ବାୟୁସେନାର ୮୮ତମ ପ୍ରତିଷ୍ଠା ଦିବସ ; ରାଫେଲ ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନ

ବର୍ତ୍ତମାନର ପରିସ୍ଥିତି ଆମକୁ ଅଧିକ ଶକ୍ତିଶାଳୀ ପ୍ରସ୍ତୁତି ପାଇଁ ସଜାଗ କରିଛି - ଆର.କେ.ଏସ୍‍ ଭଦୋରିଆ

ନୂଆଦିଲ୍ଲୀ : ଅକ୍ଟୋବର ୮, ଦେଶର ବାୟୁସେନାର ପ୍ରତିଷ୍ଠା ଦିବସ। ଆଜି ୮୮ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ବାୟୁସେନାର ମୁଖ୍ୟ ଆର.କେ.ଏସ୍‍ ଭଦୋରିଆ ଦେଶକୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରାଫେଲ ଯୁଦ୍ଧ ବିମାନ ଥିଲା। ଯାହା ପ୍ରଥମ ଥର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲା। ସେହିପରି ଏଥିରେ ଲଢୁଆ ଚିନୁକ୍‍ ହେଲିକପ୍ଟର, ତେଜସ୍‍ ଓ ସୁଖୋଇ-୩୦ର ପ୍ରଦର୍ଶନ ; ମିଗ୍‍ ୨୧, ମିଗ୍‍ ୨୯ , ଆପାଚୀ ମଧ୍ୟ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ବାୟୁସେନା ମୁଖ୍ୟ, ସ୍ଥଳସେନା ମୁଖ୍ୟ, ଜଳସେନା ମୁଖ୍ୟ ଏବଂ ସିଡିଏସ ବିପିନ ରାୱତ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି।
ଦେଶକୁ ସମ୍ବୋଧିତ କରି ବାୟୁସେନାର ମୁଖ୍ୟ ଆର.କେ.ଏସ୍‍ ଭଦୋରିଆ ନିଜର ବକ୍ତବ୍ୟରେ କହିଥିଲେ, ବର୍ତ୍ତମାନର ପରିସ୍ଥିତି ଆମକୁ ଅଧିକ ଶକ୍ତିଶାଳୀ ପ୍ରସ୍ତୁତି ପାଇଁ ସଜାଗ କରିଛି। ବାୟୁସେନା କ୍ରମାଗତ ଭାବରେ ନିଜସହ ନୂଆ ନୂଆ ବିମାନ ସାମିଲ କରୁଛି। ଆପାଚେ ଏବଂ ରାଫେଲ ଏହାର ଏକ ଉଦାହରଣ। ଅନେକ ପୁରୁଣା ବିମାନକୁ ମଧ୍ୟ ନବୀକରଣ କରାଯାଉଛି।
ସେହିପରି ସେ ଆହୁରି ମଧ୍ୟ କହିଥିଲେ, ଆମ ଅଞ୍ଚଳରେ ବିପଦ ବଢୁଛି। ପଡ଼ୋଶୀ ଦେଶ ମାଧ୍ୟମରେ ଆତଙ୍କବାଦୀଙ୍କ ପ୍ରବଶେ ଆଶଙ୍କା ବୃଦ୍ଧି ପାଉଥିବା ସହ ସାଇବର ସ୍ପେସ୍‍ କୁ ନେଇ ଆମେ ନୂଆ ଚ୍ୟାଲେଞ୍ଜର ସାମ୍ନା କରୁଛି। ସୀମା ଉପରେ ତୀକ୍ଷ୍ଣ ନଜର ରଖି ବାୟୁସେନା ପ୍ରତ୍ୟେକ ଗତିବିଧି ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆମେ ଭାରତର ସାର୍ବଭୌମତ୍ୱ ରାକ୍ଷା କରିବାକୁ ପ୍ରସ୍ତୁତ।
ଏହି ଅବସରରେ ବାୟୁସେନା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ଅନେକ ବିଶେଷ ବ୍ୟକ୍ତିତ୍ଵ ବାୟୁସେନାର ଯବାନ, ପାଇଲଟ୍ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

Comments are closed.