କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୋଲିଲା ୱେବ୍‌ସାଇଟ୍‌, ଜୁନ୍ ୧୯ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଦରଖାସ୍ତ ଆହ୍ୱାନ

ଭୁବନେଶ୍ବର: ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କ ବାସ୍ତବ ଜମାରାଶିର ପରିମାଣ ନିରୂପଣ ନିମନ୍ତେ ସମ୍ପୃକ୍ତ ଜମାକାରୀଙ୍କଠାରୁ ଅନ୍‌ଲାଇନ୍‌ରେ ଦରଖାସ୍ତ ଆହ୍ୱାନ ନିମନ୍ତେ ଓଡ଼ିଶା ସରକାର ଏକ ନୂତନ ୱେବ୍‌ସାଇଟ୍‌ ‌ଉନ୍ମୋଚନ କରିଛନ୍ତି। ଶୁକ୍ରବାର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଭାଷୀ ବ୍ୟବସ୍ଥାରେ ଏହି ୱେବ୍‌ସାଇଟ୍‌କୁ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମିନା ଉପସ୍ଥିତ ଥିଲେ। ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଡଟ୍‌ ଓପିଆଇଡିଡଟ୍ ଓଡ଼ିଶାଡଟ୍‌ ଗଭ୍‌ଡଟ୍‌ଇନ୍‌ ୱେବ୍‌ସାଇଟ୍‌ ମାଧ୍ୟମରେ ଜମାକାରୀ ପ୍ରତ୍ୟକ୍ଷସେବା ନିୟନ୍ତ୍ରଣ(ଅନ୍‌ଲାଇନ୍‌) ଯୋଗେ ଆବେଦନ କରିବେ। ପୂର୍ବରୁ ମେସର୍ସ ରୋଜ୍‌ ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଥିଲା। ପରେ ଏସବୁ ଆବେଦନ ପତ୍ରର ଡାଟାବେସ୍‌ ତିଆରି କରିବା ବ୍ୟୟବହୁଳ ଓ କଷ୍ଟ ସାପେକ୍ଷ ହୋଇପଡିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ସହଜ ଓ ସରଳ ୱେବ୍‌ସାଇଟ୍‌ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର(ଓକାକ୍‌) ଜରିଆରେ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଦରଖାସ୍ତ ଦେବା ପାଇଁ ଆଉ ତହସିଲକୁ ଯିବାକୁ ପଡ଼ିବ ନାହିଁ। ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’କୁ ଯାଇ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ ମାଧ୍ୟମରେ ଦରଖାସ୍ତ ଦାଖଲ କରି ପାରିବେ।

ସରକାରଙ୍କ ୫-ଟି ଆଭିମୁଖ୍ୟ ଅନୁଯାୟୀ ଏହି ୱେବ୍‌ସାଇଟ୍‌ ପ୍ରଚଳନ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ଫେରସ୍ତ ନିର୍ଦିଷ୍ଟ ସମୟରେ ଫେରସ୍ତ କରାଯାଇପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇଟେକ୍‌ ଇଷ୍ଟେଟସ୍‌ ଓ ପ୍ରମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମେସର୍ସ ରାଜଧାନୀ ସିଷ୍ଟମ ଓ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର କଲ୍ୟାଣବିହାର, କଲ୍ୟାଣବିହାର ଫେଜ୍‌-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍‌ େଯାଜନାରେ ଜମି ପାଇଁ ଟଙ୍କା ଜମା ଦେଇଥିବା କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କୁ ବାସ୍ତବ ଜମାରାଶି ପରିମାଣ ନିରୂପଣ ନିମନ୍ତେ ଜୁନ ୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଦରଖାସ୍ତ ଆହ୍ବାନ କରାଯାଇଛି।

Comments are closed.