ହାତୀ ଆକ୍ରମଣରେ ୨ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ହଜ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ।  କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ନୂଆ ଜଗନ୍ନାଥ ଠାରେ ରାସ୍ତାରୋକ କରିଛନ୍ତି। ଏହାସହ ହାତୀ ଆକ୍ରମଣରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ହଜ ଗ୍ରାମର ବଂଶୀଧର ଛୁଆଳସିଂ ଓ କଲରାଝର ଗ୍ରାମର ସେନେଇ ପ୍ରଧାନ ।  ସେହିପରି ବ୍ରଜବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।  ତାଙ୍କୁ ଖୋର୍ଦ୍ଧା ସଦର ମହକୁମା ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।  ଏହି ଖବର ପ୍ରଚାର ହେବାପରେ ହଜରେ ସ୍ଥାନୀୟଲୋକେ ଉତ୍ତ୍ୟକ୍ତ ହେବାସହ ଶନିବାର ସକାଳୁ ଶରଣକୁଳ -ପୁରୀ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଥିଲେ। କ୍ଷତିପୂରଣ ଦାବି କରିବା ସହ କ୍ରମାଗତ ଭାବେ ହାତୀପଲଙ୍କ ଦ୍ଵାରା ଜନସାଧାରଣ କ୍ଷତି ସହୁଥିବାରୁ ବନବିଭାଗକୁ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ।

Comments are closed.