସଲପ ରସକୁ ଅଧିକ ଗୁରୁତ୍ୱ ଦିଆଯାଏ । ତେବେ ଗଛର ମାଲିକ ନିଜେ ଗଛରୁ ରସ ସଂଗ୍ରହ କରିନଥାନ୍ତି ।
ଏଥିପାଇଁ ସ୍ୱତନ୍ତ୍ର ଭାବେ ଜଣେ ବ୍ୟକ୍ତି ରହିଥାନ୍ତି । ଯାହାକୁ ସ୍ଥାନୀୟ ଭାଷାରେ ଜିଗିତିଆ ବୋଲି କୁହାଯାଏ । ଜିଗିତିଆ ସଲପ ଗଛରୁ ହାଣ୍ଡି କାଢ଼ିଆଣିବା ପରେ ମାଲିକ ସଲପ ବିକ୍ରୀ କରିଥାନ୍ତି । ଏଥିପାଇଁ ଜିଗିତିଆ ସପ୍ତାହର ଗୋଟିଏ ଦିନର ଆୟକୁ ମଜୁରୀ ହିସାବରେ ପାଇଥାଏ । ଗାଁର ଦିଶାରୀ ମଧ୍ୟ ଗୋଟିଏ ଦିନର ଆୟକୁ ନେଇଥାନ୍ତି । ଇର୍ଷା ପରାୟଣ ବ୍ୟକ୍ତିଙ୍କ ଗୁଣିଗାରେଡି ପ୍ରଭାବରୁ ଗଛକୁ ରକ୍ଷା କରିବା ପାଇଁ ଦିଶାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଏ ।
ଜଣେ ନାମକରା ଜିଗିତିଆଙ୍କ କହିବା ହେଲା ଗୋଟିଏ ଦିନରେ ସେ ୧୦ରୁ ୧୫ଟି ଗଛରୁ ହାଣ୍ଡି କାଢ଼ିବା ସହ ହାଣ୍ଡି ବାନ୍ଧିଥାନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ହେଲା ଗୋଟିଏ ସଲପ ଗଛରୁ ୧୦ ରୁ ୧୨ ବର୍ଷ ପର୍ଯ୍ୟନ୍ତ ରସ ବାହାରୁ ଥିବାବେଳେ ବର୍ଷକୁ ପ୍ରାୟ ୫୦ ହଜାର ଟଙ୍କା ଆୟ ହୁଏ । ପରିବାରର ଜଣେ ସଦସ୍ୟ ଭଳି ସଲପ ଗଛ ବର୍ଷତମାମ ଆଦିବାସୀ ପରିବାରକୁ ତେଲ ଲୁଣ ପାଇଁ ଟଙ୍କା ଯୋଗାଉଥିବାରୁ ଏବଂ ଅର୍ଥ ରୋଜଗାରର ପନ୍ଥା ହୋଇଥିବାରୁ ପ୍ରତି ଗାଁରେ ଏହାକୁ ରୋଜଗାରିଆ ପୁଅ ସହ ତୁଳନା କରି ନିଜ ପୁଅ ପରି ଏହି ଗଛର ଯତ୍ନ ନେଇଥାନ୍ତି ।

Comments
Loading...