କାକାକୁ ହତ୍ୟା କରି ପୁତୁରା ଗିରଫ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଚୁଲିଫୁଙ୍କା ଗ୍ରାମରେ ମଙ୍ଗଳବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଯାଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ, ଚୁଲିଫୁଙ୍କା ଗ୍ରାମର ଜଗଦାନନ୍ଦ ବେହେରା (୬୫) ନିଜର ଚାଷ ଜମିକୁ ସକାଳେ ପାଣି ମଡ଼ାଇବା ପାଇଁ ଯାଇଥିଲେ। ସେହି ସମୟରେ ତାଙ୍କର ସମ୍ପର୍କୀୟ ପୁତୁରା ବାଙ୍କନିଧି ବେହେରା(୪୨) କୂଅ ନିକଟକୁ ଆସି କୂଅରୁ ପାଣି କାଢି ଦେବା ପାଇଁ କହିଥିଲା। ପାଣି କାଢି ଦେଉଥିବା ସମୟରେ ବାଙ୍କ ବେହେରା ତାଙ୍କ କାକା ଜଗଦାନନ୍ଦ ବେହେରାକୁ ପଛ ପଟୁ କୂଅ ଭିତରକୁ ଠେଲି ଦେଇଥିଲେ। ଏହାପରେ ବାଙ୍କ କୁଅକୁ ଡେଇଁ ତାଙ୍କ କାକାଙ୍କ ମୁଣ୍ଡକୁ ପାଣିରେ ଚାପି ଧରି ହତ୍ୟା କରିଥିଲା। କୂଅକୁ ଠେଲି ଦେବା ବେଳେ ଜଗଦାନନ୍ଦ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପାଖରେ ଥିବା ଭିକାରୀ ଚରଣ ବେହେରା, ପ୍ରସାଦ ବେହେରା କୂଅ ପାଖକୁ ଦୌଡ଼ି ଯାଇଥିଲେ। ଯିଏ ପାଣିକୁ ଡେଇଁବ ତାକୁ ମାରିଦେବି ବୋଲି କହି ବାଙ୍କନିଧି ସମସ୍ତଙ୍କୁ ଭୟଭୀତ କରାଇଥିଲା। ପରେ ଖବର ପାଇ ଘଟଣାସ୍ଥଳକୁ ଦମକଳ, ପୁଲିସ ପହଁଞ୍ଚି କୂଅରୁ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ସେତେବେଳକୁ ଜଗଦାନନ୍ଦଙ୍କ ମୃତ୍ୟୁ ହୋଇ ସାରିଥିଲା। ବାଙ୍କନିଧିକୁ ପୁଲିସ ଗିରଫ କରିଛି। ଜମି ବିବାଦକୁ କେନ୍ଦ୍ରକରି ଏହି ହତ୍ୟା ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛ। ୨୦୧୪ ମସିହାରେ ଝଳିପଦର ଶିଶୁ ବଳି ଘଟଣାରେ ଅଭିଯୁକ୍ତ ବାଙ୍କ ବେହେରାର ସଂପୃକ୍ତି ରହିଥିଲା ବୋଲି ଜଣାପଡିଛି।

Comments are closed.