ସ୍ଥାୟୀ ବିଡ଼ିଓଙ୍କ ନିଯୁକ୍ତି ଦାବିରେ ବ୍ଲକ କାର୍ୟ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡ଼ିଓଙ୍କ ନିଯୁକ୍ତି ଦାବିରେ ସୋମବାର ବ୍ଲକ କାର୍ୟ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିରେ ଅଧ୍ୟକ୍ଷ, ବ୍ଲକ ଜିଲ୍ଲାପରିଷଦ ସଭ୍ୟ , ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ଦୀର୍ଘ ଦେଢମାସ ହେଲା ସ୍ଥାୟୀ ବି.ଡି.ଓ ପଦବୀ ଖାଲିପଡିଛି। ପ୍ରଧାନମନ୍ତ୍ରୀ ଆବାସ କାର୍ୟ୍ୟକୁ ଛାଡିଦେଲେ ଅନ୍ୟାନ୍ୟ ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ହରଭଙ୍ଗା ତହସିଲଦାରଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କୁ ସ୍ଥାୟୀ ବି.ଡି.ଓ ଭାବେ ନିଯୁକ୍ତି କରାଯାଉ ନଚେତ୍ ଅନ୍ୟ ଜଣେ ବି.ଡି.ଓ ନିଯୁକ୍ତି ଦାବିରେ ଗତ ୧୦ତାରିଖ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ ହୋଇଥିଲା। ୧୯ତାରିଖ ସୁଦ୍ଧା ସ୍ଥାୟୀ ବି.ଡି.ଓ ନିଯୁକ୍ତି କରାନଗଲେ ୨୦ରୁ ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ଧାରଣା ଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ସେମାନଙ୍କ ଦାବି ଅନୁସାରେ ସ୍ଥାୟୀ ବି.ଡି.ଓ ନିଯୁକ୍ତି ନହେବାରୁ ଆଜି ସକାଳେ ବ୍ଲକ କାର୍ୟ୍ୟାଳୟ ମୁଖ୍ୟ ଫାଟକ ଆଗରେ ବ୍ଲକ ଚେୟାରମ୍ୟାନ ବିଶ୍ୱଜିତ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ସମେତ ସମସ୍ତ ଜନପ୍ରତିନିଧିମାନେ ପ୍ରତୀକ ଧାରଣ ଦେଇଥିବା ଜଣାଯାଇଛି। ସୂଚନା ଯୋଗ୍ୟ , ଗତ ଡିସେମ୍ବର ୨ରେ ହରଭଙ୍ଗା ବି.ଡି.ଓ ରବିନ୍ଦ୍ର କୁମାର ଶତପଥିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତାରେ ରାଜ୍ୟ ସରକାର ଚାକୀରୀରୁ ନିଲମ୍ବିତ ପରେ ଏପର୍ୟ୍ୟନ୍ତ ସ୍ଥାୟୀ ବି.ଡି.ଓ ନିଯୁକ୍ତି କରାଯାଇନାହିଁ।

Comments are closed.